Unknown

 

 

 

 

 

 

 

 

 

 

 

ମଧ୍ୟାହ୍ନ ଯୂଥିକା

ଗୋରାଚାନ୍ଦ ମିଶ୍ର

 

ଉତ୍ସର୍ଗ

 

ଗୋବିନ୍ଦ ଭାଇ,

ତୁମେ ଲଣ୍ଡନ ଫେରନ୍ତା ବାରିଷ୍ଟର, ଆଇନଜ୍ଞ, ତାର୍କୀକ । କମା, ସେମିକୋଲନ ଅତିକ୍ରମ କରି ତୁମେ ବର୍ତ୍ତମାନ ଏକ ପୂର୍ଣ୍ଣଚ୍ଛେଦ । ମୁଁ ଖାଲି ଗୁଡ଼ିଏ—ଡଟ୍‍, ଡଟ୍‍ ଡ୍ୟାସ, କିନ୍ତୁ, କାହିଁକି ନାନା ଅସ୍ପଷ୍ଟ ଅବ୍ୟକ୍ତ ଅପରିସମାପ୍ତିର ସମଷ୍ଟି । ତୁମ କାପଷ୍ଟେନ ସିଗାରେଟ ଧୂଆଁର କୁଣ୍ଡଳି ଭଳି ମୁଁ ଭାସି ଭାସି ଚାଲିଚି । ତୁମେ ଅନୁଗମନୀୟ, ମୁଁ ଅନୁଗାମୀ ।

ତୁମର ଅନୁପସ୍ଥିତିରେ, ଅଜ୍ଞାତରେ ତୁମ କର୍ମକ୍ଷେତ୍ରର ଆବେଷ୍ଟନି ଭିତରୁ ମୁଁ ନିଜକୁ ଅନିଚ୍ଛିତ ଭାବରେ ଅପସାରିତ କରି ନେଇଚି । ଭାବିଥିଲି ତୁମେ ମୋ ପ୍ରତି ରୂଢ଼, ଋକ୍ଷ, ବିତୃଷ୍ଣ ହେବ, ପାଶୋରି ଦେବ, ଗୋବିନ୍ଦ ଭାଇ ବୋଲି କାନପାଖରେ ଯାଇ ଡାକିଲେ ମଧ୍ୟ ଶୁଣିବ ନାହିଁ । କିନ୍ତୁ ଦେଖୁଚି, ମୁଁ ଡାକିବା ପୂର୍ବରୁ ତୁମେ ମତେ ଡାକିଚ । ସ୍ନେହ ଶ୍ରଦ୍ଧା ମମତା ସବୁ ତୁମଠି ରହିଚି ପୂର୍ବ ଭଳି । ତୁମେ ବଦଳି ନା, ମୁଁ ବଦଳି ଯାଇଚି ।

ମନେ ପଡ଼ୁଚି ବ୍ରହ୍ମପୁର ଗସ୍ତରୁ ଫେରୁଚେ । ଗାଡ଼ି ଭିଡ଼ । ସିଟ୍‍ ଉପରେ ଖୁନ୍ଦା ଖୁନ୍ଦି ହୋଇ ବହୁ ଯାତ୍ରୀ । ଆମେ ଦୁଇଜଣ ସାଥୀ ବେଞ୍ଚ ତଳେ ଲୁଙ୍ଗି ପାରିଦେଇ ଶୋଇ ପଡ଼ୁଚେଁ । ଗାଡ଼ି ଚାଲିଚି, ସିଗାରେଟ ଫୁଙ୍କା ଚାଲିଚି, ଆମର ଗପ ଚାଲିଚି—ବାଇବେଲ, ସେକ୍‍ସପିଅର ବା ଗର୍କୀଙ୍କଠାରୁ ଆରମ୍ଭ କରି ଆମ ଦେଶର କାଳିଦାସ ପର୍ଯ୍ୟନ୍ତ । ରୋଜାଲକ୍‍ସମବର୍ଗଙ୍କ ଜୀବନର ମର୍ମନ୍ତୁଦ ସଂଗ୍ରାମମୟ କାହାଣୀଠାରୁ ଆରମ୍ଭ କରି ବଡ଼ଚଣାର କର୍ମୀ ସଚ୍ଚି ରାଉତରା ଭୋକିଲା ପେଟର କଥା । ରାଜନୀତି, ସାହିତ୍ୟ, ଇତିହାସ, ଭୂଗୋଳ, ବିଜ୍ଞାନ ସମାଜବାଦ, ଅର୍ଥନୀତି ନାନା ତଥ୍ୟ ଅତି ସୂକ୍ଷ୍ମ ସରଳ ଭାବରେ ଗାଇ ଯାଉଚ । କାହାଣୀ ଶୁଣିଲା ଭଳି ମୁଁ ଶୁଣୁଚି ।

ତୁମ ପାଖରେ ଦଣ୍ଡେ ବସି କଥାବାର୍ତ୍ତା ହେଲେ ମୁଁ ଭାବୁଥିଲି ମୋର ଖଣ୍ଡେ ବିରାଟ ପୋଥି ପଢ଼ାସରିଲା । ଥରେ ଥରେ ଭାବେ ଏ ମଣିଷଟା ଯାହା କହୁଚି ଲେଖି ପକାନ୍ତା କି ! ଦେଶର ମଙ୍ଗଳ ହୁଅନ୍ତା, ଜାତିର ସେବା ହୁଅନ୍ତା, ସାହିତ୍ୟ ସମୃଦ୍ଧ ହୁଅନ୍ତା । ତୁମେ ସାମ୍ୱାଦିକ ଥିଲ, ହେଲ ବାରିଷ୍ଟର । ମୁଁ କିନ୍ତୁ ସେଇ ସାମ୍ୱାଦିକ । ସାପ୍ତାହିକରୁ ଦୈନିକ । ଗୁଡ଼ିଏ ଲମ୍ୱା ଲମ୍ୱା ଇଂରେଜୀ ଟାଇପ ଧାଡ଼ିର ଅନୁବାଦକ, ‘‘ଅମୁକ କହିଲେ ଯେ........’’ର ଲେଖକ । ‘‘ସାହିତ୍ୟିକ’’ ଲେଖା ଭିତରେ ପ୍ରେରଣା ଟିକିଏ ଟିକିଏ ପାଇଥିଲି । ତାରି ବଳରେ ମୁଁ ଆପେ ଆପେ ମୋର ଅନ୍ୟନାମ ଦେଇଚି ‘ଲେଖକ’ । ଲେଖାଭିତରେ ଭାବ କେଉଁ ଟିକକ, ଶୈଳୀ କ’ଣ, ଭାଷାର କମନୀୟତା ବା ସାବଲୀଳତା କେଉଁଠି କିଛି ବୁଝି ପାରେନା । ଯେତେବେଳେ ବୁଝି ସୁଝି ଲେଖି ବସେ, ସବୁ ସରିଯାଏ । କଲମରୁ କାଳି ଝରେନା । ମନେ ମନେ ଭାବେ ମୁଁ ଗୋଟିଏ ବ୍ୟତିକ୍ରମ, ମୋର ଲେଖାଗୁଡ଼ାକ ମଧ୍ୟ ସେମିତି । ଦେଖୁନା, ସମସ୍ତେ ଜାଣନ୍ତି ଯୂଇଫୁଲ ଫୁଟେ ରାତିରେ । କିନ୍ତୁ ଏ ମୋର ମଧ୍ୟାହ୍ନର ଯୂଥିକା ।

ଆଜି ଦୀପାବଳୀ । ମଧ୍ୟରାତ୍ରୀରେ ମଧ୍ୟାହ୍ନର ପ୍ରହେଳିକା । ତାରି ଭିତରେ ଯୂଥିକାର ବିଭ୍ରାନ୍ତି । ଉତ୍ସର୍ଗ କରୁଚି ତୁମକୁ । ଗ୍ରହଣ କରିବ ତ ?

ଦୀପାବଳୀ

ସ୍ନେହାଧୀନ

ପ୍ରଜାତନ୍ତ୍ର

ଗୋରେ

☆☆☆

 

ମଧ୍ୟାହ୍ନ ଯୂଥିକା

 

ଆକାଶର ପଶ୍ଚିମକୋଣରେ ଏଇ ଯେ ଖଣ୍ଡିଏ ନୀଳ ବାଦଲ, ତାକୁ ଚାହିଁ ଚାହିଁ ମନେମନେ ହସେ ଆରତି ଦାସ ! ବିଗତ ଯୌବନା ଆରତି ଦାସ, ମେଘର ଯୌବନ ଦେଖି ମୁଗ୍‍ଧ ହୁଏନି, ସେ ଜାଣେ ଏ ମେଘ ରହିବ ନାହିଁ ।

 

ଏଇମିତିକା ଜୀବନରେ କେତେ ରଙ୍ଗ ଲିଭି ଯାଇଛି । ଭଙ୍ଗା ପାଚିରୀଟା ଉପରେ ବୁକୁକୁ ଚାପି ସେ ମନେମନେ ଭାବେ ପରୀ ରାଇଜର ଗପ । ମନେହୁଏ ତା’ର ମଧୁର ନୂପୁର ବଜେଇ ବଜେଇ ଯିମିତି ଚାଲି ଯାଉଛି ସୁଦୀର୍ଘ ରଜନୀ, ଠିକ୍‍ ସ୍ୱପ୍ନ ଭଳି ।

 

ଆରତି ଦାସର ଦୀର୍ଘାୟତ ଆଖିର ପତା ଦୁଇଟି ଓଦା ଓଦା ଲାଗେ । ମନଟା କ’ଣ ଓଦା ହୋଇଗଲା ? ଆଜି ଖଣ୍ଡିଏ ଚିଠି ପାଇଚି ସେ—ଏକ ଅଦ୍ଭୁତ ଚିଠି ।

 

କଲ୍ୟାଣୀୟାଷୁ; ଜୀବନର ଏ ଅନୁଶୋଚନାର ଭାବୁଚି ଆଉ ଶେଷ ନାହିଁ । ଅପରାଧ ଯେ କରିନି ଏଇ କଥାଟି ଆଜି ପର୍ଯ୍ୟନ୍ତ ଜଣେଇ ପାରିଲିନି । ଏହାହିଁ ଯେଭଳି ମୋ ଜୀବନରେ ବଡ଼ ଅପରାଧ । ଆଜୀବନ ମନେମନେ ଜଳିପୋଡ଼ି ସୁଦ୍ଧା ୟାରି ପ୍ରାୟଶ୍ଚିତ କରିପାରିନି । ତୁମେ ମତେ କ୍ଷମା କରିଚ ଜାଣିଲେ ମୁଁ ଶାନ୍ତିରେ ମରିପାରନ୍ତି । ସ୍ୱାମୀ ହୋଇ ଏହି ଶାନ୍ତିର ଦାବି ଟିକକ କ’ଣ କରିପାରିବିନି ? ଉତ୍ତର ଆଶାରେ ରହିଲି ।

 

ଆଖି ଦିଇଟା ଓଦା ହୋଇ ଉଠିଥିଲେ ମଧ୍ୟ ମୁହଁରେ ଗୋଟାଏ ତିକ୍ତ ହସ ଫୁଟି ଉଠେ ତା’ର ।

 

ଛବିଶ ବର୍ଷ ତଳର ସେଇ ମଣିଷଟାର ମୁହଁଟା ଯେ ପାଶୋର ଯାଇଛି ତାହା ନୁହେଁ । ତେବେ ସେ ମୁହଁକୁ ମନେ ପକାଇବାକୁ ଇଚ୍ଛା କରିନି କେତେବେଳେ । ସେ ଜାଣେ ତା’ ଜୀବନରେ ଏହି ମୁହଁଟା ହିଁ ସବୁଠୁଁ ବଡ଼ ସତ୍ୟ । ତଥାପି ସତ୍ୟକୁ ଅସ୍ୱୀକାର କରି ଆସିବାକୁ ପଡ଼ିଛି ଏତେକାଳ ଏହି ଗୋଟିଏ ମୁହୂର୍ତ୍ତର ମେଘ ଭଳି । କେତେ ବା ବୟସ ସେତେବେଳେ ? ମାତ୍ର ତେର । ନାଁ ଥିଲା ତା’ର କମଳା ।

 

ତେରବର୍ଷ ବୟସରେ ତା’ର ରୂପ କୁଆଡ଼େ ଫାଟି ପଡ଼ୁଥିଲା ।

 

ଆଜୀବନ ଶୁଣି ଆସିଚି, ୟା ଭଳି ରୂପସୀ ଜଗତରେ ବିରଳ ।

 

କଳା କଳା ଆଖି ଦୁଇଟି ପୁଣି ଓଦା ହୋଇଆସେ । ନାକ ପୁଡ଼ା ଦିଇଟା ଫୁଲି ଉଠେ । ଛାତର ଉପରୁ ନଇଁ ଆସି ତଳେ ବସିପଡ଼େ—ଅନାଇ ରହେ ଆକାଶକୁ ।

 

ଆକାଶରେ କେତେ ଛବି କେତେ ଦୃଶ୍ୟ ଗୋଟାକପରେ ଗୋଟିଏ ଭାସି ଭାସିଯାଏ ଆଖି ଆଗରେ । ଅନନ୍ତ ଆକାଶରେ ବିଭିନ୍ନ ସମୟରେ ବିଭିନ୍ନ କାହାଣୀ ।

 

ବିବାହ କ’ଣ ? ସେତେବେଳେ କିଛି କ’ଣ ସେ ଜାଣୁଥିଲା ? ତଥାପି ବିବାହ ହେଲା ତେର ବର୍ଷରେ । ବାଲ୍ୟବିବାହରେ ବାପାଙ୍କର ଆନନ୍ଦ, ତାହାହିଁ ହେଲା ।

 

ରୂପସୀ ବୋଲି କ’ଣ ନା କେଜାଣି କମଳାର ଶ୍ୱଶୁରଘର ଗୋଟିଏ ପଇସା ସୁଦ୍ଧା ନେଇ ନ ଥିଲେ ତାଙ୍କ ଘରୁ । ଜମିଦାର ଏମାନେ । ଏକମାତ୍ର ସନ୍ତାନ କିନ୍ତୁ ବରର ବୟସ ଟିକିଏ ବେଶୀ ହୋଇଯାଇଥିଲା । ପ୍ରାୟ ଚବିଶ ।

 

ବେଶ୍‍ ମନେଅଛି ଆରତିର । ସେଇ ମଣିଷଟିର ଶାନ୍ତ ଶୀତଳ ଆକ୍ଷି ଦିଇଟା ମୁହଁରେ ନିରୀହତା । ମଣିଷଟିକି ଯେ ତା’ର ମନ୍ଦ ବୋଧ ହୋଇଥିଲା ତା’ ନୁହେଁ । ବେଶ୍‍ ଭଲ ଲାଗିଥିଲା ।

 

ବିବାହ ପରଦିନ, ବାସର ରାତିରେ ଘୁମେଇ ପଡ଼ିଥିଲେ ସମସ୍ତେ ।

 

ସେ କିନ୍ତୁ ଘୁମେଇନି—ଆଉ ସେ ଲୋକ ଜଣକ ।

 

କହିଥିଲା—ବଡ଼ ସୁନ୍ଦର ତମେ ।

 

ଖୁବ୍‍ ଆସ୍ତେ ଆସ୍ତେ କହୁଥିଲା ସେ—କମ୍ପି ଉଠୁଥିଲା ବୁକୁଟା କମଳାର । ଗୋଟାଏ ମଣିଷର ଏତେ ପାଖାପାଖି ବସି ରୂପର ପ୍ରଶଂସା ଶୁଣିବା କ’ଣ ସହଜ ? ଏକ ଅପୂର୍ବ ଅନୁଭୂତିରେ ଭାସି ଉଠିଥିଲା ତା’ ମନ ।

 

ତା’ପରେ କହିଥିଲା—କାଲି ସନ୍ଧ୍ୟାବେଳକୁ ପହଞ୍ଚି ଯାଇଥିବା ଆମେ ।

 

—କୁଉଠି ?

 

—କାହିଁକି ଆମ ଘରେ ।

 

ଯିବା କଥା ଶୁଣି ଭୟ ଜାଗିଥିଲା କମଳା ମନରେ । ଯେତେହେଲେ ପିଲା ତ !

 

—ଭୟ ନାହିଁ, ମୁଁ’ତ ପାଖେ ପାଖେ ରହିଥିବି ।

 

—କେତେ ଦୂର ?

 

—କଟକଠୁ ଅନେକ ଦୂରରେ ।

 

ପୁଣି ସୁଖି ଆସିଲା କମଳାର ମୁହଁଟା ।

 

ଆହୁରି ପାଖକୁ ଲାଗି ଆସିଲା ସେ—ଦେହକୁ ଦେହ ଲଗାଲଗି !

 

—ସମସ୍ତେ ଘୁମାଉଛନ୍ତି । ଯଦି କେହି ଚେଇଁ ଉଠେ ?

 

—ତୁମେ ଫୁଲକୁ ଭଲପାଅ ।

 

କମଳା କିଛି ଶବ୍ଦ ନ କରି ମୁଣ୍ଡ ହଲେଇଦେଇ ଜଣାଇଥିଲା—ହଁ ଖୁବ୍‍ ଭଲପାଏ ।

 

—ଆମର ସେଇଠି ବଡ଼ ଏକ ବଗିଚା ଅଛି, ସବୁ ତୁମର ହେବ !

 

ସବୁ ? କମଳା ମୁରୁକି ମୁରୁକି ହସେ ।

 

—ହଁ । ସବୁ । ତା’ଛଡ଼ା, ଆଉ କ’ଣ ଭଲପାଅ ?

 

କମଳା ଆଖି ଦୁଇଟାକୁ ଉପରକୁ ଟେକିଲା । ଗଳ୍ପ କରିବାକୁ ଭାରି ଭଲଲାଗୁଚି ତାକୁ । ଆଉ କ’ଣ ତୁମେ ଭଲପାଅ—କ’ଣ କହିବ ସେ ? କେତେ କ’ଣ ଭଲପାଏ । ସବୁ ତା’ର ମନେପଡ଼ୁନି । ତଥାପି ସେ କହେ—କରମଙ୍ଗା, ଆଉ ପିଜୁଳି ।

 

—ବହୁତ, ବହୁତ ପ୍ରଚୁର ପାଇବ । ପିଜୁଳି ଗଛ ଶହ ଶହ—କରମଙ୍ଗା ଗଛ ଆଠଟା–ଖୁବ୍‍ ବଡ଼ ବଡ଼ । ଲୋଟିପଡ଼େ ଫଳରେ ।

 

—କରମଙ୍ଗା ଆଠଟା ଗଛ ଲୋଟିପଡ଼େ ଫଳରେ ?

 

—ହଁ କେହି କେବେ ଖାଆନ୍ତିନି ।

 

ଭାରି ମଜା ଲାଗେ କମଳାକୁ ।—ଖୁବ୍‍ ବଡ଼ ବଗିଚା ନାଁ ?

 

—ହଁ ଖୁବ୍‍ ବଡ଼—ସବୁ ତୁମର !

 

କଥାଗୁଡ଼ାକ ବିଶ୍ୱାସ କରିପାରେନା କମଳା । ଲୋକଟା ନିଶ୍ଚୟ ମିଛ କହୁଚି । ସବୁ କ’ଣ ୟାର ହେବ !

 

ହଁ ପ୍ରକୃତରେ ସବୁ ହୋଇଥାଆନ୍ତା—ଆଜି ଆରତି ଦାସ ଭାବେ, ଇଚ୍ଛା କରିଥିଲେ ସବୁ ହୋଇଥାଆନ୍ତା ।

 

ସେଇ ବିରାଟ ଅଟ୍ଟାଳିକା, ବାଡ଼ିବଗିଚା, ଚାକର ପୂଜାରୀ, ଗୋରୁଗାଈ ସବୁ ହୁଅନ୍ତା—କିନ୍ତୁ କିଛି ହେଲାନି ।

 

ଦୋଷ କରି ସେ ବିଷୟରେ ବିଚାର କରି ବସିବାରେ ଆଉ କିଛି ଲାଭ ନାହିଁ । ଗୋଟାଏ ଦୀର୍ଘଶ୍ୱାସ ପକାଏ ଆରତି ଦାସ ।

 

ଆକାଶରେ ସେଇ ଖଣ୍ଡି ଖଣ୍ଡିଆ ମେଘଟିକକ ଲିଭି ଲିଭି ଯାଉଛି ।

 

ତା’ପରେ ଶ୍ୱଶୁରଘରକୁ ଯିବାକୁ ପଡ଼ିଥିଲା । ତା’ ପର ଦିନ ହିଁ ଲୋକଟା କିଛି ମିଛ କହିନଥିଲା । ପ୍ରକୃତରେ ବହୁତ ଦୂର । ମଟରରେ ଯାଇ ସଡ଼କ ପାଖରେ ଓହ୍ଲାଇ ପୁଣି ପାଲିଙ୍କିରେ ଦୁଇଘଣ୍ଟା । ବାଇଦ ବାଜଣା ଆସିଥିଲା ମଟରଷ୍ଟାଣ୍ଡକୁ । ବାଜଣାର ଆଓ୍ୟାଜକୁ ସହିପାରୁନଥିଲା ସେ । ବୁଢ଼ୀ ଚାକରାଣୀକି ଧରି ଉଠିଥିଲା ସେ ପାଲିଙ୍କିକି ।

 

ଶ୍ୱଶୁରଘରକୁ ଗଲା ଆରତି ଦାସ । ଦେଖିଲା ବିରାଟ ଏକ ପ୍ରାସାଦ, ସବୁ ବିରାଟ । ଦେଖୁ ଦେଖୁ ଆଶ୍ଚର୍ଯ୍ୟ ହୋଇଉଠୁଥିଲା ସେ ।

 

ପାଖରେ ସେଇ ବୟସ୍କ ମଣିଷଟା ଠିଆହୋଇ ହସୁଥିଲା ମୁରୁକି ମୁରୁକି ।

 

—ଭୟ କରୁଚ ?

 

—ହଁ ଟିକିଏ ଟିକିଏ ।

 

—କାହିଁକି ? ଭୟ କଅଣ ?

 

ଇତିମଧ୍ୟରେ ଶାଶୁ ଆସନ୍ତି—ବରଣ କରି ନିଅନ୍ତି ବୋହୂକୁ । ଆଶୀର୍ବାଦ କରନ୍ତି ସୁନାର ହାର ଦେଇ । ହାରକୁ ଦେଖି କମଳା ମନେକରେ ରାଜରାଣୀ । କି ହାର ! ଲମ୍ୱି ପଡ଼ିଚି ଗଳାରୁ ପାଦ ଯାଏ । ଶୁଣାଗଲା ହାରଟିର ଓଜନ ୬୦ ଭରି । ମାଇପି ମହଲର ଆଳାପ ଆଲୋଚନା ଶେଷ ହେଲା । ବେଶ୍‍ ଚାଲିଗଲା ସେ ମଣିଷଟା—ଗଲା ଯେ ଆଉ ଆସିନି ପରଦିନ ରାତିଯାଏ ।

 

ଏଇ ଦେଢ଼ଦିନ ଧରି ଯେ କେଉଁଠି ରହିଲା ଠିକଣା ବି ପାଇଲାନି କମଳା । କେବଳ ଚାକରାଣୀଟି ୟା ପାଖକୁ ଆସି ଗୋପନରେ କହୁଥିଲା କିମିତିକା ଗୋଳମାଳିଆ ବୋଧ ହେଉଛି ସାନଅପା !

 

ତେର ବର୍ଷର କମଳା କ’ଣ ବା ବୁଝୁଚି ସେତେବେଳେ ? ପଚାରି ବସିଲା—କ’ଣ ହେଲା ?

 

—ବାବୁଙ୍କୁ ତୁହାଇ ତୁହାଇ କହିଲି, ଟିକିଏ ଖୋଜ-ଖବର ନେଇ ବିଭା କରାଅ, କ’ଣ ହେଲା ? ଆଦୌ ଶୁଣିଲେନି—ଏବେ ଭୋଗ ।

 

ୟା ଭିତରେ କିଏ ଜଣେ ଆସିବାରୁ ଚାକରାଣୀ ଚାଲିଗଲା ।

 

କମଳା କିଛି ବୁଝିପାରିଲା ନାହିଁ, ବୁଝିବା ଲାଗି ଚେଷ୍ଟା ସୁଦ୍ଧା କରିନି ସେ ।

 

ପରଦିନ ରାତିରେ ପଲଙ୍କର ଗୋଟିଏ ପାଖରେ କମଳା ଶୋଇଚି । ସେ ଆସିଲେ । ଫୁଲର ବିଛଣା । ରଜନୀଗନ୍ଧା ଗୁନ୍ଥା ଫୁଲର ମଶାରି । କାନ୍ଥରେ ଫୁଲର ବିଚିତ୍ର ରଙ୍ଗ ବେରଙ୍ଗ । କେବଳ ଫୁଲଶଯ୍ୟା ନୁହଁ; ଫୁଲର ରାତ୍ରୀ ।

 

ସେ ଆସିଲେ । ପାଖରେ ବସିଲେ ଆଖିକୁ ମିଟି ମିଟି କରି କିଛି ସମୟ ଦେଖି ଲାଗିଲା କମଳା । ତା’ପରେ ନିଦର ଛଳନା ।

 

ଘର ସାରା ନୀରବ ନିସ୍ତବ୍‍ଧତା । ବାହାରଟା ମଧ୍ୟ ଶୂନୁଶାନ । ଦୁଆର ଝରକା ଦେଇ କଳା କଳା ଆକାଶଟା ଆଖିରେ ପଡ଼େ କମଳାର । ହଠାତ୍‍ କାନରେ ପଡ଼େ କାନ୍ଦ ଶବ୍ଦ । ଶବ୍ଦଟା ସୁତୀବ୍ର ଅଥଚ ଭୟାନକ !

 

କମଳା ଚମକି ଉଠେ । ଭୟ ପାଇ ସଙ୍ଗେ ସଙ୍ଗେ ଜାବୁଡ଼ି ଧରେ ପାଖ ମଣିଷଟାକୁ ।

 

କାହାକୁ କିଏ ଯିମିତି ମାରୁଚି । ବୁକୁ ଫଟା କରୁଣ ଚିତ୍କାର । ଆର୍ତ୍ତନାଦ । ହଠାତ୍‍ ଆଓ୍ୟାଜଟା ବନ୍ଦ ହୋଇ ଆସେ । ଲୋକଟା ମଧ୍ୟ ଚମକି ଉଠେ । ଅନାଏଁ କମଳା ଆଡ଼େ ।

 

—କାହାର ରଡ଼ି ?

 

—କେଜାଣି ?

 

—କିଏ ଯିମିତି କାନ୍ଦୁଚି ।

 

—ହୋଇପାରେ । ମଣିଷଟା ଯେମିତି ଭୀଷଣ ଅସ୍ୱସ୍ତି ବୋଧ କରେ । ପୁଣି ତୀବ୍ର କାନ୍ଦରେ କମଳା ଚମକି ଉଠେ ।

 

—କା’ର କାନ୍ଦ ?

 

ମଣିଷଟା ରାଗ ଓ ବିରକ୍ତ ହୋଇ କହେ—କିମିତି କହିବି ? ଆଚ୍ଛା ଦେଖି ଆସେ !

 

କମଳା ତାକୁ ଯିବାକୁ ଦିଏନା । —ତୁମେ ଯାଅନା, ମତେ ବଡ଼ ଭୟ ଲାଗିବ ।

 

ଆସ୍ତେ ଆସ୍ତେ ସବୁ ନୀରବ ହୋଇ ଆସେ । ଆଉ ସେ ଶବ୍ଦ ଆସେନା । କମଳା ଆଖି ଖୋଲେ ଏତେ ପରେ । ଲୋକଟାର ମୁହଁକୁ ଅନେଇ ସେ ଅବାକ୍‍ ହୋଇ ଉଠେ, ମୁହଁଟା ଯେମିତି ଶୁଖି ଯାଇଛି । ଏହି ମୁହୂର୍ତ୍ତକ ଆଗକାର ହସ ଆଉ ନାହିଁ । ପଦେ କଥା ସୁଦ୍ଧା ନାହିଁ ।

 

କମଳାକୁ ଭଲ ଲାଗେନା ।

 

କହେ—ତୁମେ ବି ବୋଧହୁଏ ଭୟ ପାଇଚ, ନା ?

 

ଚମକି ଉଠେ ସେ—ଏତେ ସମୟ ଧରି ସେ ବୋଧହୁଏ କିଛି ଭାବୁଥିଲା ।

 

ଜୋର୍‍ କରି ଗୋଟାଏ ହସି ହସି କହେ—କାହିଁ; ନା ତ ।

 

—ମତେ କିନ୍ତୁ ବଡ଼ ଭୟ ଲାଗିଲା । ବାବରେ କି ରଡ଼ି । ସେ ଆଉ କଥା କୁହେନା—ଚୁପ୍‍ ରହେ ।

 

ସେଦିନ ରାତିଟା ବୃଥାରେ ଗଲା । କୌଣସି କଥା ଜମିଲାନି । କୌଣସି ଭାବାବେଗରେ ଏମାନେ ଅସ୍ଥିର ହୋଇଉଠିଲେନି । ଏଭଳି ଅପୂର୍ବ ଫୁଲଶଯ୍ୟା ରାତ୍ରୀ କେବେ ଶୁଣିନଥିଲା ଆରତି ଦାସ । ସେ ରାତିରେ ମଣିଷଟା ଆଉ ପଦେହେଲେ କଥା କହିନି—ପାଖକୁ ଟାଣିନେଇନି ତାକୁ ।

 

କି ଗୋଟାଏ ଅଦ୍ଭୁତ ମଣିଷ । ଚିଠି ଖଣ୍ଡିକ ପଢ଼ି ଆଜି କେତେ କଥା ମନେପଡ଼େ ତା’ର-। କିଛି ହେଲେ ଭୁଲିଯାଇନି ସେ । ପ୍ରତି ମୁହୂର୍ତ୍ତ ମନେଅଛି ତା’ର । ଏ ସତ୍ୟ ଅସ୍ୱୀକାର କରିବାକୁ ଜୋ ନାହିଁ—ତା’ ଜୀବନରେ ଏକମାତ୍ର ପୁରୁଷ ତା’ର ଅପରୂପ ସୁନ୍ଦର ଦେହଟାକୁ ପରିପୂର୍ଣ୍ଣ କରି ପାଇଥିଲା । ଛୋଟ ଗୋଟାଏ ସ୍ୱପ୍ନ ଭଳି ରାତି କେଇଟା ତା’ ଜୀବନରେ ଯେମିତି ଗୋଟିଏ ଗୋଟିଏ ଉଜ୍ଜ୍ୱଳ ନକ୍ଷତ୍ର ଭଳି ଜାଗି ରହିଛି ।

 

ତା’ ପରଦିନ ରାତିଟା ମଧ୍ୟ ବଡ଼ ଅଦ୍ଭୁତ ।

 

କମଳା ଘୁମେଇ ପଡ଼ିଥିଲା ସେଦିନ । ସେ ଆସି ଉଠେଇଲେ । ଏତେ ବିଳମ୍ୱ ହେଲା କାହିଁକି ଜାଣେନା । ଅଳ୍ପ ବୟସରେ ଏତେ କୌତୂହଳ ସେ କେବେ କ’ଣ ଭାବିପାରେ ? ଉଠେଇ ସେ କହିଥିଲେ—

 

ମୁଁ ଆସିବାରେ ଖୁବ୍‍ ଡେରି ହେଲାନା ? କମଳା କିଛି କହିନଥିଲା ।

 

—ଆଚ୍ଛା ଏସବୁ ତୁମକୁ କିମିତି ଲାଗୁଚି ?

 

—କ’ଣ ?

 

—ଏ ସବୁ ଘରବାଡ଼ି, ବଗିଚା !

 

—ଭଲ ।

 

ସେ କମଳା ହାତକୁ ଧରି ଟାଣିନେଇ କହିଲେ—ଆସ ବୁଲି ଆସିବା ।

 

—କୁଉଠିକି ?

 

ବଗିଚା ! ଭଲ ଲାଗିବ ।

 

—ନା ଭୟ ଲାଗିବ ।

 

ଲୋକଟି ହସେ—ସେ ଗୋଟାଏ ଅପୂର୍ବ ହସ—ନା ଭୟ ନାହିଁ । ଆଜି ଆଉ କେହି କାନ୍ଦିବେନି ଯେ ।

 

କମଳା ଟିକିଏ ଚୁପ୍‍ ରହେ—ପୁଣି ଅନାଏଁ ।

 

ଆସ୍ତେ ଆସ୍ତେ କହେ—ହେଉ ଯିବା ଆଉ କେଉଁଦିନ ।

 

ଲୋକଟା ଆଉ କିଛି ନକହି ଧୀରେ ଧୀରେ ଟାଣିନିଏ କମଳାର ମୁଣ୍ଡଟାକୁ ନିଜ କୋଳ ଆଡ଼ିକି ।

 

କମଳାକୁ ଭଲଲାଗେ । ଭାରି ଭଲ । ସେ ଆହୁରି ଆଗେଇ ଆସେ ତା’ କୋଳକୁ ।

 

ଭାବିଲାବେଳକୁ ଆଜି ଆରତିକୁ କିମିତି କିମିତି ଲାଗେ । ଭ୍ରୂକୁଞ୍ଚିତ ହୋଇ ଆସେ । କି ବୋକା ନଥିଲା ସେ—ଆଜି କେଡ଼େ ସରଳ ! ସେ କିଛି ବୁଝେନା । ବୁଝୁ ନଥିଲା କିଛିହେଲେ । ଅକପଟ ଭାବରେ ସେଇ କେତେଟା ଦିନ ରାତିରେ ଭାରି ଭଲପାଇ ଆସିଥିଲା ସ୍ୱାମୀକି । ଦେହ ମନ ଢାଳି ଦେଇଥିଲା ଏ ଲୋକଟା ପାଖରେ ।

 

କିନ୍ତୁ ବାପଘରକୁ ଆସିବାର ପୂର୍ବଦିନ ସନ୍ଧ୍ୟାରେ ଯାହାକୁ ସେ ଦେଖିଲା ଭୁଲି ସେ ପାରିନି ଆଜି ମଧ୍ୟ । କି ଗୋଟାଏ ମୂର୍ତ୍ତି !

 

ପାଦ ଟିପି ଟିପି ଆସୁଥିଲା ସେ । ସେ ଠିଆହୋଇ ରହିଥିଲା ଘରର ଦୁଆରବନ୍ଧ ସେପାଖେ । ଆଖିଥିଲା ସାମନାରେ ।

 

ହଠାତ୍‍ ସାମନାରେ ଆଖିରେ ପଡ଼ିବାମାତ୍ରେ ଚମକି ଉଠିଥିଲା ସେ ।

 

ଜଣେ କିଏ ଆସୁଚି । ରୋଗା ମଇଳା-ରଙ୍ଗର ଗୋଟିଏ ବୋହୂ । ଆଖି ଦୁଇଟିରେ ବିଷାଦ । ଆଖି ଦୁଇଟା କି ସୁନ୍ଦର କିନ୍ତୁ କି ବେଦନାୟିତ ।

 

ଭଲକରି ସେ ଦେଖିଲା ଯେତେବେଳେ ସେ ପାଖକୁ ଆସି ଯାଇଥିଲା ।

 

—ତୁଇ କିଲୋ ନୂଆବୋହୂ ?

 

ଗଳାର ସ୍ୱର ଏତେ କ୍ଷୀଣ ଯେ ଶୁଣାଯାଉନଥିଲା ଭଲ କରି ।

 

ଅବାକ୍‍ ହୋଇ ଦେଖୁଥିଲା କମଳା । ବୋହୂଟି ପଛକୁ ପଛକୁ ଚାହୁଁଥିଲା । ବଡ଼ ଭୟ ଲାଗୁଥିଲା ତାକୁ ।

 

କିଛିଟା ପଛକୁ ଘୁଞ୍ଚିଯାଇ ଡାକିଲା—ଆଲୋ ଶୁଣ୍‍ ।

 

କମଳା କ’ଣ କହିବ ଭାବୁଚି ଠିକ୍‍ ଏଇ ସମୟରେ ‘ଓ୍ୱାଇ’—ଗୋଟାଏ ଆବାଜ ଶୁଣାଗଲା ।

 

ବିଶାଳକାୟ ଝିଅଟାଏ ଠିଆହୋଇ ରହିଛି ପଛରେ । ବୋହୂଟି ୟାକୁ ଦେଖିଲା ମାତ୍ରେ ଉଭେଇ ଗଲା ଆଖି ପିଛୁଳାକେ । ଝିଅଟି ପଛେ ପଛେ ଗଲା । ଗଲାବେଳେ ଗୋଟାଏ ବିଦ୍ରୂପ ଦୃଷ୍ଟି ପକେଇ ଦେଇଗଲା କମଳା ଉପରେ । ଭୟରେ ପ୍ରାଣ ଶୁଖି ଆସିଲା କମଳାର ।

 

ଦୁଇ ତିନି ମିନିଟ ଭିତରେ ସମସ୍ତ ଘଟଣାଟା ଘଟିଗଲା । ସ୍ତବ୍ଧ ହୋଇପଡ଼ିଲା କମଳା । ଆଉ ମୁହୂର୍ତ୍ତେ ସୁଦ୍ଧା ସେ ରହିପାରେନା ଏ ଘରେ—

 

ସେ ରାତିରେ ଭଲ କରି କଥା କହି ପାରିନଥିଲା ସେ ।

 

କାଲି ସକାଳୁ ଯେମିତି ସେ ବାହାରିଗଲେ ବଞ୍ଚେ ।

 

ଗଲା ମଧ୍ୟ ।

 

ବାପ ଘରକୁ ଆସି ସେ ଯେମିତି ତ୍ରାହି ପାଇଲା । ଭାବିଥିଲା ଆଜି ରାତିରେ ସେ ପଚାରି ନେବ ସବୁକଥା କିନ୍ତୁ ସେ ସୁଯୋଗ ଆଉ ଜୀବନରେ ମିଳିଲା ନାହିଁ । ଦିପହର ଆଗରୁ ତୁମୂଳ କାଣ୍ଡ ଘଟିଗଲା ଘରେ ।

 

କିଛି ହେଲେ ବୁଝିପାରିଲାନି ସେ ।

 

ଖାଲି ଦେଖିଲା ସେ ତା’ ବାପା ସ୍ୱାମୀର ହାତ ଧରି ଝିଙ୍କୁଚନ୍ତି—ପାଟିକରି ବୋଲୁଚନ୍ତି–ଜାଣ ତୁମକୁ ମୁଁ ଖୁନ୍‍ କରିଦେଇ ପାରେ । ତୁମେ ଗୋଟାଏ ନିପଟ ଜାନୁଆର !

 

ତା’ର ସ୍ୱାମୀ ଶାନ୍ତ ଭାବରେ କହୁଥିଲେ—ଆପଣ କ’ଣ କହୁଚନ୍ତି ?

 

ତା’ ମା କହିଉଠିଲେ—ଆହୁରି କଥା କହୁଚୁ, ବାହାରୁଚୁ ନା ନାହିଁ ମୋ ଘରୁ ।

 

ଲୋକଟାର ମୁହଁଟା ଲାଲ ହୋଇ ଉଠିଥିଲା ।

 

—ତୁ ଘରେ ଗୋଟାଏ ବୋହୂକୁ ରଖି ମୋ ଝିଅକୁ ବିବାହ କରିଚୁ ? ଏଡ଼େ ସାହସ, ଚୋର, ଠକ ! ବାହାରୁଚୁ ନା ଏଇଠୁ ।

 

ସେ ଖାଲି କହନ୍ତି—ଭୁଲ୍‍ ବୁଝିଛନ୍ତି ଆପଣ ।

 

—ମୋ ଚାକରାଣୀ ସବୁ କଥା ବୁଝି ଆସିଚି ଯେ—

 

—ମିଛ କଥା ବୁଝିଚି । ସବୁ କଥା ସେ ଜାଣେନା ।

 

—କି ସବୁ କଥା ଶୁଣେ ।

 

ଆପଣଙ୍କୁ କିଛି କହିବିନି ! କହିପାରେ ଆପଣଙ୍କ ଝିଅଙ୍କ ପାଖରେ, ସେ ମୋର ସ୍ତ୍ରୀ ।

 

ମା ଜଳି ଉଠିଥିଲା—ମୋର ଝିଅ ତୋର କିଛି ନୁହେଁ । ବାହାରୁଚୁ ନା !

 

କମଳା ଥିଲା ପାଖରେ । ପାଖକୁ ଆସି ତା’ର ମା କାଚଗୁଡ଼ାକୁ ପଟ ପାଟ କରି ଭାଙ୍ଗିପକେଇଥିଲା ତା’ର । ଲୁଗା କାନିରେ ଲିଭେଇ ପକାଇ ଥିଲେ ସୀମନ୍ତର ସିନ୍ଦୂର । ଆଜିଠାରୁ ଜାଣିଲି ଝିଅର ବିବାହ ହେଇନି ।

 

ମଣିଷଟା କମଳା ଆଡ଼ିକି ଅନେଇଁ ରହିଥିଲା ବହୁକ୍ଷଣ । କେଉଁଥିପାଇଁ ସେ ଅପେକ୍ଷା କରି ରହିଥିଲା କେଜାଣି ।

 

କମଳା ମୁଣ୍ଡ ନୁଆଇଁ ଠିଆହୋଇ ରହିଲା—କମ୍ପି ଉଠୁଥିଲା ଦେହସାରା ।

 

ଧୀରେ ଧୀରେ ବାହାରି ଯାଇଥିଲା ଲୋକଟା । ଆଉ କେବେ ଆସିନି ।

 

ଆରତି ଦାସ ମନେମନେ ହସେ । ତା’ପରେ ଆଉ ଏକ କାହାଣୀ । ଜୀବନର ଏହି କାହାଣୀ ସହିତ ତା’ର ଯେମିତି ଯୋଗାଯୋଗ ରହିଛି ! ଘଟଣା ବୁଝିବାରେ ଦୁଇ ବର୍ଷ କଟିଗଲା । ଏହା ଭିତରେ ଖଣ୍ଡିଏ କ’ଣ ଚିଠି ଆସିଥିଲା । ଆସିଥିଲା, ତା’ନାଁରେ । ଚିଠିରେ କ’ଣ ଯେ ଲେଖାଥିଲା, ଆଜି ସୁଦ୍ଧା ସେ ଜାଣେନା । ତା’ ମା ଚିଠିଟାକୁ ପୋଡ଼ି ଦେଇଥିଲେ । ଚିଠି ଆସିବା ଖବର ଦେଇଥିଲା ସେଇ ବୁଢ଼ୀ ଚାକରାଣୀ । ଏକଥା ଜଣେଇ ଦେଇଥିଲା ଯେ ଚିଠିଟା ଆସିଥିଲା ତା’ ସ୍ୱାମୀ ପାଖରୁ ।

 

ତା’ ପରବର୍ତ୍ତୀ ସମୟର କାହାଣୀ ଆଉ ଶୁଣିବାକୁ ଇଚ୍ଛା ହୁଏନା । କିଭଳି କମଳା ଦିନୁ ଦିନ ସ୍ୱାଧୀନ ହୋଇଉଠିଲା । ନିଜ ଖୁସିରେ ସେ ଚାଲିଲା—ସେ ଅନ୍ୟ ଏକ ଜୀବନ । ମା ବାପା କିଛି କହିପାରନ୍ତି ନାହିଁ । ସେ ନିଜ ଖୁସିରେ ଚାଲେ ବୁଲେ—ନାଚେ, ଗାଏ । ଆମେଚର ଆର୍ଟିଷ୍ଟ, ଅଭିନେତ୍ରୀ ସେ । କମଳା ନାଁ ବଦଳି ହେଲା ଆରତି ଦାସ । ଯଶ ଏବଂ ଅର୍ଥରେ ବୁନିଆଦି ଗଢ଼ି ଉଠିଲା ଧୀରେ ଧୀରେ । ବହୁ ପୁରୁଷର ଆଖିରୁ ପାଣି ଗଡ଼ିଲା ତାକୁ ଭଲପାଇ କିନ୍ତୁ ସେ ଆଉ କାହାକୁ ଭଲପାଇ ପାରିଲା ନାହିଁ । ପୁରୁଷଗୁଡ଼ାଙ୍କୁ ଜଳେଇ ପୋଡ଼େଇ ଆରାମ ପାଏ ସେ । ଭାରି ଆରାମ । ଜଳାଏ ଆଉରି ହସେ ମନେମନେ ।

 

ଏ ସବୁ ଆରତି ଦାସର କାହାଣୀ । କମଳାର ନୁହେଁ ।

 

ଆଜି ବହୁକାଳପରେ ଆରତି ଦାସ ଚିଠି ପାଇଲା, କମଳାର ଚିଠି । କି ଉତ୍ତର ଦେବ ତା’ର ? ଚିଠିଟି ପୁଣି ପଢ଼େ । ‘‘ଜୀବନରେ ଅନୁଶୋଚନାର ଶେଷ ନାହିଁ । ଅପରାଧ ଯେ କରିନି–ଏଇ କଥାଟା ହିଁ ଜଣେଇ ପାରିଲି ନାହିଁ । ଏଇଟାହିଁ ମୋର ବଡ଼ ଅପରାଧ । ଆଜୀବନ ମନେମନେ ଜଳି ୟାର ପ୍ରାୟଶ୍ଚିତ କରିପାରିଲି ନାହିଁ । ଆଜି ମନେହେଉଛି ଏ ଦେହଟା ଆଉ ବେଶୀ ଦିନ ରହିବ ନାହିଁ ।’’

 

ଅଟକି ଯାଏ ଆରତି ଦାସ ।

 

ଦେହଟା ମଧ୍ୟ ବେଶୀ ଦିନ ରହିବ ନାହିଁ ? ସେଇ ଶାନ୍ତ ମଣିଷଟି । ମୁହଁ ଗୋଟାକ ସ୍ପଷ୍ଟ ମନେପଡ଼େ ।

 

ଟିକିଏ ଚଞ୍ଚଳ ହୋଇ ଉଠେ ସେ ।

 

ଗାଲରେ ହାତ ଦେଇ ବସେ । ତଳକୁ ନଇଁ ଆସି କଲମଟା ଧରେ ଉତ୍ତର ତାକୁ ଦେବାକୁ ପଡ଼ିବ । ନିଶ୍ଚୟ ଦେବ ସେ ।

 

—ଆପଣଙ୍କ ସ୍ତ୍ରୀ କମଳାର ମୃତ୍ୟୁ ହୋଇଯାଇଛି ବହୁତ ଆଗରୁ ।

 

ପୁଣି ଅଟକି ଯାଏ ଆରତି । ଆଖି ଦିଇଟା ପୋଛି ନିଏ । ପୁଣି ଲେଖେ—

 

—ଆଜି ଆରତି ଦାସଠୁ ଆପଣ କୌଣସି ସାନ୍ତ୍ୱନା ପାଇବେନି । ବୃଥା ଆଶାରେ ରହିବେନି । ନମସ୍କାର । ଇତି । ଆରତି ଦାସ ।

 

ଥରକୁ ଥର ଆଖି ଦୁଇଟାକୁ ପୋଛି ନିଏ । ବୁକୁ ଭିତରେ କୋହ ଆସେ ।

 

—ଆଉ ଠିକଣାଟି କାଲି ଲେଖିବି । ଲେଖିବାକୁ ଗଲାମାତ୍ରେ ଆଖି ବୁଜି ହୋଇ ଆସେ ଲୁହରେ ଥରକୁ ଥର ।

 

ମନେମନେ ଭାବେ—ସବୁ ଭୁଲ୍‍ । ତାରି ଭିତରେ ଏକମାତ୍ର ‘ଠିକ୍‍’ ସେଇ ମଣିଷଟା ।

☆☆☆

 

ଯବନିକା ପତନ

 

ପ୍ରଫେସନାଲ ଷ୍ଟେଜ ।

 

ନିଇତି ସିନ୍‍ ପଡ଼େ, ଉଠେ । ଆଲୁଅ ଜଳେ, ନିଭେ । ତାଳି ମାଡ଼, ଇନକୋର ଧ୍ୱନି । ଅଭିନେତା, ଅଭିନେତ୍ରୀଙ୍କ ମନରେ ଉତ୍ସାହ, ଆତ୍ମପ୍ରସାଦ ।

 

କିନ୍ତୁ ପ୍ରମ୍ପ୍‍ଟର ଗିରି ? ପ୍ରତିଦିନ ଗଡ଼ ଗଡ଼ କରି ବହି ପଢ଼ିଯାଏ । ପ୍ରଶଂସାହୀନ ନିରାନନ୍ଦ ଜୀବନ ତା’ର ।

 

X X X

 

ମସ୍ତବଡ଼ ଗୋଟିଏ ହାଇମାରି ଡାକ ଛାଡ଼ିଲା ଗିରି—ଆରେ କହ୍ନେଇ ! ବିଡ଼ି ଗୋଟାଏ ଦେ’ରେ, ଆଖି ଦିଇଟା ମାଡ଼ି ମାଡ଼ି ଆସୁଚି ।

 

ଧକ୍‍କା ଖାଇ କହ୍ନେଇ କ’ଣ ଗୁଡ଼ାଏ ବକର ବକର ହୋଇ ବଢ଼େଇ ଦେଲା ହାତଟା—ନେ । ଖାଲି ବିଡ଼ି, ବିଡ଼ି, ବିଡ଼ି ! ତୁ ସିନା ଗିରି ଭାଇ ବସି ବସି ପାର୍ଟ କେଇଟା ବୋଲି ଦେଇ ଯାଉଚୁ କିନ୍ତୁ ଆମର କେତେ ଝିଂଝଟ । କ’ଣ ବୁଝୁଚୁ ? କି ଖଟଣିରେ ବାପ ! ଉଠ୍‍ ବସ କରି କରି ନିଦ ଫିଦ ସବୁ ସେଇ ସୁଇଚ ଟିପାରେ !

 

ବିଡ଼ିଟା ଲଗାଇ ଗିରି କହିଲା, ‘‘ସତ କହୁଚୁ କହ୍ନେଇ ! ଆମେ ଆଉ ଆକ୍ଟ କରୁନା । ଆମ ଲାଗି ଚାହା ନାହିଁ କିନ୍ତୁ ଖଟଣି ଚାରିଗୁଣ । ଖାଲି ଦୁଃଖ ଲାଗେ କି ଦିନେ ହେଲେ ଆମର ନାଁ ସୁଦ୍ଧା କେହି ଜାଣିଲେନି । କେଡ଼େ ହତଭାଗା ଆମେ ।’’

 

‘‘କିନ୍ତୁ ଜାଣୁ ଗିରି ଭାଇ, ମୁଁ ଯଦି ଲାଇଟ ନ ଦିଏ, ସବୁ ମର୍ଡ଼ର । ଅଥଚ ଦିନେ ଜର ହେଲା ବୋଲି ଦରମାକାଟ—ବଦମାସ ମାନେଜର ।’’

 

‘‘ଦିନେ ଦିନେ ଭାବେ, କାମ ଛାଡ଼ିଦେବି’’ ଗିରି ବୁଝାଏ କହ୍ନେଇକି । ‘‘କିନ୍ତୁ ଭାବେ, ମୁଁ ଅଛି ବୋଲି ସିନା ବାବୁମାନେ ଗଡ଼ ଗଡ଼ ପାର୍ଟ କହିଯାଉଛନ୍ତି, ନଚେତ୍‍ ପାଟିଫିଟନ୍ତାନି । ମୁଖସ୍ଥ କରିବା କ’ଣ ସହଜ ବ୍ୟାପାର ? କେତେ ଆସିଲେଣି, କେତେ ଗଲେଣି କିନ୍ତୁ ମୁଁ ଅଛି । କାହିଁକି କେଜାଣି ଗୋଟାଏ ମୋହ ମାୟା ଲାଗିଯାଇଚି ଏହି ପେଣ୍ଡାଲଟାକୁ । ଭାବୁଚି କିନ୍ତୁ ଛାଡ଼ି ପାରୁନି ।

 

କହ୍ନେଇ କିନ୍ତୁ ବୁଝେନା । ଚରମ ତିକ୍ତତାରେ ତା’ର କଣ୍ଠ ଫେଣେଇ ଯାଏ—‘‘ରଖ ତୋ ମୋହ ମାୟାକୁ—ପେଟ ଶୁଖିଲା । ଇଆଡ଼େ ମାୟା ଦେଖଉଚି, ମାୟା ।’’

 

ଗିରି ଟିକିଏ ପାଖକୁ ଲାଗିଆସେ କହ୍ନେଇର । ଆନ୍ତରିକ ସ୍ୱରରେ କହେ, ‘‘ଜାଣିଚୁ କହ୍ନେଇ, ମାନେଜର ସାହେବ ସେଦିନ କହିଲେ—ଆରେ ଗିରି, ତୁ ନଥିଲେ କ’ଣ ପ୍ଲେ ଜମନ୍ତା ? ହିରୋ, ହିରୋଇନ ପାର୍ଟ କରିପାରନ୍ତେନି, ପଦେବି ଆଗେଇ ପାରନ୍ତେନି । ତୋତେ ଆମର ବେଷ୍ଟ ପ୍ରମ୍ପଟର ଲାଗି ଗୋଟିଏ ମେଡ଼େଲର ଯୋଗାଡ଼ କରୁଚି, ଶୀଘ୍ର ପାଇବୁ । ଏଇ ସାର୍ଟିଫିକେଟ ଲାଗି ଚାକିରି ଛାଡ଼ିପାରୁନି, ବୁଝିଲୁ କହ୍ନେଇ ।’’

 

କହ୍ନେଇ କହେ, ‘‘କୋଉ ଯୁଗରେ ଟିକିଏ ଘିଅ ଖାଇଥିଲୁ ଯେ ଖାଲି ସେଇ ଗନ୍ଧ ?’’

 

X X X

 

ଇଣ୍ଟର୍‍ଭାଲ ଶେଷ ହେବାର ସଙ୍କେତ ଧ୍ୱନି ଶୁଭେ । ଗିରି ଷ୍ଟଲ ଛାଡ଼ି ଠିଆହୁଏ । ଲକ୍ଷ୍ମଣ ଭୂମିକାରେ ବନମାଳୀ ଯେପରି ଭିତରକୁ ପଶୁ ପଶୁ ଗିରି ପାଖରେ ଆସି ଠିଆହେଲା । ବିନମ୍ର ସ୍ୱରରେ କହିଲା, ‘‘ଗିରିଭାଇ ! ଆଜି ଟିକିଏ ଜୋରରେ— । ନିଶା ଜୋରରେ ମୁଣ୍ଡଟା ଟିକିଏ କିମିତି କିମିତି ଘୂରାଉଚି !’’

 

ସୀତାବେଶିନୀ ରୁକ୍ମିଣୀ ରଙ୍ଗିମ ଭ୍ରୂ ତୋଳି ହସିବାକୁ ଆରମ୍ଭ କଲା ‘‘ଏତେ ଟିକକରେ ଏତେ ନିଶା ।’’

 

ବନମାଳୀ ରୁକ୍ମିଣୀ ଆଡ଼ିକି ଟିକିଏ ଅନେଇ ଦେଇ ଷ୍ଟେଜ୍‍ ଭିତରକୁ ପଶି ଆସିଲା । ଫୁଟ୍‍ ଲାଇଟଗୁଡ଼ିକ ଜଳିଉଠିଲା । ଦୁଇ ପାଖରୁ ସବୁଜ ଫେଡ଼ ଲାଇଟର ସୁଇଚ ଦେଲା କହ୍ନେଇ । ଗିରି ପ୍ରମ୍ପ୍‍ଟ କରିବାକୁ ଆରମ୍ଭ କଲା—‘‘ଭଦ୍ରେ...’’

 

ଲକ୍ଷ୍ମଣ ଅଭିନୟ କରୁଚି । ଅତିରିକ୍ତ ନିଶାରେ ତା’ ଗୋଡ଼ ପଡ଼ୁଚି ନାନା ଭଙ୍ଗୀରେ । ରକ୍ତାଭ ଚକ୍ଷୁ । ଗିରି ସତର୍କରେ ପ୍ରମ୍ପ୍‍ଟ କରି ଚାଲିଚି ଲକ୍ଷ୍ମଣର କହିବା ଭଙ୍ଗୀ ଅନୁଯାୟୀ । ନିଜେ ଉଇଙ୍ଗ ଭିତରେ ଘୂରି ଘୂରି ଖୁବ୍‍ ବଡ଼ ପାଟିରେ ପାର୍ଟ କହି ଚାଲିଲା ସେ । ଆବେଗମୟ ଉକ୍ତିରେ ତା’ ଗଳା ବାଷ୍ପରୁଦ୍ଧ ହୋଇ ଆସୁଥାଏ । ଏହିଭଳି କରି କରି ନେପଥ୍ୟରୁ ପାଦପ୍ରଦୀପ ସାମନାରେ ବାହାବା ପାଇବାର ସୁଯୋଗ କରିଦେଲା ସେ ଲକ୍ଷ୍ମଣର ।

 

କିନ୍ତୁ ହଠାତ୍‍ ଗୋଟିଏ ଜାଗାରେ ତାଳ କଟିଗଲା ସୀତାର । ପାର୍ଟ ଭୁଲିଯାଇଚି ।

 

ଟିକିଏ ଘୁଞ୍ଚି ଆସିଲା ଉଇଙ୍ଗ ପାଖକୁ । କାନ୍ଦର ଛଳନାକରି ଠିଆହୋଇ ଶୁଣିନେଲା ସଂଳାପ ଧାଡ଼ିଟା । ତା’ପରେ ଜୋରରେ ଅଭିନୟ ସହ ପାର୍ଟ କଲା ସୀତା ।

 

ରାତି ଦୁଇଟାରେ ଖେଳ ଶେଷକରି ଠିଆ ହେଲା ଗିରି । ଏତେ ସମୟ ଧରି ଅବିଚ୍ଛିନ୍ନ ପ୍ରମ୍ପ୍‍ଟିଂ କରି କରି ଗଳାଟା ଶୁଖି ଆସିଥିଲା ଗିରିର । ମୁଣ୍ଡରେ ଅନିଦ୍ରାର କ୍ଳାନ୍ତି । ପ୍ରଥମେ ପ୍ରଥମେ ଏହି ପ୍ରମ୍ପ୍‍ଟର ଚାକିରିଟା ବଡ଼ କଷ୍ଟବୋଧ ହେଉଥିଲା ଗିରିର । ଥିଏଟରର ଆଲୋକଗୁଡ଼ାକ ରାତି ଗୋଟାକ ଯାକ ଦପ୍‍ ଦପ୍‍ କରି ଭାସିଆସେ । ଉଇଙ୍ଗର ରୁଦ୍ଧ ପରିସର ଆଉ ଥିଏଟରର କ୍ଳେଦାକ୍ତ ଆବହାଓ୍ୟାରେ ତା’ ମନ ବଡ଼ ବିରକ୍ତ ହୋଇପଡ଼େ । ସେତେବେଳେ ନିଦ ଆଉ ଶ୍ରାନ୍ତି ଏଡ଼ିବାଲାଗି ପାନ ବିଡ଼ି ଛାଡ଼ି ସେ ଧରିଥିଲା ପିକା । ଇମିତି ତା’ର ଅଭ୍ୟାସ ହୋଇଯାଇଚି କେତେଦିନ ଧରି । ସ୍ତିମିତ ଆଲୋକଗୁଡ଼ାକ ଆଖିକୁ ତା’ର ନିରର୍ଥକ ଭାବରେ ପୀଡ଼ିତ କରିବା ହେତୁ ସମୟେ ସମୟେ ସ୍ପଷ୍ଟ ଭାବରେ ଦେଖିପାରେନା ଅକ୍ଷରଗୁଡ଼ାକୁ । ଅନେକ ପାର୍ଟ ମୁଖସ୍ଥ ହୋଇଯାଇଚି ତା’ର । ଠିକ୍‍ ସମୟରେ ବଡ଼ ବଡ଼ ସ୍ପିଚଗୁଡ଼ିକ ବିଖ୍ୟାତ ଅଭିନେତାଙ୍କ ଭଳି ଯାନ୍ତ୍ରିକ ଅଭ୍ୟାସରେ ଗାଇଚାଲେ ଗିରି । ଥିଏଟରର ଆଲୁଅ ତା’ର ସ୍ନାୟକୁ ଆଉ ଅନାବଶ୍ୟକ ଭାବରେ ଉତ୍ତେଜିତ କରେନା । ତେବେ ଥିଏଟର ସାରି ଫେରିବାବେଳେ ତା’ର ଆଖି ପୋଡ଼ିଉଠେ । ପାଟିରୁ କଥା ବାହାରେନା । ତେବେ ଗିରିକୁ ସେସବୁ ବେଶୀ ଆଉ ଖରାପ ଲାଗେନା । ଥିଏଟର ଘରର ଆଲୁଅ, ଜନତା, ନଟ ଆଉ ନଟୀ ସମସ୍ତଙ୍କ ମିଶ୍ରଣରେ ଗୋଟାଏ ମୃଦୁ ଶିହରଣ ତା’ର ସ୍ନାୟୁଗୁଡ଼ାକୁ ଧନୁର ଗୁଣ ପରି ଟାଣି ରଖେ । ନିଜକୁ ଅକସ୍ମାତ ଦରକାରୀ ମନେକରେ ସେ—ଯେମିତି ସମ୍ପୂର୍ଣ୍ଣ ଥିଏଟରର ଏକକ ଅଭିନେତା ସେ ।

 

ରାତି ତିନିଟାରେ ଘରକୁ ଫେରେ । ଅପଶୋଷ ହୁଏ ତା’ର ଆଉ ଦିଇଟା ଘଣ୍ଟା ହେଲେ ରାତିଟା ଅପେକ୍ଷା କରନ୍ତା । ଏହିକ୍ଷଣି ରାତି ପାହି ଆସିବ । ଏହି ମଧ୍ୟଯାମ ଆଉ ଶେଷ ପ୍ରହରର ଅବଶିଷ୍ଟାଂଶରେ ଆଉ ଲିଲିକି ଧରି ଗିରି କେତେ ସମୟ ବା ଶୋଇବ ?

 

ଅଧିକାଂଶ ରାତିରେ ଲିଲି ଶୋଇ ପଡ଼ିଥାଏ, ସଉପ ଉପରେ ଆଲୁଳାୟିତ, ଅନବଧାନ ସୌନ୍ଦର୍ଯ୍ୟକୁ ଦେଖି କେତେ ଯେ ଭଲନଲାଗେ ଗିରିକି । କିନ୍ତୁ ଶିକୁଳି ଖଡ଼ ଖଡ଼ ହେଲା ମାତ୍ରେ ଲିଲି ନିଜକୁ ସଜାଡ଼ି ନେଇ ବସେ, ତା’ପରେ ଯାଇ ଦୁଆର ଖୋଲେ । ଏପରିକି ଓଢ଼ଣା ଟାଣି ଯିବାକୁ ଭୁଲେନା ସେ ।

 

‘‘ଶୋଇ ପଡ଼ିଥିଲୁ?’’ ପ୍ରଲୁବ୍‍ଧ ଆଖିରେ ଅନାବୃତ ଅଂଶ ଟିକକୁ ଅନେଇଁ ପ୍ରଶ୍ନ କରେ ଗିରି ।

 

ମଣି ସ୍ୱୀକାର କରିବାକୁ ଲଜ୍ଜାବୋଧ କରେ—ଲଜ୍ଜିତ ହସରେ ମୁଣ୍ଡ ମାଡ଼ି କହେ–‘‘ଆଉ କ’ଣ କରନ୍ତି ?’’

 

—କାହିଁକି ପ୍ରଥମେ ପ୍ରଥମେ ଯେମିତି ମୋର ବାଟ ଚାହିଁ ବସୁଥିଲୁ, ସେମିତି ରହୁନୁ । ଗିରି ଜାମା କାଢ଼ୁ କାଢ଼ୁ ଥଟ୍ଟା କରି କହେ ।

 

ଆଉ ସେଇ ନବବିବାହର ଉଚ୍ଛ୍ୱାସ ସ୍ମରଣ କରେଇଦେଲା ମାତ୍ରେ ଲିଲିର ଆପାଦମସ୍ତକ ଲାଲ ହୋଇ ଉଠେ । ‘‘କ’ଣ ଯେ ଗୁଡ଼ାଏ କୁହ, ଅସଭ୍ୟ !’’

 

ତା’ପରେ ଗିରି ଖାଇ ବସେ । ପାଖରେ ଖାଇବା ଦେଖେ ଲିଲି । ଆଗେ ଗିରି ଖାଇଲେ ଯାଇ ସିଏ ଖାଉଥିଲା । ବିବାହ ପରେ ପ୍ରଥମ ଦୁଇମାସ ପ୍ରୋଷିତ-ଭର୍ତ୍ତୃକା ଭଳି ବାଟକୁ ଅନେଇଁ ବସିଥାଏ ଲିଲି । କିନ୍ତୁ ଏବେ ଗିରି କହିଦେଇଥାଏ ଆଗରୁ ଖାଇନେବା ପାଇଁ—ତୋର ତ ଅଭ୍ୟାସ ନାହିଁ, କାମ ନାହିଁ, ବସି ରହିବୁ କାହିଁକି ?

 

ଲିଲିର ମନ ମାନେନା । ଶାନ୍ତ ନିବିଡ଼ ଆଖି ଦିଇଟାକୁ ନୁଆଁଇ କହେ—ମୁଁ ଖାଇବି, ଆଗରୁ ? ପାପ ହେବ ।

 

ଗିରି ମନରେ କଷ୍ଟ ହୁଏ, କହେ...‘‘ମୋ ସୁନାଟା, ତୋର କଷ୍ଟ ହେଲେ, ମତେ ଭାରି କଷ୍ଟ ଲାଗେ ଲୋ ।’’

 

ଲୋକେ କହନ୍ତି ଗିରି ଲିଲିକି ଅତିରିକ୍ତ ଭଲପାଏ, ଅତିରିକ୍ତ ପ୍ରଶ୍ରୟ ଦିଏ କିନ୍ତୁ ଖିଆ ପିଆ ଶେଷ କରି ଶେଯ ଉପରେ ପଡ଼ିଯିବା ମାତ୍ରେ ଲିଲିର ଅତଳ ଆଖି ଦିଇଟାକୁ ଅନେଇ ଗିରିର ମନେହୁଏ—ଏ ଆଖିର ନିବିଡ଼ ମମତାକୁ କେତେ ଯେ ସେ ଭଲପାଏ, ତା’ର ପ୍ରତିଦାନ କେତେ ବା ସେ ଦେଇପାରେ ?

 

ଲିଲି ବିଛଣା ପାଖରେ ଆସି ବସେ—ତା’ପରେ ଲାଜ ଲାଜ ସ୍ୱରରେ କହେ, ‘‘ଆଜି କି ପାଲା ହେଲା ?’’

 

ଲିଲିର କପୋତ-କୋମଳ ହାତଟାକୁ କପାଳରେ ରଖି ଗିରି କହେ, ‘‘ଆଜି ଗୋଟାଏ ଚମତ୍କାର ନାଟକ ହେଲା । ‘ସୀତା’ ଦେଖିଚୁ କେବେ ?’’

 

ଲିଲି ମୁଣ୍ଡକୁ ନାଡ଼େ । ତା’ପରେ କହେ, ‘‘ଆଜି ଦେଖେଇବନି ?’’

 

ଚଟକିନି ଉଠି ଠିଆ ହୁଏ ଗିରି । ନିଇତି ତାକୁ ଏଇ ପ୍ରଶ୍ନ । ଲିଲି ଆଡ଼ିକି ଅନେଇ କହିଲା—କୋଉ ଦୃଶ୍ୟଟା କହିବି କହ ? ଦୁର୍ମୁଖ ଆସି ଯେତେବେଳେ ସୀତାକୁ ନିର୍ବାସିତା କରିବାକୁ କହୁଚି, ରାମଙ୍କର ସେତେବେଳକାର ପାର୍ଟଟା ? ନା ଲକ୍ଷ୍ମଣର ସୀତା ବିସର୍ଜନ ?

 

ଲିଲି ଅଳ୍ପ ହସି ଲାବଣ୍ୟମୟୀ ଓଠ ଖୋଲି କହେ—ରାମଚନ୍ଦ୍ରଟା କର ।

 

ଗଳାଟା ପ୍ରମ୍ପ୍‍ଟିଂ କରି କରି ଯେମିତି ଚିରି ଯାଇଚି—ତଥାପି ସମସ୍ତ ଶ୍ରାନ୍ତିକି ଫୋପାଡ଼ି ଗିରି ଠିକ୍‍ ରାମଚନ୍ଦ୍ର ଭଙ୍ଗୀରେ ହଠାତ୍‍ ସିଂହାସନ ଛାଡ଼ି ଆସି ଠିଆ ହୁଏ—ନିଦାରୁଣ ଦୁଃଖିତ କଣ୍ଠରେ ଅସୀମ ଦରଦ ଫୁଟେଇ କହେ,—‘‘ଦୁର୍ମୁଖ ! ଦୁର୍ମୁଖ !

 

ଶୁଣି ଶୁଣି ଉତ୍ତେଜନାରେ ଲିଲିର ନାକପୁଡ଼ା ଫୁଲିଉଠେ—ଆବେଗ ବିସ୍ଫାରିତ ଗିରିକୁ ଦେଖି ମନେହୁଏ ଯେମିତି ଲିଲିକି ନିର୍ବାସନ ଦଣ୍ଡ ଦେବାଲାଗି ମର୍ମନ୍ତୁଦ କ୍ଷୋଭରେ ଗିରି ଉନ୍ମାଦ କ୍ରନ୍ଦନରେ ଭାଜି ପଡ଼ିବ ଏହିକ୍ଷଣି । ଦୁଇ ଆଖିର ପତାରେ ଭାଷାତୀତ ମମତାକୁ ପ୍ରକାଶ କରେ ଲିଲି । ଦୁଃସହ ବ୍ୟଥାରେ ରାମଚନ୍ଦ୍ର ରାମ୍ପୁଡ଼ି ବିଦାରି ହୁଅନ୍ତି । ପରେ ପରେ ରାଜମର୍ଯ୍ୟାଦାର ପୁଞ୍ଜିତ ଅସହାୟତା ଓ ଅକ୍ଷମତାରେ ସିଂହାସନରେ ମୁହଁକୁ ଗୁଞ୍ଜି ବସିପଡ଼ନ୍ତି ରାମଚନ୍ଦ୍ର ।

 

ପାର୍ଟ ଶେଷକରି ଭଗ୍ନପକ୍ଷ ଶ୍ରାନ୍ତ ବିହଙ୍ଗ ଭଳି ଗିରି ଲିଲିର ବୁକୁରେ ଆଶ୍ରୟ ନିଏ । ଖୁବ୍‍ ଦରଦ ଓ ବେଦନା ଟାଣି ଲିଲି ତା’ର ମୁଣ୍ଡରେ ହାତ ବୁଲାଏ, ତା’ପରେ ନରମ ଆଉ ତପ୍ତ କରି ତୋଳେ ତା’ ଶରୀରର ସମସ୍ତ ପେଶୀ । ସମୟେ ସମୟେ ଅନ୍ଧକାର ଭିତରେ ଗିରି ବୁକୁ ଭିତରେ ମୁହଁକୁ ଗୁଞ୍ଜି କହେ ଲିଲି,—‘‘ତୁମେ କାହିଁକି ନିଜେ ପାର୍ଟ କରନା ?’’

 

ଶୁଣି ଗିରିର ବୁକୁ ଭରି ଉଠେ, ଲିଲିର ମୁହଁଟିକି ନିଜର ମୁହଁ ଆଡ଼ିକି ଜୋରରେ ଟାଣି ଆଣି ସେ କହେ,—‘‘ମୁଁ ? ଦେଖୁଚୁ ତ ମୋର ଏଇ କନ୍ଦର୍ପକାନ୍ତି, ତଥାପି କହୁଚୁ ନା କ’ଣ ମୁଁ ପାର୍ଟ କରିବି ?’’

 

ଲିଲି ରାଗରେ କହେ,—‘‘ତୁମେ କ’ଣ ଦେଖିବାକୁ ଖରାପ ? କିଏ କହୁଚି ? ଟିକିଏ ସାଜସୁଜି ହୋଇ ବାହାରିଲେ, ତୁମେ ଯେ ସୁନ୍ଦର ଦେଖାଯାଅ ! ସତେ ମ—ତୁମେ କାହିଁକି ପାର୍ଟ କରୁନା ? ତୁମେ ତ ବହୁତ ଭଲ କରିବ, ରାମଚନ୍ଦ୍ରଠୁ ବଳି ଆହୁରି ଭଲ ।’’

 

ଗିରି କିଛି ସମୟ ଚୁପ୍‍ ରହିଲା । ଏ ସ୍ୱପ୍ନ ସେ ବି ଦେଖେ । ନେପଥ୍ୟର ଛାୟାଲୋକରେ ନିର୍ବାସିତ ପ୍ରମ୍ପ୍‍ଟର୍‍ର ଇଚ୍ଛାହୁଏ ରଙ୍ଗମଞ୍ଚର ନିହାରିକା ଆଲୋକରେ ଉଦ୍‍ଭାସିତ ହେବାକୁ । କାରଣ ସେ ଭଲ କରି ଜାଣେ, ଏହି ମାତାଲ ବନମାଳୀଟା ଅପେକ୍ଷା, ଏଇ ଅହଙ୍କାରୀ ଉମାଠୁଁ ସେ ବହୁଗୁଣରେ ଭଲ ପାର୍ଟ କରେ । ଗିରି ପାର୍ଟର ଅର୍ଥ ବୁଝେ । ତା’ର ଉଚ୍ଚାରଣ ଜଡ଼ତାହୀନ, ସୁସ୍ପଷ୍ଟ । ତାରି ଭିତରେ ପ୍ରକୃତରେ ଅଭିନୟ ପ୍ରତିଭା ରହିଛି । ଏକଥା ପ୍ରତିଦିନ ଅନୁତାପ କରେ ଗିରି । କିନ୍ତୁ ଏହି ସ୍ୱପ୍ନକୁ ସାର୍ଥକ କରିବାର ଉପାୟ ନାହିଁ ତା’ର ।

 

ମ୍ଳାନ ହସ ହସି ଗିରି କହେ—‘‘ମତେ ବା କାହିଁକି ସେମାନେ ପାର୍ଟ ଦେବେ ?’’

 

ଲିଲି ପ୍ରତିବାଦ କରେ—‘‘କାହିଁକି ଦେବେନି । ତୁମେ ଥରେ ମାନେଜର ପାଖରେ ପାର୍ଟ କରି ଦେଖାଅନା ।’’

 

କିନ୍ତୁ ଗିରିତ ଲିଲିଭଳି ପାଗଳୀ ନୁହେଁ । ତେଣୁ ସେ ଲିଲିର ଆଖି ଦିଇଟାକୁ ଚାହିଁ ଖାଲି ହସେ । କହେ—‘‘ମୋର ଦିନ ସରୁନି, ମାନେଜରକୁ ଦେଖେଇବାକୁ ? ସେ ଶଳାଟା କ’ଣ ବୁଝେ । ବହି ପଢ଼େ ନା, କିଏ କ’ଣ ଆକ୍‍ଟିଂ କରେ ଜାଣେ ? ଥାଉ କେବଳ ମୋର ଲିଲିକିଳୀକି ପାର୍ଟ କରି ଦେଖେଇବି । କେବଳ ତୁ ଆଉ ମୁଁ ଦେଖିବା ଆମର ଥିଏଟର ! କିମିତି ?’’ ସୋହାଗ ଆଉ ସହାନୁଭୂତିରେ ଲିଲି କିଛିକ୍ଷଣ ଆଖି ବୁଜି ଆବିଷ୍ଟ ହୋଇ ରହେ, ତା’ପରେ ଦୁଇହାତରେ ଗିରିର କଣ୍ଠ ବେଷ୍ଟନ କରି ଅତି ଘନିଷ୍ଠ ହୋଇ ଆସେ ସେ । କାନେ କାନେ କହେ ‘‘ଭାରି ଭଲ ହେବ ।’’

 

କଥାଟାକୁ କିନ୍ତୁ ଗିରି ଭୁଲି ଯାଏନା । ଥରେ ଥରେ ଭ୍ରମରର ଗୁଞ୍ଜନ ଭଳି ସେଇ ଆଶା, ସେଇ ପ୍ରାର୍ଥନା ଧ୍ୱନିତ ହୁଏ । ଷ୍ଟେଜ ଉପରେ ରାମଚନ୍ଦ୍ର ଭୂମିକାରେ ନିଜକୁ କଳ୍ପନା କରି ଦେଖିଲା ସେ, ଭାରି ଭଲ ଦେଖା ଯାଉଚି—ଦର୍ପଣରେ ଥରକୁ ଥର ମୁହଁଟାକୁ ଦେଖେ । ଟିକିଏ ଗାଲ ପଶିଯାଇଚି ସିନା, ବେଶ୍‍ ବଳିଷ୍ଠ ଚେହେରା । ଆଖି ଦୁଇଟା ବଡ଼ ବଡ଼ । କିନ୍ତୁ ଆଖି ତଳେ ଗଭୀର ଦୁଃଶ୍ଚିନ୍ତାର କାଳିମା । ଓଠ ଦିଇଟା ଟିକିଏ ପଶି ପଶି ଯାଇଚି ସିନା, ମେକଶରେ କ’ଣ ସଜାଡ଼ି ହୋଇ ଯିବନି ?

 

ତା’ ଆରଦିନ କହ୍ନେଇକି କହେ; ‘‘ଆରେ କହ୍ନେଇ । ତୋ ଭାଉଜ ବଡ଼ ମଉଜିଆ କଥାଟାଏ କାଲି କହିଲା ରେ ।’’

 

କହ୍ନେଇ ଉତ୍‍କର୍ଣ୍ଣ ହୋଇ ଉଠେ ।

 

‘‘ମୁଁ କାଲି ଘରେ ତାକୁ ପାର୍ଟ କରି ଦେଖଉଥିଲି । ପାର୍ଟ ଦେଖି କ’ଣ ନା—ତୁମେ କାହିଁକି ରଙ୍ଗମଞ୍ଚରେ ଅଭିନେତା ସାଜି ଠିଆ ହେଉନା ?’’

 

କହ୍ନେଇ କିଛିସମୟ ଏକାଗ୍ର ଦୃଷ୍ଟିରେ ଚାହିଁରହିଲା ଗିରିକି । ତା’ପରେ ହସି ହସି ଲୋଟି ପଡ଼ିଲା ତଳେ—‘‘କ’ଣ କହିଲୁ ଗିରିଭାଇ ! —ତୁ ରାମଚନ୍ଦ୍ରର ପାର୍ଟ କରିବୁ ? ତାହାହେଲେ କିଏ କ’ଣ ଥିଏଟର ଦେଖିବା ପାଇଁ ଆସିବେ ଭାବିଚୁ ?’’

 

ଗିରି ଯେମିତି ଗମ୍ଭୀର ହୋଇଉଠିଲା । ତା’ପରେ ଶାନ୍ତସ୍ୱରରେ କହିଲା, ‘‘ଚେହେରା ଥିଲେ ତ ଚଳିବନି, ପାର୍ଟ କରିବାପାଇଁ କେତେ କଥା ଦରକାର ।’’

 

କହ୍ନେଇ କିନ୍ତୁ ହସି ଚାଲିଥାଏ—‘‘ଆରେ ଭାଇ ପାଖରେ ଗୁଣୁ ଗୁଣୁ କରିଲେ ପାର୍ଟ ହୋଇ ଯାଏନାରେ । ଭାଉଜ କଥାରେ ତୋ ମୁଣ୍ଡୁଟା ବିଗିଡ଼ି ଯାଇଚି ଦେଖୁଚି ।’’

 

ଆହତ ଗଳାରେ ଗିରି କହିଲା—‘‘ଅନେକେ ଅନେକ କଥା କରିପାରନ୍ତି । ମୁଁ କୁଠି କିଛି ସୁଯୋଗ ପାଇନି ବୋଲି ସିନା, ନଇଲେ ପାର୍ଟ କରିବାଟା କ’ଣ କଠିନ ?’’

 

ପାଖରେ ଯାଉ ଯାଉ ରୁକ୍ମିଣୀ କହିଲା—‘‘କିହୋ ଗିରିଭାଇ ! ପାର୍ଟ କରିବ ?’’

 

କହ୍ନେଇ ଉତ୍ତର ଦେଲା—‘‘ଗିରିଭାଇର ସଉକ ହୋଇଚି, ଥରେ ସେ ହନୁମାନ ସାଜି ବାହାରିବ, ଆଉ ତୁମେ ହେବ ସୂର୍ପଣଖା ।’’

 

ରୁକ୍ମିଣୀ ଢଗ ମାରେ—ବୁଢ଼ା ବଅସରେ ସଉକ ? —କହି କହି ହସରେ ଭାଜି ପଡ଼େ ରୁକ୍ମିଣୀ ।

 

ଗିରି ସ୍ତବ୍‍ଧ ଚିତ୍ତରେ ଠିଆହୋଇ ରହିଲା । ଶାନ୍ତ ଶୀତଳ ମୁହଁଟା ଉପରେ ଯେମିତି ଗୋଟାଏ ଆଗ୍ନେୟଗିରି ଭାଜି ପଡ଼ିଲା, ଏହି ମୁହୂର୍ତ୍ତକରେ ।

 

ବେଲ୍‍ ବାଜିଲା, ସୋ ଆରମ୍ଭ ହେବ । ବହିଟାକୁ ଧରି ଠିଆହେଲା ଗିରି, ଉଇଙ୍ଗ ପାଖରେ ।

 

X X X

 

ଘରକୁ ଫେରିବା ପରେ ଗିରିର ବିଷଣ୍ଣ ମୁହଁଟାକୁ ଦେଖି ଅଧୀର ହୋଇଉଠିଲା ଲିଲି–କିହୋ କହୁନା କ’ଣ ହୋଇଚି ତମର ?

 

ଗିରି ଓଠକୁ କାମୁଡ଼ି କହିଲା—‘‘କାହିଁ କିଛି ହୋଇନିତ । ଥିଏଟର ଦେଖିବୁ ?’’

 

—ଆଗ ଖାଅ, ପରେ ଥିଏଟର ଫିଏଟର ।

 

—ନା ଆଗେ ଦେଖ । ଗିରି ସାର୍ଟଟା ନକାଢ଼ି ମଧ୍ୟ କହିଲା, କିନ୍ତୁ ଆଜି ଥିଏଟର ଦେଖି, କହିବୁ କିମିତି ଲାଗିଲା । ମିଛ ମିଛରେ କହିବୁନି । ଲିଲି ଆଶଙ୍କିତ ବ୍ୟଥିତ ଚିତ୍ତରେ ଚାହିଁ ରହିଲା ଗିରିକି ।

 

ଏକ ସାମାଜିକ ନାଟକର ଶେଷ ଦୃଶ୍ୟ । ମଦ୍ୟପ ନାୟକ ଭୂମିକାରେ ମର୍ମନ୍ତୁଦ ବେଦନା ନିହିତ କଲମ୍ୱିତ ଅନୁତାପ । ଗିରି ଅତି ନିପୁଣତା ସହକାରେ ଅଭିନୟ କରି ଦେଖେଇ ଦେଲା—ତା’ର ଆହତ ଆତ୍ମମର୍ଯ୍ୟାଦା ଯେମିତି ଏଇ ଏକମାତ୍ର ଅଭିନୟରେ ମୁଖର ହୋଇଉଠିଲା-। ଏଇମିତି ଅନବଦ୍ୟ ଅଭିନୟ କେବେ କରିନଥିଲା ଗିରି । ପାର୍ଟ ଶେଷ କରି ପୂର୍ବଦିନ ପରି ଗିରି ଲିଲି ବୁକୁରେ ଆଶ୍ରୟ ନେବାକୁ ଛୁଟି ଆସିଲାନି, ଚାହିଁ ରହିଲା ଖାଲି ଲିଲିର ମତାମତ ପାଇଁ-

 

ଲିଲି ଆଖିରୁ ଝର ଝର ହୋଇ ଲୁହ ଝରି ପଡ଼ୁଥାଏ । ୟାରି ଭିତରେ ଅହଂକାର, ଆନନ୍ଦ ଯେମିତି ଭାସି ଚାଲିଚି ମହାଦ୍ରୁମ ଭଳି । ତା’ର ହର୍ଷ, ପ୍ରୀତି, ଗୌରବରେ, ବିସ୍ଫାରିତ ଚକ୍ଷୁର ଅଭିନନ୍ଦନରେ ଗିରିର ବିଷଣ୍ଣତା କ୍ରମଶଃ ଲିଭି ଲିଭି ଆସିଲା । ହସି ହସି କହିଲା—‘‘କ’ଣ କହିବି ଲିଲି ! ଏମାନେ ଯଦି ମତେ ପାର୍ଟ କରିବାକୁ ଦିଅନ୍ତେ, ଆଉ ତୁ ଯଦି ଦର୍ଶକ ହୋଇ ବସି ଥାଆନ୍ତୁ ଆଗରେ, ତାହାହେଲେ ମାତ୍‍ କରି ଦିଅନ୍ତି, ସାରା ଅର୍ଡ଼ିୟାନ୍‍ସଟା ହୁଲସ୍ତୁଲ ହୋଇ ଉଠନ୍ତା ଏକବାରେ ।’’

 

ଲିଲି କହେ—‘‘ତୁମେ ଯଦି ଥରେ ଠିଆ ହୁଅନ୍ତ, ଆଉ କ’ଣ କେହି ଟପି ପାରନ୍ତେ ତୁମକୁ ?’’

 

କୁଣ୍ଡେଇ ଧରିଲା ଗିରି ମଣିକି—‘‘ସତ କହୁଚୁ ଲିଲି ? ତତେ କ’ଣ ଏତେ ଭଲ ଲାଗିଲା-?’’

 

କିନ୍ତୁ ପରେ ପରେ ସେଇ ନୈରାଶ୍ୟ—ପ୍ରମ୍ପ୍‍ଟର୍‍କୁ କ’ଣ ସୁଯୋଗ ମିଳେ ?

 

X X X

 

ପାର୍ଟ କରୁ ବା ନ କରୁ ଥରେ ଥିଏଟର ଦେଖେଇ ଆଣିବ ଲିଲିକି—ଭାବିଲେ ଉତ୍ସାହିତ ହୋଇ ଉଠେ ଗିରି । ସେଦିନ ଗୋଟିଏ ପାସ୍‍ ଯୋଗାଡ଼ କରି ଆଣିଲା ସେ ।

 

ସନ୍ଧ୍ୟା ଆଗରୁ ଖିଆ ପିଆ ଶେଷ କରିନେଲା ମଣି । ସିନ୍ଦୁକ ଫିଟେଇ ନିଜେ ବାଛି ଆଣିଲା ଗିରି—ଗୋଟାଏ ଚଉଡ଼ା ଶାଢ଼ି—ବାଙ୍ଗଲୋର ଶାଢ଼ି । ସୀମନ୍ତରେ ସିନ୍ଦୂର ଲେପି ନିଜକୁ ସଜେଇ ଠିଆ ହେଲା ଲିଲି । ପଚାରିଲା ‘‘ଦେଖିଲ ହେଇଚି ?’’

 

ମ୍ଳାନ ଲଣ୍ଠନ୍‍ର କ୍ଷୀଣ ଆଲୋକରେ ସେଇ ପ୍ରସ୍ଫୁଟିତ ଉଲ୍ଲସିତ ବଧୂର ମୁହଁଟିକି ଅପଲକ ନେତ୍ରରେ ଚାହିଁ ରହିଲା ଗିରି—କି ସୁନ୍ଦର ଦେଖାଯାଉଚି ଲିଲି ! କି ଅସୀମ ସୌଭାଗ୍ୟ ଦେଇ ସେ ଦାବି କରିବ ଏଇ ପ୍ରେମର କଜଳ ଲେପା ଅବଗାଢ଼ ନୟନ ଦୁଇଟିର ଅଧିକାର ?

 

ଥିଏଟରରେ ବେଶ୍‍ ଖାତିରି ମିଳିଲା ଲିଲିଙ୍କି । ରୁକ୍ମିଣୀ ନିଜେ ଆସି ହାତ ଟାଣିନେଇ ବସେଇ ଦେଇ ଆସିଲା ଅଡ଼ିଟୋରିୟମରେ ।

 

ନାଟକ ହୋବାକୁ ଅନେକ ସମୟ ବାକି । ଟିକିଏ ଚଞ୍ଚଳ ଆସି ଯାଇଚନ୍ତି ଏମାନେ । ବହିଟାକୁ ହାତରେ ଧରି ଢୋଳେଇ ପଡ଼ିଲା ଗିରି ।

 

ଏପଟେ ଏକ ମୃଦୁ ଗୋଳମାଳ । ତ୍ରସ୍ତ ପଦକ୍ଷେପ । ଭିତରକୁ ପଶି ଆସିଲେ ମ୍ୟାନେଜର ବାବୁ । ବ୍ୟସ୍ତ ହୋଇ ଠିଆହେଲା ଗିରି । ମ୍ୟାନେଜରଙ୍କ ମୁହଁରେ ଦୁଶ୍ଚିନ୍ତାର ଭଗ୍ନାଂଶ । ହତାଶ କଣ୍ଠରେ କହିଉଠିଲେ—କ’ଣ କରାଯିବ ? ବନମାଳୀ ଏପର୍ଯ୍ୟନ୍ତ ଆସିଲାନି ।

 

ଅନ୍ୟମାନେ କହିଲେ—ରୁକ୍ମିଣୀକି ପଚାରିଛନ୍ତି ?

 

—ସମସ୍ତଙ୍କୁ ପଚାରିଚି । ମାତାଲଟା କୁଇଠି ମଦଖାଇ ପଡ଼ି ଯାଇଚି ।

 

—ତେବେ ଥିଏଟର ହେବ କିମିତି ?

 

ଉଦବେଗରେ ଇତସ୍ତତଃ ହୋଇ କହିଲେ ମ୍ୟାନେଜର—ପରମାନନ୍ଦ ଅଛି ?

 

—ଥିଲେ କ’ଣ ହେବ, ଏତେବଡ଼ ପାର୍ଟ, ମୁଖସ୍ଥ କରି କିଏ କରିବ ?

 

‘‘କାହିଁକି ମୁଁ କରିବି’’ କହି ଉଠିଲା ଗିରି ।

 

—ତୁ ? ପ୍ରମ୍ପ୍‍ଟର କ’ଣ କେବେ ପାର୍ଟ କରିପାରେ ?

 

—ଚେଷ୍ଟା କରି ଦେଖିବି, ମୋର ତ ପାର୍ଟଗୁଡ଼ାକ ସବୁ ମୁଖସ୍ଥ ରହିଛି ।

 

କିନ୍ତୁ ମାନେଜର ଗିରିର କଥାକୁ ବାଏଁ ବାଏଁ ଉଡ଼େଇ ଦେଇ କହିଲେ—ଏ ଫାଜିଲାମି କରନା ଗିରି ।

 

ଗିରିର ମୁହଁରେ ପୁଣି ସେଇ ବିଷଣ୍ଣତା ।

 

ପରେ ପରେ ମ୍ୟାନେଜର ଦେଖିଲେ—ଗିରି ମୁହଁରେ ଆତ୍ମବିଶ୍ୱାସର ଦୃଢ଼ ଅଭାସ । ତଳକୁ ଯାଇ ଅନ୍ୟମାନଙ୍କ ସାଥିରେ ପରାମର୍ଶ କରି କହିଲେ—ଗିରି ! ପାରିବୁ ଯଦି କର—କିନ୍ତୁ ବାବା ଥିଏଟରର ସମ୍ମାନ ଯେମିତି ତୋରି ହାତରେ ।

 

ଗିରି ପ୍ରଥମେ ବିଶ୍ୱାସ କରି ପାରିଲାନି । ଥିଏଟର ! ପୁଣି ଲକ୍ଷ୍ମଣ ଭୂମିକାରେ ? ଲିଲି ଦେଖିବ ତା’ ଜୀବନର ସର୍ବଶ୍ରେଷ୍ଠ ସୌଭାଗ୍ୟ ! ହୁଏତ ଆଜି ରାତିକର ଅଭିନୟ ତା’ ଜୀବନକୁ ବଦଳେଇ ଦେଇପାରେ । ଆଉ ଟିକକ ପରେ ସେ ଅଭିନେତା ଭୂମିକାରେ ଯାଇ ଠିଆ ହେବ ଷ୍ଟେଜରେ ।

 

କିନ୍ତୁ ପାରିବ ତ ? ମେକପ ରୁମରେ ଦ୍ରୁତ ହାତରେ ମେକାପ ହେଉ ହେଉ ଦର୍ପଣରେ ଦେଖୁଥିଲା ଗିରି, ନିଜକୁ । ମୁଣ୍ଡରେ ଦୀପ୍ତ ମୁକୁଟ, ଦେହରେ ଜରିର ପୋଷକ, ଆଜାନୁ ଲମ୍ୱିତ ତରବାରି । କିନ୍ତୁ ମେକାପ ଭିତରେ ମଧ୍ୟ ତା’ର ଚିନ୍ତା—ଯଦି ନପାରେ ?

 

ପନ୍ଦର ମିନିଟ୍‍ କାଳ ସେ ଡ୍ରେସିଂ ରୁମ ଭିତରେ ରିହର୍ସାଲ କରିନେଲା । —ହୃଦୟର ସର୍ବଶ୍ରେଷ୍ଠ ଆବେଗତା ସହ ଅଭିନୟ କରିବ । ଖରାପ ହେବାର କୌଣସି ଆଶଙ୍କା ନାହିଁ । ହୁଏତ ବନମାଳୀ ଅପେକ୍ଷା ସେ ଭଲ ଅଭିନୟ କରିପାରେ । ଅନ୍ତତଃ ପାର୍ଟ ଭୁଲି ଯିବାର ପ୍ରଶ୍ନ ଆଦୌ ଉଠୁନି । ବନମାଳୀ ଭଳି ମଦ ଖାଇ ଟଳମଳ ହେବାର ତ କୌଣସି ଆଶଙ୍କା ନାହିଁ । ମୋଟାମୋଟି ଠିଆହୋଇ କେଇଟା ସଂଳାପ କହିଦେଇ ଆସିଲେ, ଜୟ ଜୟକାର । କିନ୍ତୁ ଖାଲି କଥା କହିଦେଇ ଆସିବନି ସେ । ଅଭିନୟ ବି କରିବାକୁ ପଡ଼ିବ ତାକୁ । ସେ ଅସାଧାରଣ ବାସନାରେ ଉଜ୍ଜ୍ୱଳ ସେ । ଆଜି ଯିମିତି ସହସ୍ର କରତାଳିରେ ଭାଜି ପଡ଼ିବ ରଙ୍ଗମଞ୍ଚଟା, ଉଲ୍ଲାସ, ଆନନ୍ଦ, ବ୍ୟାକୁଳତାରେ । ଲିଲିର ସମଗ୍ର ପ୍ରେମର ଯୋଗ୍ୟ ଉପହାର ଦେବ ଆଜି ସେ । ସେ ଜାଣେ ରାଜ ପୋଷାକରେ ଲିଲିର ଆଖି ବିସ୍ମୟ, ଆବେଗରେ ସ୍ଫୁରିତ ହୋଇ ଉଠିବ—ଗିରି ଆଉ ଭାବି ପାରେନା ।

 

ବେଲ୍‍ ବାଜିଲା—ଧୀରେ ଧୀରେ ଡ୍ରପ ଉଠିଲା । ଆଶ୍ଚର୍ଯ୍ୟ ମର୍ଯ୍ୟାଦା ଓ ଦୀପ୍ତ ପଦକ୍ଷେପରେ ପ୍ରବେଶ କଲେ ଲକ୍ଷ୍ମଣ—ସାଙ୍ଗରେ ରାମଚନ୍ଦ୍ର । ପ୍ରଶ୍ନ କରୁଛନ୍ତି ରାମଚନ୍ଦ୍ର । ଲକ୍ଷ୍ମଣ କିଛି ସମୟ ସ୍ତବ୍‍ଧ ଚକ୍ଷୁରେ ଠିଆହୋଇ ରହିଲେ—ଫୁଟ ଲାଇଟର ତୀବ୍ର ଆଲୋକ—ମୁଣ୍ଡ ଉପରେ ବହୁ ଶକ୍ତିସମ୍ପନ୍ନ ବଲ୍‍ବ । ଲକ୍ଷ୍ମଣଙ୍କ ଓଠ ଥରି ଉଠିଲା—କଥା କହି ପାରିଲେ ନାହିଁ । ପ୍ରମ୍ପ୍‍ଟାର ଜୋରରେ କହି ଚାଲିଚି ସଂଳାପ । ରାମଚନ୍ଦ୍ର ଥରକୁ ଥର ପଚାରୁଛନ୍ତି—ଭାଇ ଲକ୍ଷ୍ମଣ ନୀରବ କାହିଁକି ?

 

ଲକ୍ଷ୍ମଣ କିନ୍ତୁ ନୀରବ । ମ୍ୟାନେଜର ହତଭସ୍ୱ । ଦର୍ଶକ ମଣ୍ଡଳୀର ଧିକ୍‍କାର ଧ୍ୱନି । ଗିରି ୟାରି ଭିତରୁ ଖାଲି ଖୋଜି ଚାଲିଚି ଲିଲିର ସୁ ଡଉଲ ମୁହଁଟିକି । ଲଣ୍ଠନ ଆଲୁଅରେ ସେ ଯେଉଁ ଉଜ୍ଜ୍ୱଳ ମୁହଁଟିକି ଦେଖେ, ସେଇ ବିପୁଳ କଳା କଳା ଦୁଇଟି ଆଖିକି ଖୋଜିବାରେ ସମସ୍ତ ମନଯୋଗ ଢାଳି ଦେଇଚି ଗିରି ।

 

କିନ୍ତୁ ସେଇ ନିର୍ମମ, ଅନାତ୍ମୀୟ ଜନତା ମଧ୍ୟରୁ ପ୍ରୀତି ଗୌରବରେ କ୍ଷମାସିଞ୍ଚିତ କୌଣସି ଆଖି ଅଭିନନ୍ଦିତ କଲାନାହିଁ ତାକୁ ।

 

ଜନତା ଚଞ୍ଚଳ ହୋଇଉଠିଲା—ମୃଦୁ ଗୁଞ୍ଜନ ଆରମ୍ଭ ହେଲା—ତା’ପରେ କରତାଳି । ଅମାନୁଷିକ ଧ୍ୱନିରେ ମୁଖରିତ ହୋଇଉଠିଲା ହଲ୍‍ଟା । ସମସ୍ତ ପାର୍ଟ ଭୁଲି ଯାଇ ବିବର୍ଣ୍ଣ ମୁଖରେ ସ୍ତବ୍ଧ ହୋଇ ଠିଆହୋଇ ରହିଲା ପ୍ରମ୍ପ୍‍ଟର ଅଭିନେତା ଗିରି । ତା’ର ସେଇ ଚରମ ବ୍ୟର୍ଥତା ଆଉ ମୂଢ଼ତାକୁ ଧିକ୍କାର କରି, ତା’ର ସମସ୍ତ ସ୍ୱପ୍ନକୁ ଚୁରମାର କରି ଜଡ଼ପ୍ରାୟ ପ୍ରମ୍ପ୍‍ଟର ଗିରି ଆଗରେ ସଶବ୍ଦରେ ନଇଁ ଆସିଲା ଯବନିକା ।

☆☆☆

 

ପ୍ରେମର ସମାଧି

 

ସନିଆ ରିକ୍‍ସା ଟାଣେ । ରାତି ସାରା । ସନ୍ଧ୍ୟା ସାତରୁ ସକାଳ ପାଞ୍ଚ ଯାଏ । ସେ ଦିନ ରାତି ବାର । ସେକଣ୍ଡ ସୋ ସିନେମା ଭାଙ୍ଗିଲା । ହିନ୍ଦି ସିନେମା । ଜଣେ ଯୁବକ ଆସି ପଚାରିଲେ ‘ରିକ୍‍ସା ଯାଏଗା’ ?

‘ହଁ ବାବୁ, ଯାଏଗା’...ହିନ୍ଦିରେ ଉତ୍ତର ଦେଲା ସନିଆ । ସେ ଦେଖିଲା ସାଙ୍ଗରେ ଜଣେ ସୁନ୍ଦରୀ ବାଳିକା । ସେ ବି ଯିବେ ତା’ ରିକ୍‍ସାରେ । ଭଡ଼ା ନ ଛିଡ଼େଇ ସେ କହିଲା, ‘ବାବୁ ବୈଠୋ’-

ସନିଆର ରିକ୍‍ସା ଛୁଟିଛି—ଯୋବ୍ରା ପାର ହୋଇ ଫେୟାରଓ୍ୱେଦର ରୋଡ଼ରେ, ମହାନଦୀ ଶୀତଳ ପବନ ଶିରି ଶିରି ବହି ଚାଲିଛି । ସନିଆ ସମୟେ ସମୟେ ଚାହୁଁଛି ପଛକୁ । ତା’ର ଇଚ୍ଛା ଜହ୍ନ ରାତିରେ ଝିଅଟି ମୁହଁ କେମିତି ଦିଶୁଚି ଦେଖିବ । ପଛରେ ଲାଇଟ ଲିଭିଚିକି ଜଳୁଚି ଦେଖିବାର ଛଳନା କରେ ସନିଆ । ମଠେଇ ମଠେଇ ରିକ୍‍ସା ଟାଣେ । ମହାନଦୀ ପାର ହୋଇ ଚଉଦ୍ୱାରରେ ସେ ଛାଡ଼ି ଆସିବ—ଆହୁରି ବହୁତ ବାଟ । ଦୂରତା ଲାଗି ତା’ ମନରେ ବିରକ୍ତି କିମ୍ୱା କ୍ଳାନ୍ତି ନାହିଁ । ପେଡ଼ଲ୍‍କୁ ଘୂରାଇ ଘୂରାଇ ସେ ମଝିରେ ମଝିରେ ମନ ମତାଣିଆ ଗୀତଗାଉଛି ‘ରାମାୟା ଓ୍ୱାସ୍ତା ୟା ।’

ନଦୀ ପାରହେବାକୁ କିଛିବାଟ ଅଛି, ସନିଆ ପଛକୁ ମୁହଁ ଫେରାଇ ଚାହିଁଲା—ଝିଅଟି କ୍ରମେ କ୍ରମେ ଢଳି ଆସୁଚି ଯୁବକଟିର କୋଳକୁ; ଯୁବକଟିର ଆଙ୍ଗୁଠି ପହଁରି ଯାଉଛି ଝିଅଟିର ସ୍ନିଗ୍‍ଧ ବାଳ କୋରାକ ଉପରେ ।

 

ମନଟା ଉଲ୍ଲସି ଉଠିଲା ସନିଆର । ଦେହଟା ଯାକରେ ଶିହରଣ । ପେଡାଲ ଉପରୁ ଗୋଡ଼ଟା ଖସି ଖସି ଯାଉଛି । ତା’ର ଇଚ୍ଛା ଥରକୁଥର ସେ ଚାହାଁନ୍ତା । ପ୍ରତିମୁହୂର୍ତ୍ତରେ ସେ ଦେଖନ୍ତା ଏହି ଲଜ୍ଜାହୀନ ଉନ୍ମୁକ୍ତ ପ୍ରେମକୁ । ଯୁବକ ସେ । ବିବାହ କରିଛି । ଘରେ ତା’ର ସ୍ତ୍ରୀ ରଙ୍ଗବତୀ । ଏକାକିନୀ । ସ୍ତ୍ରୀ ସାଥିରେ ରାତିରେ ଘଡ଼ିଏ କଥାବାର୍ତ୍ତା କରିବାକୁ ତାକୁ ସମୟ ମିଳେନା । ପେଟକୁ ମୁଠାଏ ପାଇଁ ରାତିସାରା ସେ ଅନିଦ୍ରା ରହେ । ଯାତ୍ରୀ ନ ମିଳିଲେ ବି ଗଳିର ଛକମୁଣ୍ଡରେ ସେ ଗାମୁଛା ଘୋଡ଼େଇ ହୋଇ ରିକ୍‍ସା ଉପରେ ଶୋଇ ରହେ । ଆଗରେ ଘର । ଛକକୁ ଦି’ ପାଉଣ୍ଡ ବାଟ । ତଥାପି ରଙ୍ଗବତୀ ଶୋଇଥାଏ ଏକୁଟିଆ । ସନିଆ ରିକ୍‍ସା ଉପରେ ରଙ୍ଗବତୀକୁ କେବଳ ସ୍ୱପ୍ନ ଦେଖେ—ବାଉଳି ହୁଏ । ଯାତ୍ରୀ ଡାକିଲେ ତା’ର ନିଦଭାଙ୍ଗେ—ପେଡାଲ ଉପରେ ଗୋଡ଼ଦିଏ-। ତା’ ଆଖିରେ ଖାଲି ବାଟ ବାଟ । ପିଚୁରାସ୍ତା—ଗଳିର କାଦୁଅ ରାସ୍ତା—ଏ ଛକ—ସେ ଛକ ଏଗଳି, ସେଗଳି । ରୋଜଗାର ଦଶ’ଣା କି ବାର’ଣା । ଭଡ଼ାକେ ଟଙ୍କାକରୁ ଅଧିକ କେବେ ସେ ପାଇନି ।

 

ରିକ୍‍ସା ଗଡ଼ି ଚାଲିଚି । ରିକ୍‍ସାରେ ତା’ର ମଧୁଶଯ୍ୟା । ଏହି ମଧୁପ୍ରଣୟର ଦୃଶ୍ୟ ଦେଖି ସନିଆ ମନରେ ଈର୍ଷା ହେଉଛି । ସେ ଚାହୁଁଚି ଏମିତି ଗୋଟିଏ ଧନବତୀ, ରୂପବତୀ ଝିଅ ତା’ ବୁକୁ ଉପରେ ଢଳି ଯାଆନ୍ତା କି ! ସେ ଖୋଜୁଛି ତା’ ରଙ୍ଗବତୀ ତା’ ପାଖରେ ଆଜି ଏ ଜୋତ୍ସ୍ନାତାରକିତ ରାତିରେ ଏଇ ନଈପଠାରେ ଥାଆନ୍ତା କି !

 

ହଠାତ୍‍ ରିକ୍‍ସା ଯାଇଁ ଧକ୍‍କା ଖାଇଲା ପଥର କାନ୍ଥି ଦେହରେ । ସାଙ୍ଗେ ସାଙ୍ଗେ ଗାଲରେ ଶକ୍ତ ଚାପୁଡ଼ା । ହଁ, ସେ ଦୋଷ କରିଛି—ଦୁଇଟି ପ୍ରାଣୀଙ୍କ ସ୍ୱର୍ଗୀୟ ପ୍ରେମରେ ବାଧା ଦେଇଛି—ମନେମନେ ମାନିନେଲା ସନିଆ । ଦେଖିଲା ରିକ୍‍ସାଟା ଠିକ୍‍ ଅଛି । ଧକ୍‍କା ଖାଇଲା ତା’ ମନ, ରିକ୍‍ସା ନୁହେଁ ।

 

ଫେରିଲାବେଳେ ମହାନଦୀର ସେଇ ସଡ଼କ ଉପରେ ସନିଆ ଭାବୁଚି ରିକ୍‍ସାରେ ତା’ର ଯେମିତି ଦୁଇଟି ଯୁବକ ଯୁବତୀ ବସିଛନ୍ତି । ପରସ୍ପର ଉପରକୁ ଢଳି ପଡ଼ୁଛନ୍ତି । ନିଶା ଘାରିଚି । ସନିଆ ଆଖିରେ ସେଇ ପୂର୍ବର ସ୍ୱପ୍ନ । ରିକ୍‍ସା ଖାଲି କିନ୍ତୁ ତାକୁ ଓଜନିଆ ଲାଗୁଚି ।

 

ଥାଉ ଆଜିକ ଭଡ଼ା—ଏଇ ତ ଦେଢ଼ଟଙ୍କା ହେଲାଣି !

 

ରଙ୍ଗବତୀ ତା’ ଆଖିରେ ନାଚୁଛି । ସେ ଫେରିଲା ।

 

ରାତି ଦୁଇ—ଆକାଶରେ ଖଣ୍ଡିଖଣ୍ଡିକିଆ ବଉଦ । ଭିତରେ ଚନ୍ଦ୍ର । ସନିଆ ଦୁଆର ଠକ୍ ଠକ୍ କଲା ।

 

‘‘ରଙ୍ଗ ଦୁଆର ଫିଟା...’’

 

ନିଶବଦ ରାତି—ସବୁ ଶୂନଶାନ୍‍ ।

 

କିଛି ଉତ୍ତର ମିଳିଲାନାହିଁ । ବୋଧହୁଏ ରଙ୍ଗ ନିଘୋଡ଼ ନିଦରେ ଶୋଇଚି । ବିଡ଼ିରୁ ପୁଳାଏ ଧୂଆଁ ଶୋଷିନେଇ ଜୋରରେ କବାଟ ବାଡ଼େଇଲା ସନିଆ ।

 

ଘର ଭିତରେ କ’ଣ ଶବଦ ଶୁଭିଲା । ତା’ପରେ ରଙ୍ଗର ପାଟି ‘‘କିଏ ?’’ ରସିକତାକରି ସନିଆ କହିଲା, ‘‘ଡିବି ଲଗାଇ ଦେଖ’ ତ—ଜହ୍ନ ଆଲୁଅରେ ଦେଖାଯିବନି ।’’

 

ଦୁଆର ଖୋଲିବାକୁ କାହିଁକି କେଜାଣି ଡେରିହେଲା । ଡେରିରେ ଡିବି ଲଗାଇ ଦୁଆର ଖୋଲିଲା ରଙ୍ଗବତୀ । ଭିତରେ ପଶି ସନିଆ କହିଲା, ‘‘ଆଜି ଆଉ ଭଡ଼ା ନାହିଁ । ତୁ ଜହ୍ନ ଆଲୁଅରେ ରିକ୍‍ସାରେ ବସ କି ମୁଁ ତତେ ବୁଲାଇ ନେବି ମହାନଦୀ ଆରପାରିକି ।’’

 

ହାତରୁ ଡିବିଟା ପଡ଼ି ନିଭିଗଲା । ସନିଆ ଲକ୍ଷ୍ୟକଲା ଗୋଟାଏ ଲୋକ ଦୁଆରବାଟେ ବାହାରିଗଲା । ରାତିର ଝାପ୍‍ସା ଆଲୁଅରେ ସନିଆ ଦେଖିଲା ଖାଲି ଗୋଟାଏ ମଣିଷର ଛାଇ—ପାଦର ଦପ୍‍ ଦପ୍‍ ଶବ୍ଦ । ସେ ପଚାରିଲା, ‘‘କିଏ...କିଏ ସେ ଗଲା ?’’

 

ରଙ୍ଗବତୀ ପଚାରିଲା, ‘‘କାହିଁ କିଏ ମ ?’’

 

‘‘ଏଇ ଯେ ଏଇ ବାଟେ ଦଉଡ଼ି ପଳାଇଲା ।’’

 

‘‘ତମ ମୁଣ୍ଡ ଭରମ ଖାଉଚିନା କ’ଣ ମ ? କାଉ ପକ୍ଷୀ ଖଡ଼ ଖଡ଼କଲେ ତମର ଭୟ ।’’

 

ଆଉ ଶୁଣିଲା ନାହିଁ ରଙ୍ଗବତୀ । ଆଲୁଅ ଜଳିଲା । ପୁଣି ନିଭିଲା । ଆଦର ସିନିହରେ ରଙ୍ଗବତୀ ଟାଣି ନେଲା ସନିଆକୁ, କହିଲା, ‘‘ଶୁଅ ମ ! ରାତି ଅଧ ହେଲାଣି । ଏତେ ଦିନକେ ଗୋଟାଏ ରାତି ଯେ ।’’

 

ଶେଯ ଉପରେ ଲମ୍ୱ ହୋଇ ସନିଆ ପଡ଼ିଚି । ରଙ୍ଗବତୀକୁ କୋଳକୁ ଟାଣି ଆଣିବାକୁ ଇଚ୍ଛା ହେଉନି । ଖାଲି ଗୋଟାଏ କଥା—ସେ ଲୋକଟା କିଏ ? ରଙ୍ଗବତୀ ହାତରୁ ଡିବିଟା ପଡ଼ିଗଲା କାହିଁକି ? ସନିଆ ମନରେ ଖାଲି ସନ୍ଦେହ—ସେ ରାତିରେ ଆସୁନି ବୋଲି କ’ଣ ରଙ୍ଗବତୀ ଏଇ କାରବାର କରୁଚି !! ରଙ୍ଗବତୀର ସବୁ ସ୍ନେହ କ’ଣ ମିଛ !

 

ସକାଳ ପାଇଲା । ଭୋଦୁଅ ସକାଳ । ସନିଆ ଦୁଆର ମୁହଁକୁ ଆସି ଦେଖିଲା ଖରା ପଡ଼ିଲାଣି । କିନ୍ତୁ ବଇଷମ ଆସିନି ରିକ୍‍ସା ନେବାକୁ । ତା’ର ରାତି ଆଉ ବଇଷମର ଦିନ ରିକ୍‍ସା । ଦୁଇଜଣଙ୍କ ଭାଗ । ବଇଷମ ତାଠୁଁ ଛୋଟ । ଏକ ଗାଁର । ବଇଷମଠି ରଙ୍ଗବତୀର ଭାରି ଶରଧା । ଭେଣ୍ଡିଆ ଯୁଆନ । ଧୋବ ଶିରି ଶିରି ଦେହ । ଫୁଲୁକା ଫୁଲୁକା ଗାଲ । ରଙ୍ଗବତୀର ସେରନ୍ତା ଦିଅର ସେ । ସେ ଏକା ରକ୍ତର ନ ହେଲେ ଏକା ଗାଁର—ୟାଙ୍କ ଲାଁଉଡ଼ଙ୍କ ତାଙ୍କ ଚାଳରେ ମାଡ଼େ । ଫଳ ଖା’ନ୍ତି ଦି ଘରଯାକ । ବଇଷମର ମା’ ମଲାବେଳେ କହି ଯାଇଥିଲା—ପର ବୋଲି ଭାବିବୁନି ବଇଷମକୁ ରଙ୍ଗ—ସେ ତତେ ଲାଗିଲା ।

 

ସନିଆ ସାଥିରେ ବଇଷମ ରିକ୍‍ସା ଟାଣି ଆସିଥିଲା ସହରକୁ । ସନିଆ ଘରକୁ ଟଙ୍କା ପଠାଏ । ରଙ୍ଗବତୀ ଗାଁରେ ଏକୁଟିଆ । ଦିନେ ବଇଷମ ଜିଦ୍‍ କଲା, ‘‘ସନିଆଇ ! ନୂଆଉକୁ ନେଇଆ । ଏକାଠି ରହିବା । ଗଳିରେ ମୁଁ ଖଣ୍ଡେ ଘର ଦେଖିଚି ।’’

 

ବାରମ୍ୱାର କହି ନିଜେ ଯାଇ ବଇଷମ ନେଇ ଆସିଥିଲା ରଙ୍ଗକୁ । ସନିଆ ତାକୁ ମା’ ପେଟର ଭାଇ ଭଳି ସ୍ନେହକରେ । ଗଲା ୩ ବର୍ଷ ହେଲା ଏକାଠି ଖାଉଥିଲେ । ଦିନେ ସେ ଆସି କହିଲା, ‘ସନିଆଇ ମୁଁ ବାହାରେ ଖାଇବି ।’

 

ସନିଆ ପ୍ରତିବାଦ କଲାନି କିନ୍ତୁ ବଇଷମ ପ୍ରତିଦିନ ତା’ ଘରକୁ ଆସେ । ନୂଆବୋଉଠୁଁ ବିରି ଚକୁଳି ଖାଇଯାଏ । ନୂଆବୋଉ ପାଇଁ ଅଳତା, ରିବନ୍‍ ଆଣି ଦେଇଯାଏ । ରଙ୍ଗ ସାଙ୍ଗରେ ଲଗାଏ ଇସ୍କୁଲ ଝିଅଙ୍କ ଭଳି ଦୁଇଟା ବେଣୀ ଛାଡ଼ିବାକୁ । ଭାରି ଅଝଟ ତା’ର । ସବୁ ଆଖିରେ ଦେଖୁଚି ସନିଆ । ପିଲାଟିଏ ବୋଲି କୋଉଥିରେ ହେଲେ ବାଧା ଦେଇନି । ଏମିତି ୪/୫ ବର୍ଷ କଟି ଗଲାଣି । କିନ୍ତୁ ବଇଷମ ଆଜି ଗଲା କୁଆଡ଼େ ? ରାତିରେ ସେ ସାମନା ଚୌଧୁରିଘର ବାରଣ୍ଡାରେ ଶୁଏ । କାହିଁ ସେଠି ନାହିଁ ତ !

 

ରଙ୍ଗବତୀକୁ ପଚାରିଲା । ରଙ୍ଗବତୀ କହିଲା, ‘‘ମୁଁ ତ କାଲି ରାତିରୁ ତାକୁ ଦେଖିନି । ସିନିମା ଯାଇ କୁଉଠି ଶୋଇଥିବ—ଆସିବ ଯେ ।’’

 

କିନ୍ତୁ ଦିନ ଆସି ୯ଟା ହେଲାଣି, ତା’ର ଦେଖା ନାହିଁ । ମନ ବ୍ୟସ୍ତରେ ସନିଆ ଉଠିଲା । ଦେହପା, ତା’ର ଅସୁଖ ହେଲାନି ତ । ବାପ ମାଆ ଛେଉଣ୍ଡ ପିଲାଟା !

 

ରିକ୍‍ସା ଖଣ୍ଡକ ଧରି ଖୋଜି ବୁଲିଲା ବଇଷମକୁ । ଯାତ୍ରୀ ଡାକିଲେ କହିଲା, ‘‘ନାଇଁ ବାବୁ—ନାହିଁ ଯାଏଗା ।’’ ଗୋଟାଏ ପାନ ଦୋକାନରେ ଦେଖିଲା ବଇଷମ ବିଡ଼ି ଫୁଙ୍କୁଚି । ତାକୁ ଦେଖି ଲୁଚିଗଲା ମୂତନଳାରେ । କିଛି ବୁଝି ପାରିଲାନି ସନିଆ । ତାକୁ ସେ ଡରୁଚି କାହିଁକି ?

 

ପାନ ଦୋକାନ କୋଣରେ ଯାଇ ଦେଖିଲା ବୈଷମ ତାକୁ ଦେଖି ଭିତରେ ଲୁଚି ଯାଉଛି-। ବଡ଼ ପାଟିରେ ନା’ଧରି ଡାକିଲାରୁ ଶୁଣିଲାନି—ଗଳିରେ ଦୌଡ଼ି ଚାଲିଗଲା ।

 

ରିକ୍‍ସା ଫେରାଇ ଭାବିଲା ସନିଆ ବୈଷମ ତ ତାକୁ କେବେ ଡରେନି । ଆଜି ଡର କାହିଁକି ? କ’ଣ ଦୋଷ କରିଛି କି ! କାଲି ରାତି କଥା ମନେପଡ଼ିଲା । ଡିବି ଜଳିଲା ଆଉ ପଡ଼ିଯାଇ ନିଭିଗଲା । ଗୋଟାଏ ମଣିଷର ଛାଇ ଆଉ ପାଦ ଶବଦ ।

 

ହଁ, ଏଇ ବଇଷମ ଛଡ଼ା ଆଉ କେହି ନୁହେଁ । ରାଗରେ ଜଳି ଉଠିଲା ସନିଆ । ସାମନାରେ ପଡ଼ନ୍ତା କି କାତିରେ ଟିକି ଟିକି କରି ଦିଅନ୍ତା । ଦଳି ଦିଅନ୍ତା ତା’ର ଦିଅର ପଣିଆକୁ ।

 

X X X

 

ଇମିତି ୪ଟି ଦିନ ବିତି ଗଲାଣି । ବୈଷମ ଆଉ ଦେଖା ଦେଉନି । ରାତିଦିନ ରିକ୍‍ସା ଟାଣୁଛି ସନିଆ । ଆଗରୁ ସେ ଧାଉଁଥିଲା ପଇସା ସଞ୍ଚୟ ପାଇଁକି । ରଙ୍ଗବତୀ କୋଡ଼ରେ ପିଲା ହେବ । ସେଥିଲାଗି ପଇସା ଦରକାର । କିନ୍ତୁ ଏଇ ୪ ଦିନ ହେଲା ସେ ଭାଙ୍ଗି ପଡ଼ିଛି । ସେ ଖାଲି ବଇଷମକୁ ଖୋଜୁଛି । ରଙ୍ଗବତୀ ଉପରେ ତା’ର ବେଶୀ ରାଗନାହିଁ । ତା’ର ଧାରଣା ସବୁ ମାଇକିନିଆ ଗୁଡ଼ାକଙ୍କର ବୋଧହୁଏ ଏଇ ହେଉଛି ଗୋଟାଏ ବଡ଼ ଦୁର୍ଗୁଣ, ପାପ ।

 

କରିଡର ଟ୍ରେନ ଆସି ପହଞ୍ଚିଲା—ଠିକ୍‍ ସନ୍ଧ୍ୟାବେଳେ । ବାକ୍‍ସ, ପେଟେରା—ଲୋକ ଗହଳି—ସବୁ ଦେଖୁଚି କିନ୍ତୁ କାହାକୁ ଡାକୁନି । ୨/୩ ଜଣ ଡାକି ଗଲେଣି । କିନ୍ତୁ ସେ କହି ଚାଲିଛି–ନେହିଁ ଯାଏଗା !

 

ପାଖରୁ ସବୁ ରିକ୍‍ସା ଖାଲି—ଏକା ସନିଆ । ଆଉ ଯାତ୍ରୀ ନାହାଁନ୍ତି । ଟ୍ରେନ ନାହିଁ । ପେଟ, ଅଣ୍ଟା ସବୁ ଖାଲି । ମନରେ ଗୁଡ଼ାଏ ପ୍ରଶ୍ନ । ବଇଷମକୁ ଦେଖନ୍ତା କି !

 

ରାତି ଗୋଟାଏ—ବିବର୍ଣ୍ଣ ଆକାଶ । ବାତୁଳ ହୋଇ ଚାଲିଛି ସନିଆ । କାଠଯୋଡ଼ୀ ପାର ହୋଇ ଭୁବନେଶ୍ୱର ରାସ୍ତାରେ । ତା’ର ଇଚ୍ଛା ସମସ୍ତଙ୍କୁ ଛାଡ଼ି ବହୁଦୂର ସେ ଚାଲିଯିବ । ରଙ୍ଗବତୀ ମୁହଁ ଦେଖିବ ନାହିଁ ।

 

ହଠାତ୍‍ ପେଡାଲ ଜୋରରେ ଘୂରିଲା । ତୀବ୍ର ଗତି ରିକ୍‍ସାର । ତା’ର ମନେହେଲା ବଇଷମ ତା’ ଆଗେ ଆଗେ ଧାଇଁଛି—ସଡ଼କ ମଝିରେ ମଝିରେ । ପଛରେ ଗୋଡ଼େଇଛି ସନିଆ–ହାତରେ କାତି—ରାଗରେ ଦେହ ଜଳି ଉଠୁଛି ।

 

ହଁ ତ—ଏଇ ତ ବୈଷ୍ଣବ । ପାଖେଇ ଗଲା ସନିଆ । କିନ୍ତୁ ଧରି ପାରିଲା ନାହିଁ ତାକୁ । ନିଜେ ଢଳି ପଡ଼ିଲା ସଡ଼କର ଗୋଟିଏ ଧାରରେ । ମଟର ଧକ୍‍କାରେ ତା’ ରିକ୍‍ସା ଖଣ୍ଡ ଖଣ୍ଡ ହୋଇଯାଇଛି । କିନ୍ତୁ ମଟର ମଧ୍ୟ ପାଖରେ ପଡ଼ିଚି ଅଚଳ ହୋଇ ।

 

ତା’ ଆରଦିନ ଖବରକାଗଜ କାଟ୍‍ତି ବଢ଼ିଛି । ଘର ଗଳି କନ୍ଦିରେ ସବୁରି ହାତରେ ଖବରକାଗଜ । ଦୁଇଟି ଯୁବକ ଯୁବତୀଙ୍କ ଫଟୋ । ଗୋଟିଏ କୁମାରୀ ବାଳିକାର ହରଣଚାଳ କେସ୍‍-। ରାତି ଅଧର ଗୋପନ ପ୍ରଣୟ ପାଇଁ ଛୁଟିଥିଲେ ଭୁବନେଶ୍ୱର ରାସ୍ତାରେ—ହୁଏତ କେଦାରଗୌରୀ ମନ୍ଦିର ପାଖକୁ ।

 

ସନିଆ ମରି ଯାଇଛି କିନ୍ତୁ ଧରା ପକେଇ ଦେଇ ଯାଇଛି ଦୁନିଆ ଆଗରେ ଏହି ଅବୈଧ ଦୁଃସାହସିକ ପାପ ପ୍ରଣୟକୁ । ସେ ମଲା, କେହି ଜାଣିଲେନି ସେ କାହିଁକି ମଲା । ତା’ ନା ଖବରକାଗଜରେ ବାହାରିଲା ନାହିଁ । ତା’ ଘର କେଉଁଠି ଖୋଜା ହେଲାନି । ସେ ମଲା ପରେ ତା’ ସ୍ତ୍ରୀ ସଧବା ରହିଲା କି ବିଧବା ହେଲା କେହି ଦେଖିଲେ ନାହିଁ ।

 

ସନିଆ ବଇଷମ ପଛରେ ଗୋଡ଼େଇଛି । ହାତରେ କଟୁରି—ମନରେ ସନ୍ଦେହ !!

☆☆☆

 

ସ୍ୱେଟର

 

ସେଦିନ ପୁରୁଣା ସୁଏଟରଟିକି ଦେଖି ବୋଉ କହିଲା—ବିନୁ ଆଉ କ’ଣ ଅଛି ସେଇଥିରେ—ଗଲାଣିତ !

 

ସୁଏଟରଟିକି ହାତରେ ଧରି ମୁଁ ଦେଖୁଥିଲି । ଚାରିଆଡ଼ ଚିରା । ବିବର୍ଣ୍ଣ । ପିନ୍ଧିଲେ ଭାରି ଖରାପ ଦେଖାଯାଏ ।

 

ବୋଉ ପୁଣି ପଚାରିଲା—ସେଇଟାକୁ ରଖିଦେ—ପିନ୍ଧୁଚୁ କାହିଁକି ?

 

କାହିକି ପିନ୍ଧୁଥିଲି ବୋଉକୁ ଜବାବ ଦେଇ ପାରି ନଥିଲି ସେଦିନ ।

 

ବୋଉ ଆଉରି ପଚାରିଲା—ଉତ୍ତର ଦେଇ ପାରିନି ତାକୁ ।

 

X X X

 

ଭାଉଜ ଉପରେ ତୋର ଏତେ ରାଗ କାହିଁକି, କହିଲୁ ?

 

କାହିଁକି, ଜାଣେନା । ପ୍ରକୃତରେ ଭାଉଜ ପ୍ରତି ମୋର ତିଳେ ହେଲେ ସହାନୁଭୂତି ନ ଥିଲା । ବରଂ ଆକ୍ରୋଶ ଥିଲା ବେଶି । ମୋର ମନେ ହେଉଥିଲା—ତାରିଯୋଗୁଁ ଆମର ସୁନାର ସଂସାର ଚୂନା ହୋଇଯାଇଛି । ବାପାଙ୍କର ମୃତ୍ୟୁର କାରଣ ସିଏ । ବାପାଥିଲେ ଭାରି ନିୟମନିଷ୍ଠ, ବଡ଼ ହିସାବୀ । ଲୋକେ କହନ୍ତି—ମୁଁ ପୁଣି ଠିକ୍ ମୋ ବାପାଙ୍କ ଭଳି । ଆମ ଦୁଇଭାଇଙ୍କ ମଧ୍ୟରୁ ମୁଁ ପାଠ ପଢ଼ିଥିଲି ବେଶୀ । ଭଲ ବଡ଼ ଚାକିରି ପାଇଲି । ବାପାଙ୍କ ମୃତ୍ୟୁ ପରେ ମୋ ଉପରେ ପଡ଼ିଲା ସାଂସାରିକ ଦାୟିତ୍ୱ । ମୁଁ ଭାବୁଥିଲି ପରିବାର ଭିତରେ ସବୁଠୁଁ ବଡ଼ ମୁଁ । ସେ ଅନୁଯାୟୀ ମିଜାଜ୍‍ ମଧ୍ୟ ଅତିରିକ୍ତ ଭାବରେ ଚଢ଼ା ହୋଇ ଉଠିଥିଲା । ବନ୍ଧୁବାନ୍ଧବଙ୍କ ସହିତ ଖାତିରି ରଖି କଥାବାର୍ତ୍ତା କରେନା । ତେଣୁ ଘର ଲୋକଙ୍କ ସହିତ କଥାବାର୍ତ୍ତା କରିବାବେଳେ ମୋର କଥାଗୁଡ଼ାକ ମାତ୍ରାତିରିକ୍ତ ହୋଇ ପଡ଼େ ।

 

ଅନେକ ଦିନ ପରେ । ଭାଇନାଙ୍କୁ ସମ୍ମୁଖରେ ଦେଖି ଖୁବ୍‍ କଟୁ ସ୍ୱରରେ କହିଲି–‘‘ସେଇ ଡାହାଣୀଟା ଲାଗି ତୁମେ ଆମର ଘରସଂସାରକୁ ପୋଡ଼ି ଜାଳି ପାଉଁଶ କରି ଦେଇଚ । ବାପା ଚାଲିଗଲେ ସେହି ଚିନ୍ତାରେ । କେଉଁ ମୁହଁରେ ସାହାଯ୍ୟ ପାଇଁ ଆସିଚ । ଲାଜ ମାଡ଼ୁନି-?’’

 

ଭାଇନା ଆହତ ସ୍ୱରରେ କହିଥିଲା—‘‘ବିନୁ ! ଦୋଷ ମୋର ହୋଇପାରେ କିନ୍ତୁ ତା’ର ନୁହେଁ ।’’

 

‘ଚୁପ୍‍କର—ନିର୍ଲ୍ଲଜ ଭାବରେ ଗୋଟାଏ ଷ୍ଟ୍ରିଟ ଗାର୍ଲ ଲାଗି ଓକିଲାତି ଆଉ କରନି ।’

 

ଭାଇନା ନିମ୍ନ ସ୍ୱରରେ ବୁଝାଇବାକୁ ଚେଷ୍ଟା କରିଥିଲେ—‘‘ବିନୁ ! ସେ ତୋର ଭାଉଜ ପରା’’ ?

 

ରାଗରେ ଜଳି ଉଠିଲି । ମୁଁ ମୁହଁକୁ ବଙ୍କେଇ କହିଥିଲି—ଇମିତି ଭାଉଜ ବହୁତ ଦେଖିଛି-। ଯାହାକୁ ତାକୁ ଭାଉଜ କହିଲେ ବଜାରରେ ବହୁତ ଝିଅ ମିଳିବେ ଯେ ।

 

ପାଖରେ ବୋଉ । ଆର୍ତ୍ତନାଦ କରି ଉଠିଥିଲା ସେ—ବିନୁ—ତୋର ବଡ଼ ଭାଇନା ପରା-?

 

ମା’କୁ କ୍ରୁଦ୍ଧ ଦୃଷ୍ଟିରେ ଚାହିଁ ଚାହିଁ ମୁଁ ଘରର କବାଟ ବନ୍ଦ କରି ଦେଇଥିଲି ।

 

ତା’ପରେ ବହୁଦିନ ଧରି ଭାଇାନାଙ୍କ ଦେଖା ହେଇନି । ଶୁଣିଚି ମୁଁ ଘରେ ନଥିଲା ବେଳେ ଭାଇନା ଘରକୁ ଆସନ୍ତି ମା’ ପାଖକୁ । ମୁଁ ଘରକୁ ଆସିବା ଆଗରୁ ଚାଲି ଯାଆନ୍ତି ।

 

ଥରେ ବୋଉ ସାଥିରେ ମନ କଷାକଷି ହୋଇଗଲା । ମାସକ ପାଇଁ କିଣା ହୋଇଥିବା ଡାଲି ଚାଉଳ ବହୁ ଆଗରୁ ସେ ମାସରେ ଶେଷ ହୋଇ ଯାଇଥାଏ ।

 

ବୋଉକୁ ପଚାରିଲି—ତୋର ବଡ଼ ପୁଅ କେବେ କିମିତି ଆସେ ନା ।

 

ବୋଉ ଥାତା ମାମା ହୋଇ କହେ, ‘‘କାହିଁ ନାତ ।’’

 

ବୋଉକୁ କହେ, ଦେଖ ବୋଉ କେତେ ପରିଶ୍ରମ କରି ପଇସା ଆଣୁଚି ତୁ ଆଦୌ ବୁଝୁନୁ; ସିମିତି ଉପରେ ଉପରେ ଉଡ଼େଇ ଦେଲେ ଚଳିବନି ।

 

ବୋଉ କାନ୍ଦିକାନ୍ଦି କହେ—ଆଉ ବେଶୀ କିଛି କହନା ବିନୁ, ଭାରି ବାଧୁଚି । ତା’ର ଚାକିରି ବାକିରି ନାହିଁ । ଭୋକରେ ମରୁଚି ସେ ।

 

ମୋ ମୁଣ୍ଡରେ ଯେମିତି ରକ୍ତ ଚଢ଼ିଗଲା । ବୋଉକୁ କହିଲି—‘‘କାହାର ଚାକିରି ନାହିଁ, କିଏ କେଉଁଠି ନ ଖାଇ ମରୁଚି ସେଥିରେ ମୁଁ ମୋ ପଇସାରେ ଦାନ-ଛତ୍ର ଖୋଲି ପାରିବିନି । ଦେଖ ବୋଉ ତୋର ଯଦି ସେମାନଙ୍କ ପ୍ରତି ଏତେ ଦରଦ–ସେମାନଙ୍କ ପାଖରେ ଯାଇ ସୁଖରେ ରହ ।’’

 

ଅଫିସରୁ ଫେରି ସେଦିନ ଦେଖିଲି ଟେବୁଲ ଉପରେ ଖଣ୍ଡିଏ ଚିଠି । ଗୋଟିଏ ଝିଅର ଅକ୍ଷର । ଚିଠିରେ ଲେଖାଥିଲା । ‘‘ବିନୁ !’’

 

ଜାଣେ ମୋ ଉପରେ ତୁମର ବେଶୀ ରାଗ ! ସମସ୍ତଙ୍କୁ କ୍ଷମା କରିପାର କିନ୍ତୁ ମତେ କ୍ଷମା...... । ତୁମ ଭାଇନା ମୁହଁରୁ ଶୁଣିଚି ତୁମର କୁଆଡ଼େ ଧାରଣା–ମୁଁ ତୁମ ଭାଇନାଙ୍କୁ ବାଧ୍ୟ କରିଚି ମତେ ବିବାହ କରିବା ପାଇଁ । ବିନୁ—ତୁମକୁ ଦେଖିନି ଶୁଣିଚି ତୁମେ କୁଆଡ଼େ ଭାରି ଛୋଟ । ପିଲାଳିଆ ବୁଦ୍ଧି । ଭଲପାଇବା କ’ଣ ତୁମେ ଜାଣନା । ଭଲପାଇବାର ପ୍ରଥମ ଆକର୍ଷଣରେ ମଣିଷ ପାଖରେ ସବୁ କିଛି ତୁଚ୍ଛ ହୋଇଯାଏ । ତେଣୁ ତୁମ ଭାଇନା ମତେ ବାଧ୍ୟ କରି ନାହାନ୍ତି କିମ୍ୱା ମୁଁ ତାଙ୍କୁ ବାଧ୍ୟ କରି ବିବାହପାଇଁ । ଦୁଇଜଣ ଯାକର ବିବାହ ସ୍ୱାଭାବିକ ଭାବରେ ଘଟିଛି ।

 

ବିନୁ ! ବଡ଼ ଦୁଃଖିତ ହୋଇ ଆଜି ତୁମ ପାଖକୁ ଚିଠି ଲେଖୁଚି । ମୁଁ ଅସୁସ୍ଥ । ତୁମଭାଇନା ଏପର୍ଯ୍ୟନ୍ତ ଚାକିରି ପାଇନାହାନ୍ତି । ଆମର ଗୋଟିଏ ଝିଅ । ବୟସ ବର୍ଷେ ହେବ । କିନ୍ତୁ ଜନ୍ମ ହେଲାଦିନୁ ସେ ଦିନେ ସୁସ୍ଥ ହୋଇ ପାରିନାହିଁ । ମୁଁ ଚାକିରି କରୁଥିଲି । କିନ୍ତୁ ଅସୁସ୍ଥତା ହେତୁ ସେ ଚାକିରି ଖଣ୍ଡିକ ଯାଇଛି । ବଡ଼ ଲାଜମାଡ଼ୁଚି ଲେଖିବାକୁ—ପ୍ରକୃତରେ ଆମେ ଭିକମାଗି ଚଳୁଚୁ । ବିନୁ— ତୁମର ଆଶ୍ରୟ ଚାହେଁନା—ମୁଁ ଚାହୁଁଚି ଖାଲି ତୁମେ ଏ ଛୋଟ ଝିଅଟିକୁ ଓ ତୁମ ଭାଇନାଙ୍କୁ ଟିକିଏ ଆଶ୍ରୟ ଦିଅ । ନଚେତ୍‍ ଆଉ ଏ ଦିନେ ଦୁଇଦିନ ପରେ ସମସ୍ତଙ୍କର ହେବ ମରଣ । ମୁଁ କଥା ଦେଇଚି—ସେମାନଙ୍କ ସାଥିରେ ମୁଁ ତୁମ ଘରକୁ କେଭେଁ ଯିବି ନାହିଁ । ଇତି । ତୁମର ଭାଉଜ

 

ଚିଠିଟା ପଢ଼ି ଦେହଟା ଜଳି ଉଠୁଥିଲା ମୋର । ଆଗରୁ ଶୁଣିଥିଲି—ଭାଉଜ ଲେଖାପଢ଼ା ଜାଣନ୍ତି ।

 

ଚିଠିଟା ପଢ଼ି ମୋର ମନରେ ତିଳେହେଲେ ପରିବର୍ତ୍ତନ ଆସି ନଥିଲା । ବରଂ ଧାରଣା ଆହୁରି ବଦ୍ଧମୂଳ ହେଲା ଯେ ଝିଅଟା ବେଶ୍‍ ଖେଳୁଆଡ଼ । ବେଶ୍‍ ଜାଲ ବୁଣିପାରେ ।

 

ଅନେକ ଦିନ ପରେ ଅଫିସରୁ ଫେରି ଦେଖିଲି ଭାଇନାଙ୍କୁ । ପୂର୍ବ ରୂପ, କାନ୍ତି ନାହିଁ । ଶ୍ରୀହୀନ ଚେହେରା । ଭାରି ଖୁସି ଲାଗିଲା ଦେଖି । କେବଳ ନିଜର ସୁଖ ଓ ଭୋଗ ଲାଗି ଯେ ସଂସାର ଛାଡ଼ିପାରେ, ମା ବାପାଙ୍କ ମନରେ କଷ୍ଟ ଦେଇପାରେ ତା’ର ଚେହେରା ଆଉରି ଶ୍ରୀହୀନ ହେବାର କଥା । ଅଭିଶାପର ପରିମାଣ ଯଥେଷ୍ଟ ନୁହେଁ । ଦୃପ୍ତ ଭଙ୍ଗିରେ ଆଗକୁ ଆସି କହିଲି—

 

‘‘ଭାଇନା ! ମନରେ ଲଜ୍ଜା ଆସୁନି, ପୁଣି ଆସିଚ ?’’

 

ବୋଉ ଚିତ୍କାର କରି ଉଠିଲା—‘‘ବିନୁ !’’

 

‘‘ଚୁପ୍‍ କର ବୋଉ’’

 

ମନିବ୍ୟାଗଟି ପକେଟରୁ ବାହାର କରି, ଭାଇନାକୁ ପଚାରିଲି, କୁହ, ଆଉ କେତେଦେଲେ ଆଉ କେବେ ଆସିବନି ?

 

ହତବାକ୍‍ ହୋଇ ଉଠିଥିଲେ ଭାଇନା-କମ୍ପିତ ଗଳାରେ କହିଲେ—‘‘ମୁଁ ପଇସା ପାଇଁ ଆସିନି ବିନୁ !’’

 

‘‘ତେବେ ? ଭାଉଜକୁ ଆଣି ଘରେ ରଖିବା ପାଇଁ ପ୍ରସ୍ତାବ ନେଇ ?’’

 

ନିମିଷକ ମଧ୍ୟରେ ପାଣ୍ଡୁର ହୋଇଉଠିଲା ଭାଇନାଙ୍କ ମୁହଁ । ନିଷ୍ପନ୍ଦ, ନୀରବ, ନିଶ୍ଚଳ । ଥରି ଉଠୁଥିଲା ଦେହ ଗୋଟାକ ଯାକ । ହାତରୁ କାଗଜର ଗୋଟାଏ ବଣ୍ଡିଲ ତଳେ ଖସି ପଡ଼ିଲା ।

 

ଏଇଟା ପୁଣି କ’ଣ ? ଫିଟେଇ ଦେଖିଲି ଗୋଟିଏ ହାତବୁଣା ସୁନ୍ଦର ସୁଦୃଶ୍ୟ ସୁଏଟର ।

 

ହସି ଉଠିଥିଲି ସେଦିନ । ଅଦ୍ଭୁତ ବିକଟ ଏକ ହସ । କହି ଉଠିଲି—‘‘ଶିକ୍ଷିତା ଝିଅନା—ଏମ୍‍.ଏ. ପଢ଼ିଚି—ବହୁତ କଳା-କୌଶଳ ଜାଣେ । ଲାଞ୍ଚ ପଠେଇଚି ତୁମହାତରେ ନା ? କିନ୍ତୁ ମୁଁ ଏଥିରେ ଭୁଲିବାର ଲୋକ ନୁହେଁ ।

 

ସୁଏଟରଟିକୁ ରାଗରେ ଫୋପାଡ଼ି ଦେଇଥିଲି ଏକ ମଇଳା ଗଦାକୁ । ପଚାରିଥିଲି ଭାଇନାଙ୍କୁ ତୁମର ଗୁଣବତୀ ସ୍ତ୍ରୀଙ୍କୁ ଏଇ ଖବର ଦେଇ ଦେବ ।

 

‘‘ସେ ଆଉ ନାହିଁ ।’’

 

ବାହାରୁ କିଏ ଜଣେ କହି ଉଠିଲା ପରି ମନେହେଲା । ଦେଖିଲି ସାମନାରେ ବୋଉ ।

 

ବୋଉ କହିଲା—ନେଏ ସୁଏଟରଟିକୁ ତା’ର ସ୍ନେହ, ଲୁହ ସବୁ ରହିଚି ଏହାରି ଭିତରେ-

 

X X X

 

୪ବର୍ଷ ତଳର କଥା । ପୁରୁଣା ସୁଏଟର ଚିରିଯାଇଚି । ଭାଉଜ ଆଉ ନାହାନ୍ତି । ଶୀତ ଆସୁଚି । ପେଡ଼ିରୁ ସୁଏଟର ଖଣ୍ଡିକ କାଢ଼ୁ କାଢ଼ୁ—ମନେ ପଡ଼ିଯାଉଚି ସବୁ କଥା ।

 

ଭାଉଜଙ୍କୁ ଦେଖିନି । ଫଟୋ ବି ନାହିଁ । ସାରା ଜୀବନ ଧରି ଅନୁତାପ !

 

ପୁରୁଣା ହେଲେ କ’ଣ ହେଲା—ସୁଏଟରଟିକୁ ପିନ୍ଧି ମୁଁ ଯେମିତି ଗୋଟାଏ ବିରାଟ ଭୁଲ୍‍ର ପ୍ରାୟଶ୍ଚିତ କରୁଚି ।

 

ଦେହ ଉପରକୁ ଭଲ ଦେଖାଯାଏନା ।

 

କିନ୍ତୁ ମନ ଓ ହୃଦୟରେ ଆଣେ ଏକ ସ୍ମୃତିର ଆନନ୍ଦ ।

 

ସେଇଥି ଲାଗି ଏ ଚିରାସୁଏଟରଟିକୁ ପିନ୍ଧେ ।

☆☆☆

 

ଅଯୋନି—ସମ୍ଭବା

 

ସାହିତ୍ୟ ସଭାର ଅଧିବେଶନ, ଶିଳ୍ପ ଓ ଶିଳ୍ପୀ ସମ୍ୱନ୍ଧରେ ଆଲୋଚନା ଚାଲିଚି । କେହି ବୈଜ୍ଞାନିକ, କେହି ବା ଦାର୍ଶନିକ, ତତ୍ତ୍ୱ ଓ ରହସ୍ୟ ଉଦ୍‍ଘାଟନ କରି ଚାଲିଚନ୍ତି । କୁମାରିକାଠାରୁ କାମରୂପ—ଆଲୋଚନାର ଅଶ୍ୱ ବଲ୍‍ଗାହୀନ ହୋଇ ଯେମିତି ଦୌଡ଼ୁଚି । ପୋଥିଗତ ପାଣ୍ଡିତ୍ୟର ପୁଞ୍ଜି ସରିଯିବା ପରେ ସମସ୍ତେ ନିରୂପାୟ । ସବୁକଥା ଶେଷ ହୋଇଗଲେ ମଧ୍ୟ ମନେ ହେଉଛି ଯେପରି ଶେଷ କଥାଟି କୁହାଯାଇନି । ହାଠାତ୍‍ କେହି ଜଣେ କହିଉଠିଲେ—ଇଳାଦେବୀ, ଏଥର ଆପଣ କିଛି କୁହନ୍ତୁ ।

 

ସଭାର କଳରବ ମଝିରେ ଇଳାଦେବୀ ନୀରବ । ଏପରି ଅତର୍କିତ ଆକ୍ରମଣ ଲାଗି ଆଦୌ ପ୍ରସ୍ତୁତ ନ ଥିଲେ ।

 

ପୁଣି ସେଇ ଅନୁରୋଧ—କିଛି କୁହନ୍ତୁ ।

 

ଇଳାଦେବୀ ସମସ୍ତଙ୍କର ନିକଟବର୍ତ୍ତୀ ସତ କିନ୍ତୁ ସେ ବହୁତ ଦୂରର ମଣିଷ । ସଭାର ପ୍ରତ୍ୟେକ ଅଧିବେଶନରେ ସେ ଯୋଗ ଦେଇଥାଆନ୍ତି । ସାହିତ୍ୟରସର ତୃଷ୍ଣା ତାଙ୍କର ଅପରିମେୟ-। ଅନ୍ୟ ପାଞ୍ଚଜଣ ମହିଳାଙ୍କପରି ସେ ଶାଢ଼ି, ଗାଡ଼ି, ଗହଣା ଓ ବିଚିତ୍ର ଭ୍ୟାନିଟିବ୍ୟାଗ୍‍ର ଚଳନ୍ତା ବିଜ୍ଞାପନର ଜୀବନ୍ତ ପ୍ରତୀକ ନୁହଁନ୍ତି । ସେ କାହାର କନ୍ୟା, କାହାର ବଧୂ, କା’ର ମାତା, କା’ର ଭଗ୍ନୀ କେହି ଜାଣନ୍ତି ନାହିଁ । ତାଙ୍କ ପାଦ, ଆଖି, ସୀମନ୍ତ କେଉଁଠି ହେଲେ ଅଳତା, ଶଙ୍ଖା ବା ସିନ୍ଦୂରର ପରିଚୟ ନାହିଁ । କେଶବାସ କେଉଁଥିରେ ହେଲେ ନାହିଁ ପ୍ରସାଧାନର ପ୍ରଗଲ୍‍ଭତା । ସେ ଶ୍ରାବଣ ପୂର୍ଣ୍ଣିମାର ନିଶୀଥ ଜ୍ୟୋତ୍ସ୍ନାର ନିଃସଙ୍ଗ ରଜନୀଗନ୍ଧା, ଚମ୍ପା, ବକୁଳ, ଗୋଲାପ ନୁହନ୍ତି—ଖାଲି ଇଳାଦେବୀ । ଇଳାଦେବୀ ଲଜ୍ଜାଜଡ଼ିତ କଣ୍ଠରେ କହିଲେ, ମୁଁ ବା କ’ଣ ଜାଣେ ? ଆପଣମାନେ ଯାହା କହିଲେ, ତାଠୁଁ ବେଶି କହିବା ଅତିଶୟୋକ୍ତି ।

ଜଣେ କିଏ ଟିପ୍‍ପଣୀ କରି କହିଲା—ଯାହାହେଉ କହିବାକୁହିଁ ପଡ଼ିବ ।

ଇଳାଦେବୀ ଡୁବିଗଲେ ଚିନ୍ତାରେ । ଅନେକ ଦିନର ପୁରାତନ ପାତାଳଗର୍ଭରେ ଗୁପ୍ତଧନ ଥିଲାପରି, ମନେହେଲା ଇଳାଦେବୀଙ୍କ ଭିତରେ ସେମିତି କିଛି ଲୁକ୍‍କାୟିତ ହୋଇ ରହିଛି । ଇଳାଦେବୀ କହିବାକୁ ଆରମ୍ଭ କଲେ—

‘‘ଖାଲି କଥା, ରୂପ ନାହିଁ, ତେଣୁ ମନହେବ ରୂପ କଥା—ଅଧ୍ୟାପକ ବିନୟ ବାବୁଙ୍କ ଇତିହାସ । ବିଶ୍ୱବିଦ୍ୟାଳୟର କୃତିଛାତ୍ର ଥିଲେ ସେ । ତାଙ୍କର ବାପା ଥିଲେ ନୈଷ୍ଠିକ ହିନ୍ଦୁ । କିନ୍ତୁ ବାପା ହଠାତ୍‍ ବିଚଳିତ ହୋଇ ଉଠିଲେ ଗୋଟିଏ ସମ୍ୱାଦରେ । ଶୁଣିଲେ ବିନୁ ଗୋଟିଏ ଖ୍ରୀଷ୍ଟାନ୍‍ ପରିବାର ସହିତ ଘନିଷ୍ଠ ଭାବରେ ସଂପୃକ୍ତ । ସମ୍ପର୍କଟା ଝିଅ ସହିତ । ଏହି ସମ୍ୱାଦ ପାଇବା ଦିନଠୁ ବାପାଙ୍କର ଆଖିରେ ନିଦ ନାହିଁ । କୁଳ, ମର୍ଯ୍ୟାଦା ସବୁ ଯିବ । ଯଦି ବିନୁ ହଠାତ୍‍ ଏ ଝିଅଟିକି ବିବାହ କରେ ସର୍ବନାଶ । ବାପ କେବେ କେବେ ସ୍ୱପ୍ନ ଦେଖନ୍ତି । ପୁଅ ବିନୁ କ୍ରମେ କ୍ରମେ ଗୁଡ଼େଇ ହୋଇ ଯାଉଛି, ନାଗିଣୀର ନାଗଫାଶରେ ।

ତିନିମାସ ପରେ ବାପା ଚିଠି ଲେଖିଲେ—‘ବିନୁ ତୋର ପରୀକ୍ଷା ସରିଲାଣି—ଏଣିକି ସହରରୁ ଚାଲିଆ ।’

ବିନୁ ଉତ୍ତର ଦିଏ—‘‘ଆଉ କିଛିଦିନ ପରେ ଯିବି । ବର୍ତ୍ତମାନ ଆହୁରି ବହୁତ କାମ ବାକି ଅଛି ।’’

ମାସକପରେ ପୁଣି ପୈତୃକ ପତ୍ରାଘାତ ‘‘ଖବରକାଗଜରେ ତ ତୋ ନାଁ ବହାରି ଗଲାଣି–ଏଥର ଚାଲିଆ ।’’

ଉତ୍ତର ଗଲା, ‘‘ଭଉଣୀର ନାଁ ଏପର୍ଯ୍ୟନ୍ତ ବାହାରିନି ।’’

ଲଫାଫା ଖୋଲୁ ଖୋଲୁ ବାପା ଦେଖିଲେ ଚିଠି ନୁହେଁ—ଚିଠି ଭିତରେ ଦେଖିଲେ କେତୋଟି ଅଗ୍ନିକଣା । ‘‘ତୋର ଭଉଣୀ ? ତୋ ମା’ର ଝିଅ ତ ନାହିଁ କିବା ଆଉ ହେବାର ଆଶା ନାହିଁ । କାହା ସହିତ ତୋର ଭଉଣୀ ସମ୍ପର୍କ ?’’ ପୁଣି ବାପାଙ୍କର ପ୍ରଶ୍ନ । ଉତ୍ତର ମିଳିଲା—‘‘ମା’ର ଝିଅ ନୁହେଁ, ମାସୀମା’ର ଝିଅ—ସମ୍ୱନ୍ଧ, ଆନ୍ତରିକ ।’’

ଏହାପରେ ଆସିଲା ଚରମ ପତ୍ର, ‘‘ତୋର ବିବାହ—ଅମୁକର ଝିଅ ସଙ୍ଗେ । ସବାନ୍ଧବେ ଆଗମନ କରନ୍ତୁ ଇତ୍ୟାଦି ।’’

ଅବାକ୍‍ ବିନୟ ବାବୁ । ଏମ୍‍.ଏ.ପାସ୍‍ କରି ଖ୍ୟାତିସମ୍ପନ୍ନ ଲୋକ ସେ । ଇଂରାଜୀ ସାହିତ୍ୟର ପ୍ରଥମ ଶ୍ରେଣୀରେ ପ୍ରଥମ । ତା’ର ମତ ନ ନେଇ ବିବାହ ? ଅସମ୍ଭବ । ବର୍ବର ଯୁଗ—ବାପା ଆଧୁନିକ ନୁହଁନ୍ତି, ମରହଟ୍ଟୀ ! ପୁଅ ବୋଲି କ’ଣ ତାଙ୍କର ବ୍ୟକ୍ତିତ୍ୱ ରହିବନି ? ମାନସୀ ନିର୍ବାଚନରେ ଯୌବନର ଅଧିକାର ଚିରନ୍ତନ । ଆନ୍ତର୍ଜାତିକ ଆକାଶ । ସେ ହେଲିକାପ୍‍ଟରରେ ଉଡ଼ିବୁଲିବାକୁ ଚାହେଁ । ବାପା ବସି ରହିଥାଆନ୍ତୁ ସେହି ବଳଦ ଗାଡ଼ିରେ—ସେହି ପିତୃ-ଭୂମିର ଗ୍ରାମପଥରେ !

 

ପୁଣି ଟେଲିଗ୍ରାମ ଆସିଲା—‘‘ଶୀଘ୍ର ଆ—ଲଗ୍ନ ଗୋଧୂଳିରେ ବରାନୁଗମନ...’’

 

ଉତ୍ତର ଗଲା ଏକ ବଡ଼ ଲଫାଫାରେ ରେଜିଷ୍ଟ୍ରର ମ୍ୟାରେଜର ଦଲିଲ—ରେଜେଷ୍ଟ୍ରୀ ଡାକରେ ।

 

ପିତାଙ୍କର ଶେଷ ପତ୍ରରେ ଲେଖାଥିଲା, ‘‘ଯାହାକୁ ଭଉଣୀ ବୋଲି କହୁଥିଲୁ—ତାକୁଇ ବିବାହ କଲୁ ?’’

 

ବିନୟ ବାବୁଙ୍କ ଉତ୍ତର—‘‘ଆଚ୍ଛା, ବାପା ! ଯାହା ସହିତ ବିବାହ ଦେବାକୁ ଚାହୁଁଥିଲେ, ତାକୁ ବର୍ତ୍ତମାନ ଭଉଣୀ ବୋଲି ଡାକିଲେ କ’ଣ ଖରାପ ହେବ ?’’

 

ବାପା ଏତିକିରେ ସାବାଡ଼ । ସମ୍ପର୍କ ତୁଟିଲା ପିତ୍ରାଳୟରୁ । ବାପା ଏହି ଜବାବ କଥା ଭାବି ଭାବି ଶେଷରେ ସଂସାରରୁ ବିଦାୟ ନେଇଗଲେ ।

 

ବିନୟ ଓ ସୁଲତାର ଜୀବନ କିନ୍ତୁ ସୁଖମୟ ହୋଇ ରହିଲା ନାହିଁ । ସେତେବେଳେ ଖାଲି ଚାଲିବା ହିଁ ସାର ଥିଲା । ଚାଲୁ ଚାଲୁ କେଉଁ ଗୋଧୂଳି ଲଗ୍ନରେ ସ୍ୱପ୍ନପୁରୀର ପ୍ରାସାଦଦ୍ୱାରରେ ଯାଇ ପହଞ୍ଚିବେ—ତା’ର ଠିକଣା ନ ଥିଲା ବୋଲି ସମ୍ମୋହନ ହେଲା ଦୁର୍ଜୟ, ଆକର୍ଷଣ ଦୁର୍ବାର । କିନ୍ତୁ ଯେତେବେଳେ ସେସବୁ ଶେଷ ହୋଇଗଲା; ଦୁହେଁ ପରସ୍ପରକୁ ମୁଖା ମୁଖି ହେବା ମାତ୍ରେ ଶିହରି ଉଠିଲା ଆତଙ୍କ । କାଲି ଯେଉଁ ପ୍ରେମ ଅମରତ୍ୱର ଦାବି ନେଇ ବିପ୍ଳବ ସୃଷ୍ଟି କରିଥିଲା ଆଜି ତା’ର ସକରୁଣ ଆକସ୍ମିକ ଅପଘାତ ମୃତ୍ୟୁ !

 

ବିନୟର ସ୍ୱପ୍ନ ଭାଙ୍ଗିଲା । ଭୁଲ୍‍ କରିଚି ସେ । ସୁଲତା ଭିତରେ ସେ ଯେଉଁ ସୌନ୍ଦର୍ଯ୍ୟର ଧ୍ୟାନ କରିଥିଲେ ତା’ର ଆବିର୍ଭାବ ଅସମ୍ଭବ । ନିରୁପାୟ ହୋଇ ନିଜର ସମାଧି ରଚନା କରି ଚାଲିଛନ୍ତି—ଦର୍ଶନ, ଲଳିତକଳା ଓ ଇତିହାସର ସ୍ତୂପ ତଳେ । ସେଦିନ ସାଇପଡ଼ିଶା କୌଣସିଠି ସ୍ୱରଶବ୍ଦ ସୁଦ୍ଧା ନାହିଁ । ନୀରବ ନିଶୀଥ । ବିନୟ ବାବୁ ଖୋଲି ବସିଛନ୍ତି ଇତାଲୀ ଦାର୍ଶନିକଙ୍କ ବହି ‘‘ନନ୍ଦନ ତତ୍ତ୍ୱ ।’’ ପୃଷ୍ଠା ପରେ ପୃଷ୍ଠା ଓଲଟା ଚାଲିଚି । ସୌନ୍ଦର୍ଯ୍ୟ କ’ଣ ? ଶିଳ୍ପ କ’ଣ ? ଏହି ଜିଜ୍ଞାସା ନେଇ ଚାଲିଚି ପାଣ୍ଡିତ୍ୟର ଅଖଣ୍ଡ ଯୁକ୍ତି ଯୁଦ୍ଧ । ସବୁ ମନେମନେ । ହଠାତ୍‍ ଛିଣ୍ଡିପଡ଼ିଲା ଚିନ୍ତାର ଜାଲ । ଦୁଆର ପାଖରେ ଠିଆହୋଇଚି ସୁଲତା—କହିଲା, ‘‘ଆଉ କେତେ ପଢ଼ିବ ? ବହୁତ ରାତି ହେଲାଣି । ଶୋଇବାକୁ ଆସ ।’’ ଚମକି ଉଠିଲା ବିନୟ । ସୁଲତାର ସର୍ବାଙ୍ଗରେ ରୂପସଜ୍ଜା । ବେଣୀର ଭଙ୍ଗୀ, ଚକ୍ଷୁର ଇଙ୍ଗିତ, କଥାର ସଙ୍ଗୀତରେ ଗୋଟିଏ ଆହ୍ୱାନ—ପ୍ରଥମ ନାରୀ ପୁରୁଷକୁ ଯେଉଁ ଆହ୍ୱାନ କରିଥିଲା ନନ୍ଦନ କାନନରେ—ସେହି ଆହ୍ୱାନ । ‘‘ନନ୍ଦନ ତତ୍ତ୍ୱ’’ରେ ଏହାର ସ୍ଥାନ ନାହିଁ ।

 

ବିନୟ ବାବୁଙ୍କ ସମଗ୍ର ଶରୀର ବିତୃଷ୍ଣାରେ ସଙ୍କୁଚିତ ହୋଇଉଠିଲା । ରୂପରାଗର ଅପମୃତ୍ୟୁ କ’ଣ ଘଟେ ନା ରତିରେ ?

 

ବିନୟ ବାବୁ ହେବେ ରତିସୁଖବିମୁଖ ପ୍ରଜାପତି ଯେଉଁ ଫୁଲଶଯ୍ୟା ପଥରେ ଫୁଟି ଉଠିବେ, ସେହି ଫୁଲ ଉପରେ ପକ୍ଷ ବିସ୍ତାରୀ ସେ କରିବେ ନିଶ୍ଚିନ୍ତ ବିଶ୍ରାମ । ନିଶୀଥର ନୀଳପଦ୍ମ ସେ ।

 

କିନ୍ତୁ ସୁଲତା—ରକ୍ତ ଓ ମାଂସର କନ୍ୟା—ତା’ର କ୍ଷୁଧା ସନ୍ତାନ ଲାଗି ।

 

ଅଧ୍ୟାପକ ନୀରସ କଠୋର ସ୍ୱରରେ କହିଲେ, ‘‘ବିରକ୍ତ କରନା ସୁଲତା ! ମୁଁ ବର୍ତ୍ତମାନ ବ୍ୟସ୍ତ ।’’

 

କାନ୍ଦକୁ ଚାପିଦେଇ ସୁଲତା ମିନତି ଜଣାଇଲା, ‘‘ତୁମର ଦେହ ଖରାପ ହୋଇଯିବ ।’’

 

ବିନୟ ବାବୁ ରାଗି ଉଠିଲେ, ‘‘ଦେହକୁ ଯଦି କେହି ସ୍ନେହ କରୁଥାଏ, ଆପତ୍ତି ନାହିଁ କିନ୍ତୁ ମୁଁ ଚାହେଁ ଆତ୍ମା !’’

 

‘‘ତାହାହେଲେ ବିବାହର ମିଥ୍ୟା ବିଡ଼ମ୍ୱନା କାହିଁକି ?’’

 

ସୌମ୍ୟ ଶାନ୍ତ ସ୍ୱରରେ ବିନୟ ବାବୁ କହିଲେ, ‘‘ସୁଲତା ! ମୁଁ ଅମୃତ ଲାଗି କ୍ଷୁଧିତ ! ମତେ ମାଫ୍‍କର ।’’

 

ପାଖଘରେ ସୁଲତା ହତାଶା କ୍ଷୋଭରେ ବିକ୍ଷୁବ୍‍ଧ, ହୋଇ କାନ୍ଦେ, ଆଖି ଲୁହରେ ଶେଯ ଭିଜିଯାଏ । ତା’ର ସମଗ୍ର ଅନ୍ତର ହାହାକାର କରି ଉଠେ । ବିଶ୍ୱର ଚରମ ଅଭିଶାପ ପ୍ରତିଭା ପ୍ରେମ, ତାରି ଉପରେ ଆସି ଲଦା ହୋଇଛି ।

 

ଭାବି ଭାବି କାନ୍ଦେ ସୁଲତା ।

 

କଲେଜର ଶ୍ରୀକାନ୍ତ ରାୟ ଥିଲା ତା’ର ଶ୍ରେଣୀର ଛାତ୍ର । ଇଣ୍ଟରମିଡ଼ିୟଟ୍‍ ପାସ୍‍ କରି ଯେତେବେଳେ ସେ ତୃତୀୟ ଶ୍ରେଣୀରେ ଆସି ବସେ—ତା’ ଆଗରେ ଦେଖାଗଲା ବିଥିକା । ଶ୍ରୀକାନ୍ତ ତା’ର ଚିରାଚରିତ ଅହଙ୍କାର ନେଇ ଉପେକ୍ଷା କରିଥାଏ ବିଥିକାକୁ । ତା’ ମନରେ ବିଥିକା ଖାଲି ଜଣେ ଝିଅ । ତା’ଠାରୁ ଅଧିକ କିଛି ନୁହେଁ । କିନ୍ତୁ ତା’ର ଏ ଭୁଲ୍‍ ଭାଙ୍ଗିଲା ଯେତେବେଳେ ସେ ଅଧ୍ୟାପକମାନଙ୍କ ମୁହଁରୁ ଶୁଣିଲା ବିଥିକାର ଉଚ୍ଛ୍ୱସିତ ପ୍ରଶଂସା ।

 

ଅଧ୍ୟାପକ ବିନୟବାବୁ ବିଥିକାକୁ ଟିଉସନ କରନ୍ତି । ବିଥିକା ଆସେ ବିନୟ ବାବୁଙ୍କ ଘରକୁ ପଢ଼ିବାପାଇଁ । ଦିନେ ସୁଲତା ଭାରି ବ୍ୟସ୍ତ ହୋଇଉଠିଲା, ସେ ଜାଣିପାରିଲା ବିନୟ ବାବୁ ବିଥିକା ଲାଗି ଭାରି ବ୍ୟସ୍ତ । ଦିନ ପରେ ଦିନ, ଘଣ୍ଟା ପରେ ଘଣ୍ଟା ଗୋଟିଏ ନିର୍ଜନ ଘରେ ଗୁରୁଶିଷ୍ୟାଙ୍କ ମଧ୍ୟରେ କାବ୍ୟସାହିତ୍ୟ ଆଲୋଚନାର ଅନ୍ତରାଳରେ ଖାଲି କ’ଣ ଜ୍ଞାନର ପ୍ରଦୀପ ଜଳୁଚି ? ତା’ର କ’ଣ ଆଉ କୌଣସି ଶିକ୍ଷା ନାହିଁ ? ସଂଶୟ ଓ ଈର୍ଷାରେ ସୁଲତାର ବଞ୍ଚିତ ବୁଭୁକ୍ଷିତ ନାରୀ-ହୃଦୟ ବିଷାକ୍ତ ହୋଇଉଠିଲା । ଦିନେ ସେ କହି ପକାଇଲା, ‘‘ନା—ଝିଅ ପିଲାଙ୍କୁ ନେଇ ଏତେ ପଢ଼ାଶୁଣା ଭଲ ନୁହେଁ ।’’

 

ବିନୟବାବୁ ଅବାକ; ‘‘ବୁଝିପାରୁନା ସୁଲତା !’’

 

ସୁଲତା ବିରକ୍ତ ହୋଇ କହିଲା,—‘‘ଛାତ୍ରୀ ହେଉ ବା ଯେ କିଏ ହେଉ—ବୟସ୍କା ଝିଅ–ବିବାହ କରିନି । ତୁମ ସହିତ ଏକାକିନୀ ଗୋଟିଏ ଘରେ ଖୋଲା ଖୋଲି କବିତାର ଚର୍ଚ୍ଚା କରିବାକୁ ମୁଁ କଦାପି ଦେବିନି ।’’

 

ବିନୟ ବାବୁ ହସି ହସି କହିଲେ, ‘‘ତୁମେ ଜାଣ ନା ସୁଲତା—ବିଥିକା କିଏ ?’’

 

‘‘ହଁ, ଜାଣେ ନା କାହିଁକି, ଭଲକରି ଜାଣେ, ଚତୁର୍ଥ ବାର୍ଷିକ ଶ୍ରେଣୀର ଛାତ୍ରୀ । ସୁନ୍ଦରୀ, ତରୁଣୀ—ସମସ୍ତେ ତା’ରି କଥା ଚର୍ଚ୍ଚା କରନ୍ତି—’’

 

‘‘ସମସ୍ତେ ବୋଇଲେ ?’’

 

‘‘ଏହି ଶ୍ରୀକାନ୍ତ—ଆହୁରି ଅନେକ ।’’

 

‘‘କ’ଣ କହନ୍ତି ?’’

 

‘‘କହନ୍ତି...ନା—ତୁଣ୍ଡରେ ଧରି ହେବନି ।’’

 

‘‘ସେମାନେ ବୀଥିକୁ ଜାଣନ୍ତି ନାହିଁ ବୋଧହୁଏ; ବୀଥି ମୋ ପାଖରେ ଖାଲି ଝିଅ ନୁହେଁ–ରକ୍ତ ମାଂସର ଭକ୍ତମାନେ ତାକୁ ଯେଉଁ ଦୃଷ୍ଟିରେ ଦେଖନ୍ତୁ ପଛେ, ସେ ମୋର ଅନ୍ୱେଷଣର ଅବସାନ-।’’

 

‘‘ସତେ ?’’

 

‘‘ଜାଣ—ସେ ଅଯୋନିସମ୍ଭବା କନ୍ୟା । ପ୍ରକାଶ ହିଁ ତା’ର ପରିଚୟ, ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ ।’’

 

ମୁଣ୍ଡରେ ହାତ ଦେଇ ସୁଲତା କହେ, ‘‘ହାୟ—ଶେଷରେ ତୁମେ ଯିବ ମନର ଚିକିତ୍ସା ଲାଗି ?’’

 

ସକରୁଣ ହସି ହସି—ବିନୟ ବାବୁ ଜବାବ୍‍ ଦିଅନ୍ତି—‘‘ମହାଭାରତର କବି, କୋଣାର୍କର ଶିଳ୍ପୀ, ଏଲୋରାର ଭାସ୍କର ସମସ୍ତଙ୍କର ଧ୍ୟାନ ଏହି ବିଥିକାଉପରେ । ତା’ର ସୌନ୍ଦର୍ଯ୍ୟରେ କଳଙ୍କ ନାହିଁ । ତାକୁ ଭଲପାଇ କେହି ମାଟିର ଘର ବାନ୍ଧି ପାରେ ନା—ହେବାକୁ ପଡ଼ିବ ସର୍ବତ୍ୟାଗୀ—ସନ୍ନ୍ୟାସୀ ।’’

 

ମୁହଁରେ ଲୁଗାକାନି ଦେଇ ସୁଲତା କହେ, ‘‘ଏହାଠୁଁ ବଳି ଆଉ କଳଙ୍କ କ’ଣ ଥାଇପାରେ-? ଧିକ୍‍ ତୁମର ଶିକ୍ଷାକୁ !’’

 

ଏହାର କିଛିଦିନ ପରେ ଆରମ୍ଭ ହୋଇଗଲା–ଅଧ୍ୟୟନ ଓ ଅଧ୍ୟାପନାର ନୂତନ ଅଧ୍ୟାୟ-

 

ବିଥିକାର ବିରାଟ ପରିବର୍ତ୍ତନ ହୋଇଯାଇଛି । ତା’ ରୂପରେ ଜମି ଉଠିଚି ସ୍ନିଗ୍‍ଧ ଶୁଭ୍ର ଜ୍ୟୋତି । ବିଥିକା, ବିକଶିତା—ଅନନ୍ୟା ।

 

ଗୋଟିଏ ଅବସନ୍ନ ଅପରାହ୍ନ । ହଠାତ୍‍ ଦୁଆର ମୁହଁରେ ଦେଖାଦେଲା ଶ୍ରୀକାନ୍ତ । ସୁଲତା ତାକୁ ଜଣାଇଲା ସାଦର ଅଭ୍ୟର୍ଥନା ।

 

ଶ୍ରୀକାନ୍ତ ପଚାରିଲା, ‘‘ସାର୍‍ କିମିତି ଅଛନ୍ତି ? କ’ଣ ଦେହ ଖରାପ ହୋଇଛି, କଲେଜକୁ ଯାଉନାହାଁନ୍ତି ଯେ ?’’

 

ବିଦ୍ରୂପ ମୁହଁରେ ସୁଲତା କହିଲା—‘‘ସୁଖର ମାତ୍ରା ବଢ଼ି ଯାଇଛି ଶ୍ରୀକାନ୍ତ । ଆଚ୍ଛା ଶ୍ରୀକାନ୍ତ ! ତୁ ତ ଯୁବକ, ଗୋଟିଏ ମହତ୍‍ ବ୍ରତ ଉଦ୍‍ଯାପନ କରି ପାରିବୁ ? ଦେଶଲାଗି ତୁମେମାନେ ହିଁ ଫାଶୀକାଠରେ ଝୁଲୁଚ—ମରୁଚ ଦ୍ୱୀପାନ୍ତରରେ—ଉନ୍ମାଦ ହୋଇ ମୁଣ୍ଡ ବାଡ଼ଉଚ ନିର୍ଜ୍ଜନ କରାଗୃହରେ ? ଆଉ ଗୋଟିଏ ପୁଣ୍ୟ କାମ କରି ପାରିବ ନାହିଁ ?’’

 

‘‘କ’ଣ କୁହ ତ ?’’

 

‘‘ମୁକ୍ତି ! ବନ୍ଦିନୀ ନାରୀର ମୁକ୍ତି । ମଧ୍ୟଯୁଗର ନାଇଟ୍‍ଭଳି ଏକ ଦୈତ୍ୟପୁରୀର ନିର୍ଯ୍ୟାତିତା ରାଜକନ୍ୟାର ଉଦ୍ଧାର—’’

 

ଶ୍ରୀକାନ୍ତକୁ ଭାରି ଭଲ ଲାଗେ, କିନ୍ତୁ ଭୟ କରେ ସେ । ଧୀରେ ଧୀରେ କହେ, ‘‘ରାଜପୁତ୍ର ତ ନାହିଁ । ରାଜପ୍ରସାଦ ? ସେ ବି ନାହିଁ—ରାଜ କନ୍ୟାକୁ ମଧ୍ୟ ଚିହ୍ନିନି । ସମସ୍ୟାଟା କ’ଣ ? କ’ଣ କରିବାକୁ ପଡ଼ିବ ?’’

 

‘‘ହତିଆର ନେଇ ଆ—ଠିକ୍‍ କାଲି ।’’

 

ତା’ ଆରଦିନ ।

 

ଶ୍ରୀକାନ୍ତ ଜାଣେ ନା ତାକୁ କ’ଣ କରିବାକୁ ପଡ଼ିବ । କେବଳ ଜାଣେ ସମ୍ମୁଖରେ ଗୋଟାଏ କିଛି ସଂକଟ । ସେହି ସଂକଟର ଆବର୍ତ୍ତ ଭିତରୁ ହୁଏତ ଦେଖା ଦେବ ମୃତ୍ୟୁ ନଚେତ୍‍ ନୂତନ ଜୀବନ । କଳ୍ପନା ସୁଦ୍ଧା ସେ କହିପାରେ ନା ।

 

ଦୁଆର ମୁହଁରେ ଠିଆହୋଇଚି ସୁଲତା । କବରୀରେ ରକ୍ତମନ୍ଦାର । ଶ୍ରୀକାନ୍ତକୁ ଘରଭିତରକୁ ଡାକିନେଇ ଚୁପ୍‍ଚୁପ୍‍ କହିଲା—‘‘ପ୍ରସ୍ତୁତ ?’’

 

ବିନୀତ ବାଳକଟି ଭଳି ସେ ଜବାବ୍‍ ଦେଲା—‘‘ହଁ’’ ।

 

‘‘ତେବେ ଆ ।’’

 

ବିନୟବାବୁଙ୍କ ପଠନ କକ୍ଷ । ଭିତରେ ଆବୃତ୍ତି ଚାଲିଚି ଗାୟତ୍ରୀଗାଥା । ତା’ପରେ ଶେଲିଙ୍କ Hymn Intellectual beauty—କାଳିଦାସଙ୍କ ଉର୍ବଶୀ । କବିତା-ଆବୃତ୍ତି ଶେଷରେ ବିନୟ ବାବୁ କହନ୍ତି, ‘‘ତୁ ରକ୍ତ ନୋହୁଁ—ମାଂସ ବି ନୋହୁ, ତୁ ନିତ୍ୟ ପୁରୁଷର ମନ ଓ ହୃଦୟରେ ବିପୁଳ ଆଲୋଡ଼ନ । ତୁ କନ୍ୟା—ଅଯୋନି-ସମ୍ଭବା । ଇତିହାସର ପ୍ରତି ପୃଷ୍ଠାରେ ତୋର ପଦ-ଚିହ୍ନ ।’’

 

ତା’ପରେ ? ସେ ସ୍ୱର ଅଗ୍ନିଶିଖାଭଳି ଥରିଥରି କୁଆଡ଼େ ନିଭିଗଲା.... ।

 

ଆସ୍ତେ ଆସ୍ତେ ଦୁଆରର କବାଟଖୋଲି ପର୍ଦାକୁ ଆଡ଼େଇ ସୁଲତା ଶ୍ରୀକାନ୍ତକୁ ଡାକିଲା, ଦେଖିବାପାଇଁ । ଦେଖାଗଲା ବିନୟବାବୁ ତୁଳି ନେଇ ଛବି ଆଙ୍କୁଛନ୍ତି । ସମ୍ମୁଖରେ ବିଥିକା, ଲଜ୍ଜା ନାହିଁ—ସଜ୍ଜା ନାହିଁ—ହୁଏତ ବାହ୍ୟଜ୍ଞାନ ବି ନାହିଁ ।

 

ସୁଲତା ଶ୍ରୀକାନ୍ତକୁ କହିଲା—‘‘ଦେଖ, ଶ୍ରୀକାନ୍ତ ! ଋଷି ଏବଂ ଉର୍ବଶୀଙ୍କୁ ଦେଖ ।’’

 

ଶ୍ରୀକାନ୍ତର ରକ୍ତ ଭିତରେ ସୃଷ୍ଟି ହେଲା ତୋଫାନ୍‍ । ସେ ଚିନ୍ତା ସୁଦ୍ଧା କରିନଥିଲା—ସାର୍‍ ଓ ବିଥିକାର ସମ୍ପର୍କ ଏତେ ଜଘନ୍ୟ । ରିଭଲ୍‍ଭରର ଘୋଡ଼ାଟିପିଲା ଶ୍ରୀକାନ୍ତ—ଲକ୍ଷ୍ୟସ୍ଥଳ ଠିକ୍‍ ବିଥିକାର ବୁକୁ...ତା’ପରେ ସବୁ ଶେଷ ।

 

ଇଳାଦେବୀଙ୍କ ଭାଷଣ ସରିଲା । କିନ୍ତୁ ଶ୍ରୋତାମାନଙ୍କ ତୃପ୍ତିର ଶେଷ ନାହିଁ । ସମସ୍ତେ କହିଉଠିଲେ—ତା’ପରେ ?

 

ଅନିଚ୍ଛା ସତ୍ତ୍ୱେ ଇଳାଦେବୀ କହିଲେ, ‘‘ତା’ପରେ ? ମୋ ରୂପକଥାର କବର ଉପରେ କେବଳ ରହିଚି ଖବରର ଘାସ । ଅଧ୍ୟାପକ ବିନୟ ବାବୁ ଆଉ ଉଠି ନାହାଁନ୍ତି ସେଇ ନିଦ୍ରାରୁ । ଚିକିତ୍ସକମାନେ ରାୟ ଦେଲେ—ହୃତପିଣ୍ଡର ବିଶ୍ୱାସଘାତକତା... । ଶ୍ରୀକାନ୍ତର ମୃତ୍ୟୁ ଶରୀର ମିଳିଲା ଏକ କୂଅଭିତରୁ । ସେ ଆତ୍ମହତ୍ୟା କରିଥିଲା । ସୁଲତା ମାସକପରେ ବିବାହ କଲା ଆଡ଼ଭୋକେଟ୍‍ ଦାସଙ୍କୁ ।

 

‘‘ସେ ପୁଣି କିଏ ?’’

 

‘‘ବିଥିକାର ଜଣେ ମାମୁଁ । ଏ ବିବାହବେଳେ ବିଥିକା ମଧ୍ୟ ଉପସ୍ଥିତ ଥିଲା ।’’

 

ସମସ୍ତେ ସମସ୍ୱରରେ କହିଉଠିଲେ, ‘‘ବିଥିକା ତ ଶ୍ରୀକାନ୍ତର ଗୁଳିରେ ମଲା—ପୁଣି ସେ-?’’

 

ଇଳା ମୁହଁରେ ହସ । କହିଲେ, ‘‘ନା—ଗୁଳି ଲକ୍ଷ୍ୟଭ୍ରଷ୍ଟ ହୋଇ ବାଜିଲା ଆଲମାରିର କାଚ ଦେହରେ । ବିଥିକା କେବେ ମରିପାରେ ? ସେ ପରା ଅଯୋନିସମ୍ଭବା ?’’

 

‘‘ସେ ବର୍ତ୍ତମାନ କେଉଁଠି ? କାହା ସହିତ ବିବାହ ହେଲା ତା’ର ?’’

 

‘‘ତା’ର ବିବାହ ? ତା’ର ବିବାହ, ବିନୟ ବାବୁଙ୍କ ଆତ୍ମା ସହିତ । ପ୍ରେମିକର ପ୍ରାଣ ଚିରକାଳ ଲାଗି କାନ୍ଦି ମରେ । ବିନୟ ବାବୁଙ୍କ ସେଇ ଛବି ଚିରକାଳ ଲାଗି ଅଙ୍କା ନ ହୋଇ ରହିଗଲା— ।’’

 

ଜଣେ କିଏ କହି ଉଠିଲା ‘‘ଅଯୋନିସମ୍ଭବା କନ୍ୟା ବର୍ତ୍ତମାନ କେଉଁଠି ? ତା’ଘର କେଉଁଠି ? ଫୋନ ନମ୍ୱର ?’’

 

ଦୀର୍ଘନିଃଶ୍ୱାସ ଛାଡ଼ି ସେ କହିଉଠିଲେ, ‘‘ମୁଁ ଯଦି କହେଁ, ତା’ର ନାମ ଇଳାଦେବୀ, ଆଶାକରେଁ ଆପଣମାନେ କ୍ଷମା କରିବେ । ଆଚ୍ଛା ମୁଁ ଯାଉଛି । ରାତି ବହୁତ ହୋଇଗଲାଣି । ନମସ୍କାର... !’’

☆☆☆

 

ନାଗକନ୍ୟା

 

ହେମନ୍ତର ଏକ ଉଲଗ୍ନ ମଧ୍ୟାହ୍ନ ।

 

ମାନ୍ଦ୍ରାଜର ଚିଡ଼ିଆଖାନା । ଜଳାଶୟର କାଠବ୍ରିଜ ଉପରେ ମୋର ପ୍ରଥମ ପଦକ୍ଷେପ ହଠାତ୍‍ ବାଧାପ୍ରାପ୍ତ ହେଲା । ପଛରେ ଏକ କ୍ଷୀଣ କଣ୍ଠ ସ୍ୱରରେ । ପଛକୁ ଚାହିଁ ଦେଖିଲି ଜଣେ କ୍ଷୀଣାଙ୍ଗୀ ଷୋଡ଼ଶୀ । ଉତ୍‍ଥଳ ଯୌବନା । ହାତରେ ଖଣ୍ଡିଏ ଚମଡ଼ା ସୁଟକେଶ୍‍ । ପଛକୁ ଚାହିଁବା ଭିତରେ ଝିଅଟି ଦୁଇତିନିପଦ କହି ସାରିଥିଲା । ଭାଷା ଦୁର୍ବୋଧ୍ୟ । ତେଲୁଗୁ, ତାମିଲ କି କନ୍ନଡ଼ ଭାଷା ଜାଣେନା । ମୁଖଭଙ୍ଗୀରୁ ଜାଣିଲି, ମତେ ସେ କ’ଣ ପଚାରିବାକୁ ଚାହେଁ ।

 

ପ୍ରଥମେ ଅଭଦ୍ରାମି ହେବ ଭାବି କିଛି ନ ପଚାରି ନ ବୁଝିଲା ପରି ଚାହିଁରହିଲି । ଶରୀରର ପରିଧାନ, ମୁଖର ସୌଷ୍ଠବ, ଚକ୍ଷୁର ଭ୍ରୂଲତା ମତେ ଭାରି ଭଲ ଲାଗୁଥିଲା । ପରିଚୟ ପାଇବାପାଇଁ ମନରେ ବ୍ୟଗ୍ରତା ଅପେକ୍ଷା କୌତୂହଳ ଥିଲା ଅଧିକ । ଭାବିଲି ନାଁ ପଚାରିବା ଭୁଲ୍‍ ହେବ । ମାନ୍ଦ୍ରାଜ ସହର । ଭଦ୍ରଘର ଝିଅ ହୋଇଥିଲେ ପରିଚୟ ବଦଳରେ ହୁଏତ ମତେ ଗାଳି ଶୁଣିବାକୁ ପଡ଼ିପାରେ, ନଚେତ୍‍ ଚାପୁଡ଼ା ।

 

କିଛି ନ ପଚାରି ଆଗକୁ ଚାଲିଲି । ପୁଣି ସେଇ ବାଧା । ଅଭିସାରିକା ରାଧାପରି ସେ ମୋର ଅନୁଗାମିନୀ । ବ୍ରିଜର ଆରପଟକୁ ପାରି ନ ହେଉଣୁ ହଠାତ୍‍ ଅନୁଭବକଲି ମୋ ଡାହାଣ ହାତ ଉପରେ ତା’ ହାତ ।

 

ପ୍ରଥମେ ପଚାରିଲି ଇଂରେଜୀରେ, ‘‘କ’ଣ ଚାହଁ ?’’

 

ମଥା ହଲେଇ ଝିଅଟି କହିଲା, ‘‘କିଛି ନୁହେଁ ?’’

 

‘‘ତେବେ ?’’

 

‘‘ମୁଁ ଖାଲି ତମର ପଛରେ ଯିବାକୁ ଚାହେଁ—ତୁମେ ଯୁଆଡ଼େ ଯିବ । କିନ୍ତୁ ତୁମେ ଏତେ ଜଲ୍‍ଦି...’’

 

‘‘ମୁଁ କଟକ ଯିବି ?’’

 

‘‘କଟକ ?’’

 

‘‘ହଁ କଟକ, ଓଡ଼ିଶାର ଲୋକ ମୁଁ ?’’

 

ପରେ ପରେ ଝିଅଟି ସ୍ପଷ୍ଟ ଓଡ଼ିଆରେ କହିବା ଆରମ୍ଭ କଲା । ଅବାକ୍‍ ହୋଇପଡ଼ିଲି । ମନେହେଲା କିଛି ଏକ ଅଦ୍ଭୁତ ଘଟଣା ଏହା ପଛରେ ରହିଛି । ସେ ମୋର ହାତଟାଣି ଏକ ଘାସ ପଡ଼ିଆରେ ବସିବାକୁ କହିଲା । ଜଣେ ପୂର୍ଣ୍ଣ ଯୌବନା ସୁନ୍ଦରୀ ଝିଅର ସାନ୍ନିଧ୍ୟ ଓ ସ୍ପର୍ଶପାଇ ତରୁଣ ମନରେ ସ୍ୱାଭାବିକ ଯେଉଁ ପୁଲକ ଆସିବା କଥା ସେ ପର୍ଯ୍ୟନ୍ତ ମୋ ଦେହରେ ସେମିତି କିଛି ଆସି ନଥିଲା । ମନରେ ଆଶଙ୍କା, କୌତୂହଳ କ୍ରମଶଃ ବଢ଼ି ଉଠିଲା ।

 

ଚମଡ଼ା ସୁଟକେଶ୍‍ଟି ଫିଟାଇବାରେ ସେ ବ୍ୟସ୍ତ । ଦେଖିଲି ସୁଟକେଶରେ ଗୁଡ଼ିଏ ସିଲକେନ ଶାଢ଼ି, ଦର୍ପଣ, ପାନିଆଁ ଆଉ କେତେଗୁଡ଼ିଏ କାଗଜ ।

 

‘‘ଦେଖନ୍ତୁ ତ ଏଥିରେ କ’ଣ ଲେଖା ହୋଇଛି’’ ସେ କହିଲା ।

 

‘‘ଏଇତ ଖଣ୍ଡିଏ ଚିଠି’’

 

‘‘ଚିଠି ନୁହେଁ କେତୋଟି ମିଠା କଥା ।’’

 

‘‘ତୁମ ମିଠାକଥାର ଆସ୍ୱାଦନା ମୁଁ ଚାହେଁ ନା ।’’

 

ବହୁ ଅନୁରୋଧ ପରେ ଚିଠିଟି ପଢ଼ିଲି । ଲେଖାଥିଲା—‘‘ନିଶି ! ଚିଠି ପାଇବାମାତ୍ରେ ତୁ ନିଃସନ୍ଦେହ ଭାବରେ ମାନ୍ଦ୍ରାଜ ଚାଲିଆ । ମୁଁ ଏଠି ଚାକିରି ପାଇଛି । ଚିଡ଼ିଆଖାନାରେ । ଦରମା ମାସକୁ ୨୫୦ । ଏତେଦିନ ଅପେକ୍ଷା ପରେ ମୁଁ ଜାଣେ, ତୋ ମନ ଭାଙ୍ଗିଯିବଣି । ଜୀବନର ସମସ୍ତ ସୋହାଗ, ସମ୍ପଦ ତ୍ୟାଗକରି ତୁ ମତେ ଚାହିଁ ରହିଚୁ । ଚାରି ବର୍ଷ ତଳେ ମନେପଡ଼ୁଛି ସେଦିନ ଦିନାନ୍ତର ବିଦାୟ । ତୋ ଆଖିର ଲୁହ ପୋଛିବା ପାଇଁ ବହୁତ ଥର ହାତ ବଢ଼େଇଛି । କିନ୍ତୁ ହାତ ଯାଉ ନଥାଏ । ପାଖରେ ଥାଇ ମଧ୍ୟ ତୁ ବହୁଦୂରରେ ଥିଲୁ । ଭାବିଲି, ଖାଲିହାତରେ ଲୁହପୋଛି ହୁଏନା, ସେଥଲାଗି ଗୁଡ଼ାଏ ନୋଟ୍‍ ଦରକାର । ମନେପଡ଼ୁଛି ସ୍କୁଲରେ ପଢ଼ିବାବେଳେ ଦୁହେଁ କଳ୍ପନା କରୁଥିଲେ ଦୂର ପାହାଡ଼ର ସବୁଜ ଶଯ୍ୟାକୁ ଚାହିଁ ରହି । ଗୋଟାଏ ଘର ହୁଅନ୍ତା—ସୁନାର ଘର । ଦୁହେଁ ଏକାଠି ରହନ୍ତେ, ମୁଁ ଗୀତ ଲେଖନ୍ତି—ତୁ ସୁର ଦିଅନ୍ତୁ । ମୁଁ ବେହେଲା ବଜାନ୍ତି-ତୋର କିଂକିଣୀ ବାଜିଉଠନ୍ତା ତାଳେ ତାଳେ—ତୁ ନାଚନ୍ତୁ, ଉପଭୋଗ କରନ୍ତେ ଜୀବନକୁ ଜୀବନପରି । ପେନ୍‍ସିଲ ଧରି ଜ୍ୟାମିତି କଷୁ କଷୁ ତୁ ସେହି ସୁନାର ଘରର ନକ୍‍ସା ଆଙ୍କୁଥିଲୁ । ମୁଁ ତୁଳି ଦେହରେ ତୋର ସେହି କ୍ଷୀଣ ରେଖାକୁ ମୋଟେଇ ଦେଉଥିଲି ।

 

‘‘ମୋର ବୟସ ବଢ଼ିବା ସଙ୍ଗେ ସଙ୍ଗେ ମନରେ ସେହି ଲେଖାଗୁଡ଼ାକ ଶିରାପ୍ରଶିରାପରି ପ୍ରସରି ଯାଉଥାଏ, ଆଡ଼ୟାରର ପୃଥିବୀବିଖ୍ୟାତ ବଟବୃକ୍ଷର ଓହଳପରି କ୍ରମେ କ୍ରମେ ସାରା ଶରୀରରେ ବ୍ୟାପୀଗଲା । କେତେଥର ରୋଗଗ୍ରସ୍ତ ହୋଇଛି—ସେହି ଚିନ୍ତାରେ ।’’

 

‘‘ତା’ପରେ...ବିଚାରକଲି ନାଁ—ତତେ ପାଇବାପାଇଁ ଟଙ୍କା ଦରକାର । ଚାକିରି କରିବି । ଓଡ଼ିଶାରେ ନୁହେଁ...ଓଡ଼ିଶା ବାହାରେ । ତୋଠୁ ବିଦାୟ ନେଲି ସେଥିପାଇଁ । ଏଠିକି ଆସି ଫୁଟ୍‍ପାଥରେ ବହୁତ ଦିନ ବୁଲିଚି । ସାର୍ଟିଫିକେଟ ଦେଖାଇ ମନ ବିବ୍ରତ ହୋଇପଡ଼ିଛି । ସମୁଦ୍ରକୂଳକୁ ଯାଇଛି ଆତ୍ମହତ୍ୟା କରିବାପାଇଁ । କିନ୍ତୁ ଅନନ୍ତ ବିସ୍ତୃତି ଓ ନୀଳିମା ଦେହରେ କି ମହିମା ଅଛି କେଜାଣି କୂଳରେ ପହଞ୍ଚି ଭୁଲିଯାଏ କାହିଁକି ଆସିଛି । ବସିବସି ଭାବେ—ସବୁ ଭୁଲିଯାଏ । ପୁଣି ଫେରିଆସେ କୋଳାହଳ ଭିତରକୁ । ଅନନ୍ତ ନୀଳିମା ଭିତରେ ଯାହାକୁ ଭୁଲିଯାଏ କୋଳାହାଳ ଭିତରେ ତାକୁ ଫେରିଯାଏ ।’’

 

‘‘ଏମିତି ବହୁଦିନ କଟିଗଲା । ଶେଷରେ ଚାକିରି ପାଇଲି—ପ୍ରଥମେ କଫି ହୋଟେଲରେ ପରେ ଜଣେ ଦରଜି ପାଖରେ ତା’ପରେ ଯାଇ ଏଇଠି । ପ୍ରଥମ ମାସରେ ଯେତେବେଳେ ମୁଁ ପ୍ରଥମଥରପାଇଁ ଦରମାଗଣ୍ଡାକ ଗଣିବସେ—ଭାବିଲି କଳ୍ପନା ନିଶ୍ଚୟ ବାସ୍ତବ ହେବ । କିନ୍ତୁ ଏତେବର୍ଷ ପରେ ନିଶି କ’ଣ ବିବାହ ନ କରି ରହିଥିବ ? ହୁଏତ କେଉଁ ଅଲିଅଳ ରାଜପୁତ୍ର କୋଳରେ ଚୁମ୍ୱନର ମଧୁର ସ୍ପର୍ଶରେ ଆଜି ନିଶି ନିଶିଥର ବିଳାସ ଭୋଗୁଥିବ ।’’

 

‘‘ମୋର ଚିଠି ବୃଥା । ଖାଲି ମନର ତୃଷ୍ଣା ମେଣ୍ଟାଇବା ପାଇଁ ଲେଖିଯାଇଛି, ଯଦି ପାଏ ସାନ୍ତ୍ୱନା ମିଳିବ ।’’

 

‘‘ନିଶି ! ଯଦି ତୁ ପ୍ରକୃତରେ ଅବିବାହିତା ରହିଥାଉ—ମତେ ଅପେକ୍ଷା କରିଥାଉ—ଶୀଘ୍ର ଚାଲିଆ... । ମୋର ଆଉ ଓଡ଼ିଶାକୁ ଫେରିବା ସମ୍ଭବ ନୁହେଁ । ବାପ ମାଆଙ୍କ ତାଡ଼ନାରୁ ମୁଁ ରକ୍ଷା ପାଇ ଯାଇଛି । ଯଦି ତୁ ନ ଆସୁ ମୋ କଳ୍ପନା ସୌଧ ଟଳିଯିବ । ମଁ ହୁଏତ ମାନ୍ଦ୍ରାଜର ଫୁଟପାଥରେ ଝଟକାବାଲାଙ୍କ ଭଳି ମାତାଲ ହୋଇ ସାମୟିକ ଆନନ୍ଦରେ ବିଭୋର ହୋଇ ରହିବି । ନଚେତ୍‍ ଇିମିତି ଖାଲି ଚିଠି ଲେଖି ଲେଖି ପ୍ରାଣର ଜ୍ୱଳନ୍ତ ଅଗ୍ନିକୁ ଦହସିତ କରି ରଖିବି । ଶେଷରେ ପୋଡ଼ିଯିବି ।’’

 

ତୁ କିନ୍ତୁ ଆସିବୁ ବୋଲି ମୋର ଦୃଢ଼ ବିଶ୍ୱାସ । ସ୍ନେହ ନେବୁ ।

 

ତୋର

ଅବନି’’

 

ଉଦ୍‍ବିଗ୍ନ ହୋଇ ଚିଠିଟି ପଢ଼ୁଥିବାବେଳେ ମୁଁ ଲକ୍ଷ୍ୟ କରିଛି ବାଳିକାଟିର ଆଖିରେ ଦୁଇଧାରା ଲୁହ । ମୋ ମନରେ ଖାଲି ସହାନୁଭୂତି କିନ୍ତୁ ନିରୁପାୟ ।

 

ମାନ୍ଦ୍ରାଜ କଲିକତା ମେଲ ଛାଡ଼ିବ ଠିକ୍‍ ରାତି ଆଠଟା ପଚିଶରେ । ଷ୍ଟେସନକୁ ଆସିବାପାଇଁ ମୁଁ ବ୍ୟସ୍ତ ହୋଇ ଉଠୁଥାଏ । କିନ୍ତୁ ବାଳିକାଟି ମୋ ପଛେ ପଛେ । ମୋ ପ୍ରତି ବହୁଲୋକଙ୍କର ବିଦ୍ରୂପ ଦୃଷ୍ଟି ପଡ଼ୁଥାଏ । ଲଜ୍ଜାଲାଗେ ମୁହଁ ଉପରକୁ ଉଠାଇବାଲାଗି । ଷ୍ଟାଡ଼ିୟମ ପାର ହୋଇ ଆସିଲି ମୁର ବଜାର ।

 

ବାଳିକାଟିର ଅନୁଗମନ ଲାଗି ରହିଛି ।

 

ପ୍ରାଣରେ ଦୟାଥିଲା । କିନ୍ତୁ ମାନ୍ଦ୍ରାଜର ଦିନକର ଆଓ୍ୱାରା ହୋଇ ଅନ୍ୟକୁ ସାହାଯ୍ୟ କରିବା ଭଳି ଦୁଃସାହସ ମୋର ନ ଥିଲା । ଇଚ୍ଛା ହେଉଥାଏ ବାଳିକାଟି ଚାଲିଯାଆନ୍ତା କି ରକ୍ଷା ପାଇଯାଆନ୍ତି । କିନ୍ତୁ ସେ ମିଶିଯାଏ, କଥା କହେ ଅନ୍ତରଙ୍ଗ ବନ୍ଧୁଭଳି ।

 

ଷ୍ଟେସନର ଗୋଟିଏ ବେଞ୍ଚ ଉପରେ ଆମେ ଦୁଇଜଣ ବସିଲୁ—ହୁଏତ ସ୍ୱାମୀ ସ୍ତ୍ରୀ ନଚେତ୍‍ ଭାଇ ଭଉଣୀ ଭଳି । ବହୁତ ବୁଝାଉଥାଏ । ଏମିତି ଖଣ୍ଡିଏ ଚିଠିରେ ଭାସିଯାଇ ଓଡ଼ିଶାରୁ ମାନ୍ଦ୍ରାଜ ଚାଲିଆସିବା ତୁମର ଭୁଲ୍‍ ହୋଇଚି । ଘରେ ବାପା ମା ଚାହିଁଥିବେ—ଫେରି ଯାଅ ।

 

‘‘ନା ଆଉ ଫେରିବିନାହିଁ । ଅବନି ନିଶ୍ଚୟ ଏହି ମାନ୍ଦ୍ରାଜରେ ଅଛି ।’’

 

‘‘କିନ୍ତୁ ଚିଡ଼ିଆଖାନାରେ ସେ ନାହାନ୍ତି—ତେବେ କେଉଁଠି ?’’

 

‘‘ହୁଏତ ଚିଡ଼ିଆଖାନାରୁ ଯାଇ ସେ ଅନ୍ୟ କୌଣସିଠି ଚାକିରି କରୁଛି ।’’

 

‘‘ତମକୁ ଜଣାଇ ଥାଆନ୍ତେ ତ ।’’

 

‘‘ଚିଠି ଯିବାବେଳକୁ ମୁଁ ହୁଏତ ଚାଲି ଆସିଛି ।’’

 

ଯୁକ୍ତିରେ ପରାସ୍ତ ହୋଇ ମୁଁ ନୀରବରେ ବସି ରହିଥାଏ । ଏକ ବିଚିତ୍ର ପରିସ୍ଥିତିର ଇନ୍ଦ୍ରଜାଲ ଭିତରେ ପଡ଼ି ପ୍ରକୃତରେ ମୋ ମନ ବ୍ୟତିବ୍ୟସ୍ତ ହୋଇ ପଡ଼ିଥାଏ ।

 

ଗାଡ଼ି ଛାଡ଼ିବାକୁ ଆଉ ଘଣ୍ଟାଏ ବାକି ।

 

ଷ୍ଟେସନର ଲେଫ୍‍ଟ ଲଗେଜରୁ ମୁଁ ମୋର ବେଡ଼ିଂ ଫେରାଇ ଆଣି ବାନ୍ଧିବାରେ ବ୍ୟସ୍ତ ।

 

ବାଳିକାଟି ଧୀର ସ୍ୱରରେ କହିଲା, ‘‘କିଛି ମନେ କରିବେ—ନି ତ ?’’

 

‘‘କ’ଣ ?’’

 

‘‘କୋଡ଼ିଏଟି ଟଙ୍କା ଦରକାର’’

 

‘‘କାହିଁକି—ତମ ପାଖରେ କିଛି ନାହିଁ ?’’

 

‘‘ବିଲ୍‍କୁଲ୍‍ ନାହିଁ, ଚଳିବି କିମିତି ?’’

 

‘‘ସହଜେ ଝିଅ ପିଲା—ଅଭାବରେ ତୁମେ ରହିବାକୁ କିମିତି ସାହସ କରୁଚ ?’’ ପଚାରିଲି ।

 

‘‘ନାଁ ମୁଁ ଗୋଟିଏ ହୋଟେଲ ଠିକଣା କରିଛି, ସେଇଠି ରହିଥିବି । ଅବନୀର ଦେଖାହେଲେ, ସବୁ ବ୍ୟବସ୍ଥା ହୋଇଯିବ । ହାତ ଖର୍ଚ୍ଚ ଓ ହୋଟେଲକୁ ଅଗ୍ରୀମ ଦେବାପାଇଁ ଅତି କମରେ କୋଡ଼ିଏ ଟଙ୍କା ଦରକାର ।’’ ଝିଅଟି କହି ଚାଲିଛି ।

 

‘‘କିନ୍ତୁ ମୋ ପାଖରେ ତ ବଳକା ଟଙ୍କା ନାହିଁ । ଟିକଟ କାଟିବା ପରେ ବାଟଖର୍ଚ୍ଚ ପାଇଁ ମୋଟେ ପାଞ୍ଚଟି ଟଙ୍କା ଅଛି ।’’

 

‘‘ନାଁ ମତେ ଦେବାକୁ ହିଁ ପଡ଼ିବ ।’’ ଝିଅଟିର ଜିଦ୍‍ କହିଲେ ନସରେ ।

 

‘‘ଥିଲେ ସିନା ।’’

 

‘‘ନିଶ୍ଚୟ ଅଛି’’ ବାଳିକାଟିର କଣ୍ଠରେ କର୍କଶ ସ୍ୱର ।

 

ଦେଖିଲି ବର୍ତ୍ତମାନ ଆଖିରେ ପୂର୍ବ ସରଳ କରୁଣ ଚାହାଁଣି ନାହିଁ । ବିକଟ ଦୃଷ୍ଟି । ଦେଖୁ ଦେଖୁ କାନ୍ଦି ଉଠିଲା—ସେ ଭୋ ଭୋ ରଡ଼ି । ସ୍ଥିର ଚିତ୍ତରେ ମୁଁ ତାକୁ ଚାହିଁ ରହିଥାଏ । ରେଲବାଇ ପୁଲିସ ଆସି ରୁଣ୍ଡ ହେଲେ । କ୍ରମଶଃ ଲୋକ ସମାଗମ ଅଧିକରୁ ଅଧିକ । ତୁନିଟି ହୋଇ ମୁଁ ଚାହିଁ ରହିଥାଏ ମାନ୍ଦ୍ରାଜର ଏହି ବିଚିତ୍ର ବିଷାକ୍ତ ନାଗକନ୍ୟାକୁ ।

 

ତାମିଲ ଭାଷାରେ ସେ ପୁଲିସକୁ କ’ଣ କହିଲା କେଜାଣି ପୁଲିସ ମତେ ପଚାରିଲା ‘‘ଆପଣ କ’ଣ ୟାର ସ୍ୱାମୀ ?’’

 

ହସକୁ ଚପେଇ ଉତ୍ତର ଦେଲି,

 

‘‘ଏହାକୁ ମୁଁ ଚିହ୍ନେ ନା ।’’

 

‘‘ଆପଣ କେଉଁଠୁ ଆସିଲେ ?’’

 

ପୁଲିସ ପଚାରିଲା ।

 

‘‘ତ୍ରିଚନାପଲ୍ଲିରୁ’’ ଟିକଟ ଦେଖାଇଲି ।

 

ପୁଲିସ ଟିକଟ ଦେଖି ବାଳିକାଟିର ଫିସାଦିକୁ ଠିକ୍‍ ବୁଝିପାରିଲା । ତାକୁ ଟାଣି ନେଇଗଲେ ମୋ ପାଖରୁ । ପରେ ଜଣାଗଲା ଝିଅଟିର ଫଟୋ କ୍ରିମିନାଲ ତାଲିକା ଅନ୍ତର୍ଭୁକ୍ତ । ଘର ତା’ର ପଲାସା ଆଡ଼େ । ଏହି କାରବାର କରି ଗତ ପାଞ୍ଚବର୍ଷ ଧରି ସେ ଚଳି ଆସୁଚି । ଦିଲ୍ଲୀ, କଲିକତା ସବୁଆଡ଼େ ।

 

ଟ୍ରେନରେ ବସି ମୁଁ ଖାଲି ଭାବୁଥାଏ ସେ ଓଡ଼ିଆ ଚିଠିଟି କଥା । ଜଣେ ଶିକ୍ଷିତ ଲୋକ ହାତର ଗୁଡ଼ିଏ ଅକ୍ଷର । ବେଶ୍‍ ଗୋଲଗାଲ—ଭାଷା କବିତାପୂର୍ଣ୍ଣ, ସକରୁଣ, ମଧୁର । ଚିଠିଟି ସଂଗ୍ରହ କଲା କିମିତି ?

 

ବିଚିତ୍ର ମାନ୍ଦ୍ରାଜ ସହରକୁ ନମସ୍କାର ଜଣାଇ ମୁଁ ଗାଡ଼ିର ଝରକା ବନ୍ଦ କରିଦେଲି ।

 

(ବେତାର କେନ୍ଦ୍ର ସୌଜନ୍ୟରୁ)

☆☆☆

 

କଳାଧୂଆଁ

 

ଜଣେ ବିଦେଶୀ ଫେରନ୍ତା ବନ୍ଧୁ କହୁଚନ୍ତି, ମୁଁ ଶୁଣୁଚି—

 

‘‘ଆରବ ସାଗର ଓପର ଦେଇ ଜାହାଜ ଚାଲିଚି । ଜାହାଜଜୀବନରେ ଯେପରି ବିଶେଷତ୍ୱର ଅଭାବ ନ ଘଟେ, ସେଥିଲାଗି ନାନା ବନ୍ଦୋବସ୍ତ । ସେ ଦିନ ସକାଳୁ ସମସ୍ତଙ୍କ କାନରେ ବାର୍ତ୍ତା ପହଞ୍ଚିଲା—କାଲି ରାତିରେ ନାଚ ହେବ । ମାଇକ୍ରୋଫୋନ ଦେଇ ବାରମ୍ୱାର ଜଣାଇ ଦିଆଯାଉଚି । ଜାହାଜରେ ସବୁଠାରୁ ପ୍ରଧାନ କାମ ଏବଂ ଚିନ୍ତା ହେଲା ଖାଇବା । ଏକସପ୍ତାହ ଧରି ଖାଇବା ପିଇବା ଛଡ଼ା ଆଉ ଯେକୌଣସି ସୁଖ ଅଛି ତାହା କାହାରି ମନରେ ନାହିଁ-। ସକାଳ ସାଢ଼େ ଛଅଟାରୁ ବିଛଣାରେ ଶୋଇ ଚାହା ପିଉ ପିଉ ଶୁଣିଲି—‘‘କି ଭାଇ—ଆଜି ନାଚର ପ୍ରୋଗ୍ରାମ, ଯୋଗ ଦେବ ?’’ ମୋ ଭଳି ଯେଉଁମାନେ ଭାରତୀୟ, ସମସ୍ତେ ଗୋଟିଏ ଦଳର-। କେହି ଯେ ନାଚ ଦେଖିବାକୁ ଯିବେନି, ଏକଥା ନିଃସନ୍ଦେହ । ଏଥିଲାଗି କାହାରି ଆକର୍ଷଣ ନାହିଁ ତିଳେହେଲେ ।

 

ସକାଳ ୯ଟାରେ ଦ୍ୱିତୀୟ ପରିବେଷଣ—ସକାଳ ଟିଫିନ । ଟିଫିନ ଖାଇ ଯେଉଁମାନେ ଘରକୁ ଗଲେ, ସେମାନେ କାଲି ସନ୍ଧ୍ୟା ସାତୁଟା ବେଳେ ଡିନର ଖିଆ କେହି ଭୁଲି ଯାଇ ନଥିଲେ । ଆମ ଟେବୁଲ ଆଗରେ ବସିଥିଲେ ବାରଜଣ, ମୁଁ ଆଉ ଅହମ୍ମଦ ସାହେବ ଭାରତୀୟ ଆଉ ସମସ୍ତେ ଅଭାରତୀୟ ତଥା ସାଦା ଚମଡ଼ାଧାରୀ । ଟେବୁଲରେ ସବୁଠାରୁ ଯାହା ଉପରେ ବେଶୀ ଦୃଷ୍ଟି ପଡ଼ୁଥିଲା—ସେ ହେଉଛନ୍ତି ଜଣେ ମହିଳା । ଭଦ୍ରମହିଳା ଯେ ଅଷ୍ଟ୍ରେଲିଆରୁ ଆସିଚନ୍ତି, କଥାରୁ ଜଣା ପଡ଼ୁଥିଲା । ବୟସ ଅନୁମାନ ସାପେକ୍ଷ ପଞ୍ଚତିରିଶରୁ ସଁତିରିଶ । ଗଭୀର ନୀଳାଭ ଆଖି ଦିଇଟା—ଆଖିକି ଦେଖି ମନେ ହେଉଥିଲା—ଜୀବନରେ ବହୁ କଥା ନେଇ ବିଶେଷ ଧରଣର ଅଭିଜ୍ଞତା ରହିଚି ଏବଂ ସବୁଠାରୁ ସୁନ୍ଦର ଦେଖା ଯାଉଥିଲା ସୁନେଲୀ ରଙ୍ଗର କେଶଗୁଚ୍ଛ । ଜାଣେ ନା ଏହା ରଙ୍ଗ କରାଯାଇଚି କି ନା ? ଭଦ୍ରମହିଳା ଶୀର୍ଣ୍ଣ କାୟା—ତାଙ୍କର ଦୃଷ୍ଟିରେ ଏଭଳି ଗୋଟାଏ ଭାବ ରହିଚି ଯାହା ହେଉଚି ସବୁ କିଛି ଉପରେ ଘୃଣା ଏବଂ ଅନାସକ୍ତି । ସମସ୍ତେ କଥାବାର୍ତ୍ତା କରୁଚନ୍ତି କିନ୍ତୁ ଭଦ୍ରମହିଳା ନୀରବ, କଥା ନାହିଁ ବାର୍ତ୍ତା ନାହିଁ, ଅତି ଗମ୍ଭୀର ପ୍ରକୃତିର କିନ୍ତୁ ଶାନ୍ତ । ଓୟେଟରଙ୍କୁ ଆଙ୍ଗୁଠିରେ ମେନୁରେ ଦେଖେଇ ଦେଲେ—ସେ କ’ଣ ଖାଇବାକୁ ଚାହାଁନ୍ତି । ଅତିଶୟ ମିତାହାରି, ଭାବୁଥିଲି ଏତେ କମ୍‍ ଖାଇ ମଣିଷ ବଞ୍ଚେ କିପରି ? ଲଞ୍ଚ୍ ଏବଂ ଡିନରରେ ଲୋଫ ଗୋଟାକରୁ ବେଶୀ ଡିସ ଖାଆନ୍ତିନି । ଓପରବେଳା ଚାହା କପେ ସୁଦ୍ଧା ଖାଇବାର ଦେଖିନି-। ଡିନର ପରେ ସମସ୍ତେ ଯେତେବେଳେ ଯାଇ କଫି ଧରି ଲଉଞ୍ଚେରେ ବସନ୍ତି, ଭଦ୍ରମହିଳା ଏକା ଏକା ଯାଇ ବସନ୍ତି ଫାୟାର ପ୍ଲେସରେ । ହାତରେ ରହିଥାଏ ସୁରାପାତ୍ର । କେତେ ରାତିଯାଏ ବସନ୍ତି, ଜାଣିନି ।

 

‘‘ସେ ଦିନ ନାଚ ପ୍ରଦର୍ଶନୀରେ ତାଙ୍କୁ ଦେଖିଲି । ପତଳା କଳା ସିଲ୍‍କ୍‍ର ଜାମା—କାନ୍ଧରୁ ଓପର ହାତ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅନାବୃତ । ସବୁଠାରୁ ସୁନ୍ଦର ଲାଗିଥିଲା ତାଙ୍କ ନାଚର ଭଙ୍ଗିମା, ଏତେ ସୁନ୍ଦର ଯେ ସେ ନାଚି ପାରନ୍ତି କଳ୍ପନା ସୁଦ୍ଧା କରିନଥିଲି । ବାରମ୍ୱାର ନାଚର ଭଙ୍ଗୀ ସେ ବଦଳାଉ ଥିଲେ କାରଣ ତାଙ୍କଭଳି କେହି ନୃତ୍ୟ ପଟୁ ନଥିଲେ । ଡକ ଚେୟାରରେ ବସି ମୁଁ ଦେଖୁଥିଲି । ଦୃଷ୍ଟିର ବିନିମୟ ମଧ୍ୟ ହେଉଥିଲା କିନ୍ତୁ କି ଭଳି ଗୋଟାଏ ଅନାସକ୍ତି ଭାବ ଥିଲା ଆଖିରେ । କେଇଟା ପର୍ଯ୍ୟନ୍ତ ନାଚ ଚାଲିଲା ମନେନାହିଁ । କିନ୍ତୁ ଭଦ୍ରମହିଳା ଠିକ୍‍ ଏଗାରଟା ସମୟରେ ଲାଉଞ୍ଜକୁ ଚାଲି ଆସିଲେ ।

 

‘‘ଜାହାଜ ଏଡ଼େନ ଅତିକ୍ରମ କରି ସାରିଥାଏ, ବର୍ତ୍ତମାନ ଲୋହିତ ସାଗର ଉପରେ । ଅସହନୀୟ ଗରମ । କଟକରେ ଯେମିତି ଚୈତ୍ର ମାସର ଶେଷ । ରାତିରେ କେହି ଶୋଇ ନାହାନ୍ତି କେବିନରେ । ସମସ୍ତେ ଯାଇ ଖୋଲା ଡେକ୍‍ ଉପରେ—କିନ୍ତୁ ଶୋଇବାକୁ ଜାଗା ନାହିଁ । ‘ଏ’ ଡେକ୍‍ ରେ କିଛିଟା ଜାଗା ଅଛି । ତେଣୁ ଦୁଇଟା ଡେକ୍‍ ଚେୟାର ନେଇ ଆରାମ କରି ଶୋଇବାର ବନ୍ଦୋବସ୍ତ କଲି । ତକିଆ ନଥିବାରୁ ଅସୁବିଧା ହେଉଥିଲା, ତକିଆ ଆଣିବାକୁ ପୁଣି ଥରେ ତଳ ଡେକ୍‍କୁ ଗଲି ।

 

‘‘ରାତିବାର । ପାଣି ପିଇ ଶୋଇବାପୋଷାକ ପିନ୍ଧି ଆସି ଦେଖେତ ଦୁଇଟା ଚୌକିରୁ ଗୋଟାଏ ଅଧିକୃତ । ଅଧିକାରିଣୀ ସେଇ ନୃତ୍ୟଶିଳା—ସେଇ ଭଦ୍ରମହିଳା—ଆଗରେ ଗୋଟାଏ ବେତବାକ୍‍ସ ଭିତରେ ସୋଡ଼ା ମଦ ବୋତଲ ଏବଂ ହାତରେ ନକ୍‍ସା କଟା କାଚର ସୁରାଧାର ।

 

‘‘ଭଦ୍ରମହିଳା ଅତି କରୁଣ ସ୍ୱରରେ କହିଲେ—ଆପଣଙ୍କ କିଛି ଅସୁବିଧା ହେବ ନି ତ ? କି ଅସହ୍ୟ ଗରମ !’’

 

ଅସୁବିଧା ଯେ ଯଥେଷ୍ଟ, ନିଃସନ୍ଦେହ । ତେବେ ଅତି ଅମାନୁଷିକ ହସି ହସି କହିଲି—ନା, କିଛି ନାହିଁ— ।

 

କିଛି ସମୟ ପରେ ଭଦ୍ରମହିଳା ପଚାରିଲେ—‘‘ଆପଣ ବୋଧହୁଏ ଭାରତୀୟ ଛାତ୍ର । କେଉଁଠିକି ଯିବେ ?’’

 

ଜାହାଜରେ ଏହି ଦଶଦିନ ଭିତରେ ବହୁତ ବିଦେଶୀୟଙ୍କ ସହିତ ଆଳାପ ହୋଇଚି, ସମସ୍ତେ ନିର୍ବିକାର । କେବେ କୌଣସି ବ୍ୟକ୍ତିଗତ ପ୍ରଶ୍ନ ଭୁଲରେ ସୁଦ୍ଧା ଏମାନେ ପଚାରି ନାହାନ୍ତି ଏବଂ ବିଶେଷ କରି ଇଂରେଜମାନେ । ବୁଝିଲି ଭଦ୍ରମହିଳା ଆଉ ଯାହା ବା ହୁଅନ୍ତୁ ଖାଣ୍ଟି ଇଂରେଜ ନୁହଁନ୍ତି । କହିଲି, ‘‘ଆପଣଙ୍କ ଅନୁମାନ ସତ୍ୟ—ଆପାତତଃ ଲଣ୍ଡନପରେ ଜର୍ମାନୀ !’’

 

—ଜର୍ମାନୀ ଯିବ ତ ଲଣ୍ଡନ ଦେଇ ଗଲେ କ’ଣ ବା ସୁବିଧା ? ତାଠୁ ମାର୍ସାଇ ହୋଇ ପ୍ୟାରିସ ଗଲେ, ଅନେକ ସୁନ୍ଦର ଦେଶ, ଲୋକ ଦେଖିବାକୁ ପାଇବେ । ସତ କଥା କହିବାକୁ ଗଲେ ଫରାସୀମାନେ ଦେଖିବାକୁ ବଡ଼ ସୁନ୍ଦର, ବଡ଼ ଭଲଲାଗେ ଏମାନଙ୍କୁ । ଏମାନେ ଇଂରେଜମାନଙ୍କ ପରି ଅମିଶୁଆନ ନୁହଁନ୍ତି, ଅନ୍ତତଃ ପ୍ରାଣ ଖୋଲି ହସିବା ଏମାନଙ୍କର ଏକ ବିଶିଷ୍ଟ ଗୁଣ ।

 

ଜଣେଇଲି—ଲଣ୍ଡନରେ କିଛି କାମ ଅଛି, ବିଶେଷ ଦରକାରୀ ନଚେତ୍‍ ଫ୍ରାନ୍‍ସ ଦେଇ ଯାଇ ଥାଆନ୍ତି ।

 

ଭଦ୍ରମହିଳା ହଠାତ୍‍ ଉଠି ପଡ଼ିଲେ । ଜାହାଜର ବାର ସେତେବେଳେ ବନ୍ଦ ହୋଇ ନ ଥାଏ-। ଆଉ ଏକ ବୋତଲ ସୁରା ନେଇ ଆସିଲେ । ସାଙ୍ଗରେ ଆଉ ଗୋଟାଏ ଅଧିକା ସୁରାପାତ୍ର-। ଏଥର ଦୁଇଟି ଗ୍ଲାସ୍‍ ଭର୍ତ୍ତି କଲେ, ବୁଝିଲି ଅନ୍ୟ ଗ୍ଲାସ୍‍ଟି ମୋ’ପାଇଁ । ମତେ ଦେବା ପୂର୍ବରୁ ମୁଁ କହି ସାରିଥାଏ କିଛି ମନେ କରିବେନି, ମୁଁ ସୁରାପାନରେ ଅଭ୍ୟସ୍ତ ନୁହଁ, ଅତି ଦୁଃଖିତ-

 

ଆଶ୍ଚର୍ଯ୍ୟ ! ଆଲ୍‍କହଲ ଖାଅନ୍ତି ନି ? ଆଖି ଆଉ ମୁହଁରେ ତାଙ୍କର ବିସ୍ମୟର ଭାବ ।

 

‘‘ଏକେତ ଛାତ୍ର, ତା’ପରେ ଭାରତୀୟ—ଏପର୍ଯ୍ୟନ୍ତ ଅଭ୍ୟାସ ହୋଇନି, ହୁଏତ ଫେରିବା ବାଟରେ ଅଭ୍ୟାସ ହୋଇ ଯାଇଥିବ ?

 

ଭଦ୍ରମହିଳା ଟିକିଏ ହସିଲେ—

 

‘‘ସେ ଦିନ ତୁମକୁ ନାଚରେ ତ ଦେଖିନି ।’’

 

‘‘ନାଚ ତ ଜାଣେନା; କିମିତି ବା ନାଚନ୍ତି ?’’

 

‘‘ମଦ ଖାଅନା, ନାଚ ବି ଜାଣନା, ବୋଧହୁଏ ଧୂମପାନ ବି କରନା, ତେବେ ବିଦେଶରେ ସମୟ କଟେଇବ କିମିତି ? ବାନ୍ଧବୀ କିମିତି ବା ଜୁଟିବେ ? ଜର୍ମାନୀ ଯାଉଚ, ସେଠି ବିୟର ପ୍ରଚୁର ?’’

 

‘‘ସମୟ କଟେଇବାଲାଗି କୌଣସି ଜିନିଷ ଦରକାର ହୋଇନି । ଆଉ ବାନ୍ଧବୀ ! ନ ଜୁଟିଲେ ବି ଚଳିବ ଜୀବନର ତିରିଶବର୍ଷ ବିନା ବାନ୍ଧବୀରେ ବେଶ୍‍ ସୁନ୍ଦର ଭାବରେ କଟିଚି ଏବଂ ଆଶାକରୁଚି ଭବିଷ୍ୟତରେ ମଧ୍ୟ ସେଇ ରକମ୍‍ ଚଳିବ ।’’

 

ରାତି ସାଢ଼େ ବାରଟା ବାଜିଯାଇଥାଏ, ଜାହାଜର ବାର ବନ୍ଦ ହେଲା, ଡେକ୍‍ର ଆଲୋକଗୁଡ଼ାକ ନିଭିଯାଇଥାଏ । ମନ୍ଦବୋଧ ହେଉ ନଥିଲା ମଧ୍ୟରାତ୍ରରେ ସ୍ୱଳ୍ପାନ୍ଧକାରରେ ବିଦେଶିନୀ ମହିଳା ଜଣକ ସହିତ ସମୟ କଟାଇବାରେ ।

 

ପୁଣି ପ୍ରଶ୍ନ ହେଲା—‘‘ତୁମେ ବିବାହିତ ନିଶ୍ଚୟ !’’

 

‘‘ନା’’

 

ଗୋଟିଏ କଥାରେ ସତେ ମତେ ଆଶ୍ଚର୍ଯ୍ୟବୋଧ ହେଉଚି—ତା’ ହେଉଚି, ତୁମେ ବିବାହିତ ନୁହଁ, ବାନ୍ଧବୀ ନାହିଁ, କୌଣସି କିଛି ନିଶା ନାହିଁ, ଅର୍ଥାତ୍‍ ଗୋଟାଏ କଥାରେ ଯାହାକୁ କହନ୍ତି ନିଖୁଣ, ଏଭଳି ମଣିଷ ଦେଖିବାକୁ ଖୁବ୍‍ କମ୍‍ ।

 

ଏଥର ପ୍ରକୃତରେ ବିରକ୍ତିକର କଣ୍ଠରେ କହିଲି—‘‘ନିଖୁଣ କେହି ହୁଅନ୍ତି ନି, ମୁଁ ମଧ୍ୟ ନିଖୁଣ ନୁହେଁ, ଭାରତବର୍ଷରେ ବାନ୍ଧବୀ ଜିନିଷଟା ପୂରାପୂରି ଅଚଳ । ଭାରତବର୍ଷର ମନୋଭାବ ୟୁରୋପର ମନୋଭାବଠାରୁ ସମ୍ପୂର୍ଣ୍ଣ ପୃଥକ୍‍—ଭାରତୀୟମାନେ ବହୁଦିନଧରି ଅବିବାହିତ ଓ ନିର୍ବାନ୍ଧବୀ ଅବସ୍ଥାରେ ସମୟ କଟେଇ ପାରନ୍ତି ।

 

—ନା, ମଣିଷ କିଛିଦିନ ହୁଏତ ଏକା କଟେଇପାରେ କିନ୍ତୁ ସମଗ୍ର ଜୀବନ ଧରି ନୁହେଁ । ଅନୁଭବକରେ ସେ ସଙ୍ଗୀର । ମଣିଷ ଚାହେଁ ଗୋଟାଏ ଅବଲମ୍ୱନ, ବିଶେଷତଃ ଝିଅମାନେ, କାହିଁକି ଜାଣ ? ଭଦ୍ରମହିଳା ପୁଣି ନୀରବ, ଚୁପ୍‍ଚାପ୍‍ ।

 

ଅନେକ ସମୟଧରି ନିଃଶବ୍ଦରେ ବସି ରହିଥିଲି—ଭଦ୍ରମହିଳାଙ୍କ ଚକ୍ଷୁ ଅନ୍ଧକାରର ବହୁଦୂରକୁ ନିବଦ୍ଧ—ଆଉ ମୋର ଦୃଷ୍ଟି ସେଇ ଭଦ୍ରମହିଳାଙ୍କ ଉପରେ । ନିସ୍ତବ୍‍ଧତା ଭଙ୍ଗକରି ପଚାରିଲି—ଆପଣଙ୍କ ଯାତ୍ରାର ଶେଷ କେଉଁଠି ?

 

‘‘ବର୍ତ୍ତମାନ ପାଇଁ ମାର୍ସାଇ, ପ୍ୟାରିସ ପରେ ସାଁରେମୋ ।’’

 

‘‘କେତେଦିନ ରହିବେ ପ୍ୟାରିସରେ ?’’

 

‘‘କିଛି ଠିକ୍‍ ନାହିଁ, କାରଣ ଜଣେ ବାନ୍ଧବୀ ଅଛନ୍ତି । ତାଙ୍କ ସହିତ ସାକ୍ଷାତ କରିବି—ହୁଏତ ଦୁଇସପ୍ତାହ । ମୋର ଏ ବାନ୍ଧବୀର ଜୀବନଟା ବଡ଼ ବିଚିତ୍ର—ଶୁଣିବ ତା’ର ଏଇ ଜୀବନ କାହାଣୀ ।’’

 

‘‘ମୋର ସେଇ ବାନ୍ଧବୀଟିର ନାଁ ଏଲି—ଏଲି ମୁଲାର—ନାଁଟି ଜର୍ମାନ କିନ୍ତୁ ମା ହେଉଛନ୍ତି ଇଂରେଜ । ବାଲ୍ୟ ଜୀବନ କଟିଚି ଲଣ୍ଡନର ଇଷ୍ଟଏଣ୍ଡରେ ଏବଂ ଦାରିଦ୍ର୍ୟ ଜିନିଷଟା କ’ଣ ବେଶ୍‍ ଭଲଭାବରେ ଅନୁଭବ କରିଥିଲେ ସେ । ତାଙ୍କର ଦୁଇଭାଇ, ଏକମାତ୍ର ଭଉଣୀ—ସବୁଠୁ ଛୋଟ ଇଏ ଏଲି । ଦାରିଦ୍ର୍ୟଭିତରେ ମଧ୍ୟ ଆଦରର କିଛିଟା ମୂଲ୍ୟ ନିଶ୍ଚୟ ରହିଚି । ବଡ଼ଭାଇ କାମ କରନ୍ତି ଗୋଟାଏ ରାସାୟନିକ ଲାବରଟରିରେ—ଧୂଆ ଧୋଇ କାମ ।

 

ଆଉ ଛୋଟଭାଇ କାମ କରୁଥିଲେ ଏକ ଫଟୋ ଦୋକାନରେ । ବହୁଦିନ ଧରି ଏଲି ଏଇ ଦୁଇଜାଗାକୁ ଯିବା ଆସିବା କରୁଥାଏ । ଏଲିର ଜୀବନରେ ସ୍ୱପ୍ନଥିଲା ସେ ହେବ ରାସାୟନିକ ନଚେତ୍‍ ଚିତ୍ରଶିଳ୍ପୀ । ପରବର୍ତ୍ତୀ ଜୀବନରେ ଏଲିର କୌଣସି ସ୍ୱପ୍ନ ସଫଳ ହୋଇନି । କାରଣ କୌଣସି ବିଦ୍ୟାର୍ଜ୍ଜନ କରିବାର ସାମର୍ଥ୍ୟ ତା’ର ନ ଥିଲା । ସ୍କୁଲ ପଢ଼ା ଶେଷ ପରେ ସେ ଆପ୍ରାଣ ଚେଷ୍ଟା କରିଥିଲା ଚିତ୍ରଶିଳ୍ପୀ ହେବାଲାଗି କିନ୍ତୁ ତାକୁ ହେବାକୁ ପଡ଼ିଲା ଶିଳ୍ପୀର ମଡେଲ । ଝିଅମାନଙ୍କର ଯୌବନର ନିଶ୍ଚୟ ଦାମ୍‍ ରହିଚି; ଏତେଦିନ ଧରି ତାକୁ କଟେଇବାକୁ ପଡ଼ିଥିଲା ଦାରିଦ୍ର୍ୟ ସହିତ କଠୋର ସଂଗ୍ରାମରେ କିନ୍ତୁ ଆଜିକାଲି ତା’ର ଦ୍ରରିଦ୍ର୍ୟର ଉପଶମ ହୋଇଚି କିଛିଟା-। ବୟସ ତ ମୋଟେ ଅଠର ବର୍ଷ । ଆଜିକାଲି ତା’ ଦେହରେ ଯୌବନର ଚାହିଦାର ଅଭାବ ନାହିଁ-। ଶଳ୍ପୀର ମଡେଲଠାରୁ ଆରମ୍ଭକରି ସେ ଆସିଲା ନାଚ ଶିଖିବାକୁ । ସେତେବେଳେ ତା’ର ଅର୍ଥର ବିଶେଷ ଅଭାବ ନଥିଲା । ନୃତ୍ୟ ସେ ଶିଖିଲା । ସେ ଚିତ୍ର ଶିଳ୍ପୀ ହୋଇ ପାରିଲା ନାହିଁ ସତ, ହେଲା ସେ ନୃତ୍ୟ ଶିଳ୍ପୀ । —ସୁନ୍ଦର ଭାବରେ ସେ ଶିଖି ପାରିଲା ବ୍ୟାଲୋ ନୃତ୍ୟ—ହାଲୁକାଦେହ ହେତୁ ଦେହର ପ୍ରତ୍ୟେକ ରେଖାଥିଲା ଅତି ସୁନ୍ଦର, ମନୋରମ ।

 

ତା’ର ବୟସ ଯେତେବେଳେ ଏକୋଇଶ ସେ ଆସି ବାସକଲା ଓୟେଷ୍ଟଏଣ୍ଡରେ—ହସ୍‍ପିଟାଲର ପାଖାପାଖି । ଏତେଦିନ ପରେ ସେ ଅନୁଭବ କଲା ତୀବ୍ର ମାନସିକ କ୍ଷୁଧା । ଗତ ତିନିବର୍ଷ ଧରି ଜୀବନରେ ସେ ଅନେକ ତିକ୍ତ ଅଭିଜ୍ଞତା ସଞ୍ଚୟ କରିଚି—ପ୍ରଚୁର ମୂଲ୍ୟ ସେ ସବୁର-। ଏଠାକୁ ଆସିବାର ମାସକ ମଧ୍ୟରେ ଆଳାପ ହେଲା ତା’ର ଡାକ୍ତରୀପଢ଼ା ଜଣେ ଛାତ୍ର ସହିତ-। ସବୁଠାରୁ ବଡ଼ ଆକର୍ଷଣଥିଲା ଛାତ୍ରଟିର ନୀରବତା ଓ ଏକାଗ୍ରତା । କିଛିଦିନ ପରେ ଡାକ୍ତରୀ ପାସ୍‍ କରିଲା ଛାତ୍ରଟି । ଛାତ୍ରଟିର ନାଁ ହେଉଚି ଡଃ ଜନ୍‍ ଏ୍ୟାନ୍‍ । ଜୀବନରେ ଏଲିକୁ ବହୁ ପ୍ରେମର ଅଭିନୟ କରିବାକୁ ପଡ଼ିଚି । କେତେବେଳେ ବା ଅର୍ଥର ବିନିମୟରେ, କେତେବେଳେ ଉନ୍ନତି ଆଶାରେ । କିନ୍ତୁ ଏତେ ଗଭୀର ଓ ଅକୃତ୍ରିମ ପ୍ରେମ ସେ ଜୀବନରେ କେବେ ପାଇନି–ଏହି ଡାକ୍ତରୀ ଛାତ୍ର ଛଡ଼ା । ଏହାପରେ ଛମାସ ତା’ର କଟିଚି, ଅତି ସୁଖରେ ଅତି ଦୁଃଖରେ–କିନ୍ତୁ ଗଭୀର ପ୍ରେମ ମଧ୍ୟରେ ତିଳେହେଲେ କାହାରି ଛଳନା ନଥିଲା ।

 

ସବୁର ଗୋଟାଏ ଶେଷ ଅଛି । ଇୟାରି ବି ଏକ ଶେଷ ହେଲା—ଡାକ୍ତର ଚାକିରି ପାଇଲା ବ୍ରିଟିଶ କଲୋନିରେ । ବିବାହ କରିବାକୁ ଚାହିଁଲା ଏଲିକୁ । କିନ୍ତୁ ଏଲି...ଏକ ଦିଗରେ ପ୍ରେମ ଓ ସଂସାର, ଅନ ଦିଗରେ ତା’ର ଶିଳ୍ପ ଓ ଅଗଣିତ ଗୁଣମୁଗ୍‍ଧ ସମ୍ପ୍ରଦାୟ—କାହାକୁ ସେ ଛାଡ଼ିବ ?

 

ପରାଜୟ ହେଲା ପ୍ରେମର—ଶେଷ ହେଲା ତା’ର ମାନସିକ ଅବଲମ୍ୱନ, ଭାବିଲା, ଆଉ ବା କ’ଣ ହେବ ? ପୁଣି ଥରେ ଗଢ଼ିବ ତା’ର ନୂତନ ଜୀବନ । ନୂତନ ସୁରା ସେ ପାନ କରିଚି– ନିଶାଟା କମିନି—ସେଥିପାଇଁ... । ଡାକ୍ତର ବିଦାୟ ନେଲା—ବିଦାୟ ଅତି କରୁଣ ।

 

ଏହାପରେ ଏଲି ଆସିଲା ଆମେରିକା । ଏଠାରେ ବିଶେଷ କିଛି ସୁବିଧା ହେଲାନି । ଆମେରିକା ଛାଡ଼ି ସେ ଆସିଲା ପ୍ୟାରିସକୁ । ଏଇଠି ସେ କଟେଇଲା ଜୀବନର ଦୀର୍ଘ ଅଠର ବର୍ଷ କାଳ । ପ୍ରଥମେ ଅର୍ଥସଂକଟ ଦେଖା ଦେଇଥିଲା, ପ୍ରଥମ ବର୍ଷ କଟିଥିଲା ଅତି ଦୁଃଖାବସ୍ଥାରେ—ମନେହେଲା ପୁଣି ଯେମିତି ତା’ର ବାଲ୍ୟାବସ୍ଥା ଫେରି ଆସିଚି । ଭଲ ନୃତ୍ୟ ଶିଳ୍ପୀଙ୍କ ଅଭାବ ନଥିଲା ପ୍ୟାରିସରେ । ଏହାପରେ ସେ ଯେଉଁ ନୃତ୍ୟ ଆରମ୍ଭ କଲା—ତାକୁ ଶିଳ୍ପ କୁହାଯିବନି । କିନ୍ତୁ ପ୍ରଚୁର ଅର୍ଥ ଉପାର୍ଜ୍ଜନ ହେଲା । ଦାରିଦ୍ର୍ୟ ହାତରୁ ସେ ମୁକ୍ତି ପାଇଲା କିନ୍ତୁ ଘଟିଲା ତା’ର ନୃତ୍ୟ ଶିଳ୍ପର ଅପମୃତ୍ୟୁ । ପୁରୁଷ ଆଖିରେ ନାରୀର ନଗ୍ନ ଦେହ କିମିତି ଲାଗେ ଏଇ କଥା ସେ ଅନୁଭବ କରିବା ଲାଗି ଚେଷ୍ଟା କରିଥିଲା ବାରମ୍ୱାର । ଜୀବନରେ ଏହି ଅଠର ବର୍ଷ ଧରି କେତେ ଯେ ସେ ଅର୍ଥ ଉପାର୍ଜ୍ଜନ କରିଚି ଏବଂ କେଉଁଠି କିପରି ସମୟ କଟି ଯାଇଚି, ସେ ଭାବିପାରେନା । ଆକସ୍ମିକ ଭାବରେ ସେ ନିଜ ଭିତରେ ବଡ଼ ଏକାକିନୀ ଅନୁଭବ କରିଲା । ଭାବିଥିଲା ଗୋଟାଏ କିଛି ଅବଲମ୍ୱନ ଗଢ଼ି ଉଠିବ କିନ୍ତୁ ଗଢ଼ି ଉଠିଲାନି । ସବୁଠାରୁ ବଡ଼ ଜିନିଷ ଯେଉଁଟା, ସେଇଟା ସେ ଜାଣିବାକୁ ପାଇଲା—ଯୌବନ ଶେଷ ହେବାକୁ ଚାଲିଚି । ଆରମ୍ଭ ହେବ ପ୍ରୌଢ଼ତ୍ୱ । ଜୀବନରେ ସବୁଠାରୁ ବଡ଼ ଆକାଂକ୍ଷା ଥିଲା ଅର୍ଥ ଓ ଖ୍ୟାତି—ସେ ସବୁ ପାଇଚି । କିନ୍ତୁ ପାଇଲାନି ଶାନ୍ତି । ମନେହେଲା ତା’ର; ଏହି ନିଃସଙ୍ଗ ଜୀବନର କୌଣସି ମୂଲ୍ୟ ନାହିଁ ।

 

ମନେ ପଡ଼ିଲା ସେଇ ଡାକ୍ତର ଜନ୍‍ର କଥା । ଜନ୍‍ ବିବାହ କରି ସାରିଚି—ସ୍ତ୍ରୀ ଅଛି, କନ୍ୟା ଅଛି—କି ଶାନ୍ତିରେ ସେ ଜୀବନ ଯାପନ କରୁନି ! ଭାବିଲା ସେ ତ ବି ଏଭଳି ଶାନ୍ତିରେ ଜୀବନ କଟାଇ ଥାଆନ୍ତା—କାହିଁକି ହେଲାନି !

 

ସେ ଦିନ ଚିଠି ଆସିଲା—ଡକ୍ଟର ଜନ ପଠେଇ ଥିଲେ ଖ୍ରୀଷ୍ଟମାସ କାର୍ଡ଼ ଅଷ୍ଟ୍ରେଲିଆରୁ-। ଡିସେମ୍ୱର ଶେଷ ସପ୍ତାହ । ବରଫ ପଡ଼ୁଛି । ଏଲିର ମନେହେଲା ଆଉ ସେ ସହି ପାରିବନି–ତା’ର ଭିତର ଏବଂ ବାହାରର ଶୁଭ୍ରତା ଯିମିତି ଏକ ହୋଇ ପଡ଼ିଛି । ଦୂରରେ ଏକ ପତ୍ରହୀନ ଶୀର୍ଣ୍ଣ ଗଛ ଉପରେ ବରଫ ଧୀରେ ଧୀରେ ଢାଙ୍କି ହୋଇ ପଡ଼ୁଛି—ତା’ର ମନେହେଲା ସେ ସିମିତି ଗୋଟାଏ ଗଛ । ଅନ୍ତର ଭିତରଟା କାନ୍ଦି ଉଠିଲା ଏଲିର । ଥିଏଟରରୁ ଫୋନ ଆସିଲା-। ସେ ମନା କରି ଦେଲା । ସେ ଅସୁସ୍ଥ ଯାଇ ପାରିବନି । ବାହାରେ ବରଫର ଝଡ଼ । ସ୍କାଇଲାଇଟ ଉପରେ ବରଫ ପଡ଼ିଛି—ଭିଣା ତୁଳା ଭଳି । ଝରକା ଉପରେ ହାତ ରଖି ବସି ରହିଲା ଏଲି, ଜନହୀନ ତୁଷାରବୃତ ପଥ—ଧୀରେ ଧୀରେ ନଇଁ ଆସୁଛି ସନ୍ଧ୍ୟା ।

 

ତାପର ଦିନ ଏଲି ଠିକ୍‍ କଲା ସେ ଅଷ୍ଟ୍ରେଲିଆ ଯିବ ଡାକ୍ତର ୟାନେଙ୍କ ପାଖକୁ । ଡାକ୍ତର ୟାନେଙ୍କୁ ସେ ନିଜର କରିନେବ । ତା’ର ଏକାକୀତ୍ୱର ପୂର୍ଣ୍ଣଚ୍ଛେଦ ପଡ଼ିବ । ଜାହାଜ କମ୍ପାନୀକୁ ଫୋନ କରି ସେ ଜାଣିବାକୁ ପାଇଲା ମାର୍ଚ୍ଚ ମାସ ଆଗରୁ କୌଣସି ଜାହାଜରେ ସ୍ଥାନ ନାହିଁ । ପ୍ଲେନ୍‍ ରେ ଯିବାପାଇଁ ବନ୍ଦୋବସ୍ତ କଲା ଏଲି । ଜାନୁଆରୀ ମାସ ଶେଷରେ ସେ ଆସିଲା ସିଡ୍‍ନି । ସବୁଠାରୁ ଏକ ଦାମିକା ହୋଟେଲରେ ଏକ ସିଟ୍ ପାଇଲା—ଫୋନରେ ନିମନ୍ତ୍ରଣ କଲା ଡାକ୍ତର ୟାନେଙ୍କୁ ସାନ୍ଧ୍ୟ ଭୋଜନ ଲାଗି । ସନ୍ଧ୍ୟା ପରେ ଡିନରକୁ ଆସିଲେ ଡାକ୍ତର ୟାନେ—କୋଡ଼ିଏ ବର୍ଷପରେ ପୁଣି ଦେଖା । ଶାନ୍ତ ଗମ୍ଭୀର ଓ ସମାହିତ ଭାବ ଡାକ୍ତରଙ୍କର—କୌଣସି ପୁରାତନ କଥା ପଡ଼ିଲାନି । ସବୁଠାରୁ ଦାମୀ ମଦ, ଦାମୀ ଆହାର୍ଯ୍ୟ ଦେଇ ଅଭ୍ୟର୍ଥନା କଲା ଏଲି । ସୁନ୍ଦର ନେଭିବ୍ଲୁ–ଉନ୍ମୁକ୍ତ ପୋଷାକରେ ଦେହର ପ୍ରତ୍ୟେକ ରେଖା ଦେଖା ଯାଉଥିଲା ଏଲିର । କିନ୍ତୁ ଆଜିକାର ଏ ରେଖାରେ କୌଣସି ଆକର୍ଷଣ ନାହିଁ । ଆଠଟା ସମୟରେ ଡାକ୍ତର ୟାନେ ବିଦାୟ ନେଲେ—ଆଉ କିଛି ସମୟ ଅପେକ୍ଷା କରିବାକୁ ବହୁତ ଅନୁନୟ କରିଥିଲା ଏଲି କିନ୍ତୁ ବ୍ୟର୍ଥ ହେଲା ସବୁ । ଏଲିକୁ ତା’ ପରବର୍ତ୍ତୀ ରବିବାର ଦିନ ଏକ ଚା’ ଭୋଜୀରେ ନିମନ୍ତ୍ରଣ କରିଗଲେ ଡାକ୍ତର ଆନେ ।

 

ଘରକୁ ଫେରି ପୋଷାକପତ୍ର ଖୋଲି ନେଲା ଏଲି । ଆଇନା ପାଖରେ ବସି ନିଜକୁ ଟିକିନିଖି ବିଚାର କରି ବସିଲା । ତା’ ନିଜ ମଧ୍ୟରେ ଆଉ କୌଣସି ଆକର୍ଷଣର ବସ୍ତୁ ନାହିଁ । କ’ଣ ଦେଇ ବା ସେ ଅନ୍ୟକୁ ଆକୃଷ୍ଟ କରିବ । ପ୍ରେମକୁ ସେ ପ୍ରତ୍ୟାଖ୍ୟାନ କରିଛି । ଆଜି ସେ ଅନୁଭବ କରିପାରିଛି ରୂପର ଶେଷ ପର୍ଯ୍ୟାୟରେ ସେ ପହୁଞ୍ଚିଛି—କୌଣସି କୃଷ୍ଟି ତା’ର ନାହିଁ । କୌଣସି ଗୁଣ ବି ନାହିଁ । କାହିଁକି ବା ଡାକ୍ତର ୟାନ୍‍ ତାକୁ ଏତେ ଅବହେଳା କଲେ ? କ’ଣ ନିଜର ସ୍ତ୍ରୀ ଲାଗି-? ଈର୍ଷାରେ ଭରି ଉଠିଲା ତା’ର ମନ—ଶପଥ କଲା ମନେମନେ, ଟାଣି ଆଣିବ ୟାନ୍‍କୁ ତା’ ସ୍ତ୍ରୀ ପାଖରୁ । ଡ୍ରେସିଂ ଗାଉନ୍‍ ପିନ୍ଧି ବେଲ ସୁଇଚ୍‍କି ଟିପିଲା । ଓୟେଟାର ଆସିଲା—କେବଳ ହୁଇସ୍କି ଚାହେଁ ।

 

ତାପର ରବିବାର ଦିନ ଏଲି ଗଲା ଡାକ୍ତର ୟାନେଙ୍କ ଘରକୁ । ଦେହରେ ସାଦାସିଧା ପୋଷାକ । ବାହାର ବଗିଚାରେ ଖେଳରେ ମାତିଛି ଆଠ ବର୍ଷର ଗୋଟିଏ ଝିଅ—ଅତି ସୁନ୍ଦର—କି ସୁନ୍ଦର କି ଚମତ୍କାର ମୁଣ୍ଡର ବାଳଗୁଡ଼ିକ—କି ମଧୁର କଣ୍ଠ ସ୍ୱର । ଆଜି ଏଲି ପ୍ରଥମେ ଅନୁଭବ କଲା, ସେ ମା ନୁହେଁ । ମାତୃତ୍ୱର ରୂପ ସେ ନୂତନ ଭାବରେ ଉପଲବ୍‍ଧି କଲା । ଡାକ୍ତର ଓ ମିସେସ୍‍ ୟାନ ତାକୁ ଅଭ୍ୟର୍ଥନା କଲେ, ପରିଚୟ ହେଲା ଝିଅଟି ସାଥିରେ । ନାଁଟିତାର ୟାନ୍‍ ମାରି–ଡାକନା ଆନିମି । ମିସେସ୍‍ ୟାନ୍‍ଙ୍କ ଯାହାବା ଥାଉ, ରୂପ ନାହିଁ । କିଛି ସମୟ ଆଳାପ ପରେ ବୁଝିଲା ମିସେସ୍‍ଙ୍କ ସାଥିରେ ଡାକ୍ତର ୟାନଙ୍କ ପ୍ରେମ ଗଭୀର ନୁହେଁ । ନିଜର ହୃଦୟ ସ୍ପନ୍ଦନ ଅନୁଭବ କଲା ଏଲି । ଜୀବନର ଯେ ଗୋଟାଏ ସାମାଜିକ ଦିଗ ଅଛି ଏହି ଦୀର୍ଘ କୋଡ଼ିଏ ବର୍ଷ ଭିତରେ ସେ କଥା ଭୁଲି ଯାଇଥିଲା ଏଲି । ସେ ଦିନ ରାତିରେ ସେ ବିଦାୟ ନେଲା । ତାକୁ ଭାରି ଭଲ ଲାଗିଲା ଆନିମିକୁ ।

 

ଅଷ୍ଟ୍ରେଲିଆରେ ଥିଲା ଏଲି ସାତବର୍ଷ । ଚାରି ମାସ ପରେ ସେ ବୁଝିଲା ଡାକ୍ତର ୟାନ୍‍ଙ୍କୁ ଏକାନ୍ତରେ ପାଇବା ଅସମ୍ଭବ । କୋଡ଼ିଏ ବର୍ଷ ଆଗେ ଏକାଗ୍ର ଭାବରେ ଡାକ୍ତର ୟାନ୍‍ ଏଲିକୁ ଭଲପାଇଥିଲା । ବର୍ତ୍ତମାନ ତା’ଠୁ ବେଶୀ ଭଲ ପାଉଛି ନିଜ କନ୍ୟା ଆନିମିକୁ । ଡାକ୍ତର ୟାନଙ୍କ କୌଣସି ପରିବର୍ତ୍ତନ ଘଟିନି । ପରିବର୍ତ୍ତନ ଘଟିଛି ଭଲପାଇବାର ପାତ୍ରୀ ଓ ସମ୍ୱନ୍ଧର। ଏହି ଭଲପାଇବା ଯେ କି ଗଭୀର ସେ ଆଜି ଏଲିକି ବୁଝାଇ ଦେଇଛନ୍ତି । ଏଲିର ପରାଜୟ ଘଟିଲା ଆଠ ବର୍ଷର ଗୋଟିଏ ଝିଅ ପାଇଁ—ସ୍ତ୍ରୀ ପାଖରୁ ଡାକ୍ତର ୟାନଙ୍କୁ ସେ ଛଡ଼ାଇ ଆଣି ପାରିଥାନ୍ତା କିନ୍ତୁ ଝିଅ ପାଖରୁ ଛଡ଼ାଇ ଆଣିବା କ’ଣ ସମ୍ଭବ ? ବିନିଦ୍ର ରଜନୀ କଟିଛି ଏଲିର । ସେ ନିଜକୁ ନିଜେ ବୁଝାଇ ପାରେନା, ମନରେ ଶାନ୍ତି ପାଏନା । ଆଉ ମାସକ ପରେ ସେ ଛାଡ଼ି ଚାଲିଯିବ ଅଷ୍ଟ୍ରେଲିଆ । ପୁଣି ସେ ପାରିସ୍‍, ପୁଣି ରାତି ପରେ ରାତି ନାଚ, ସେ ପ୍ରେମର ଅଭିନୟ । ଜୀବନର ଶୂନ୍ୟତା ସେ ପରିପୂର୍ଣ୍ଣ ଭାବରେ ଉପଲବ୍‍ଧି କରି ପାରୁଛି । ତା’ର ବ୍ୟର୍ଥ ଜୀବନ ସହିତ ସେ ତୁଳନା କରି ଚାଲିଛି ଡାକ୍ତର ୟାନଙ୍କ ଏ ମଧୁର ଜୀବନ । ଆଉ ସେ ଭାବି ପାରେନା । ଈର୍ଷାରେ ନଇଁ ପଡ଼େ ତା’ର ହୃଦୟ । ନା—ନା—ନା—ପରାଜୟ ସେ ସ୍ୱୀକାର କରିବନି ।

 

ଆଉ ଦୁଇ ସପ୍ତାହ ପରେ ଜାହାଜ ଛାଡ଼ିବ—ପରାଜୟର ଗ୍ଳାନି ଆଉ ସେ ବହି ପାରେନା । ଧୀରେ ଧୀରେ ଆସୁଛି ପ୍ରତିହିଂସାର ରୂପ । କାଲି ଏନିମିର ଜନ୍ମଦିନ । ନଅ ବର୍ଷରେ ପହୁଞ୍ଚିବ ସେ । ଆଜି ସନ୍ଧ୍ୟାରେ ଡାକ୍ତର ଓ ମିସେସ୍‍ ୟାନ୍‍ଙ୍କୁ ନିମନ୍ତ୍ରଣ ଆସିଛି ବହୁ ଦୂରରୁ—ଫେରି ଆସିବାକୁ ରାତି ହେବ । ହଠାତ୍‍ ସନ୍ଧ୍ୟାବେଳେ ଆସିଲା ଏଲି । ଶୁଣିଲା ଡାକ୍ତର ଓ ମିସେସ୍‍ ୟାନ୍‍ ରାତି ଏଗାରଟାରେ ଫେରିବେ । ସନ୍ଧ୍ୟାବେଳ ଗୋଟାଯାକ ସେ ଆନିମି ସହିତ ଗଳ୍ପ କଲା । ଡିନର ପରେ ଗାଧୋଇ ପାଧୋଇ ଆନିମି ଶୋଇବାକୁ ଯାଏ । ଏମାନେ ଏକା ସଙ୍ଗରେ ଡିନର ଖାଇଲେ-। ଗାଧୋଇବା ଆଗରୁ ଆନିମିର ମୁଣ୍ଡ କୁଣ୍ଡାଇ ଦେଲା ଏଲି ଏବଂ ମୁଣ୍ଡକୁ କୁଣ୍ଡାଉ କୁଣ୍ଡାଉ ଗୋଟିଏ ଛୋଟ ଟେବୁଲରେ ଦୃଷ୍ଟି ପଡ଼ିଲା । ନିଦ ଔଷଧ । ଧୀରେ ଧୀରେ ତିନି ଚାରିଟା ବଟିବା ଖାଇବାକୁ ଦେଲା ଆନିମିକୁ—କହିଲା, ତୋ ବାବା କହିଛନ୍ତି ଖାଇବାକୁ । ଗାଧୁଆ ଘରେ ଟବ୍‍ ପୂର୍ଣ୍ଣ ଜଳ–ଗାଧୁଆ ଘରକୁ ଆଗେଇ ଦେଇ ଆସିଲା ଏଲି । ଦରଜା ବନ୍ଦ କରିବାର ଶବ୍ଦ ହେଲା–ଗାଧୁଆ ଘରେ ଆନିମି ଆଉ ଟବ୍‍ ପୂର୍ଣ୍ଣ ଜଳ । ତା’ପରେ....’’

 

ଭଦ୍ର ମହିଳା ଖୁବ୍‍ ଜୋରରେ ଗ୍ଲାସ୍‍ଟାକୁ ଚାପି ଧରିଲେ, ମନେହେଲା ଗ୍ଲାସ୍‍ଟା ବୋଧହୁଏ ଭାଙ୍ଗିଯିବ । ଏଥର ଭଦ୍ର ମହିଳା ବୋତଲରୁ ହୁଇସ୍କି ଖାଇଲେ—ପାଣି ବା ସୋଡ଼ା ସେଥିରେ ନ ଥିଲା । ସ୍ତ୍ରୀଲୋକଗୁଡ଼ାକର ମୁହଁ କେତେ କଦର୍ଯ୍ୟ ହୋଇପାରେ ସେହି ମୁହୂର୍ତ୍ତରେ ତାଙ୍କ ମୁହଁର ପ୍ରତିରେଖାରେ ଫୁଟି ଉଠିଲା । ନିସ୍ତବ୍‍ଧରେ ସମୟ କଟିଲା । ଭଦ୍ରମହିଳା ହଠାତ୍‍ ଉଠି ଠିଆ ହେଲେ—ତା’ପରେ ଗୁଡ୍‍ ନାଇଟ୍‍ କହି ଚାଲିଗଲେ । ଏଥର ସ୍ପଷ୍ଟ ଆଲୁଅରେ ତାଙ୍କର ମୁହଁ ଦେଖିଲି, ମନେହେଲା ଯିମିତି ଆନିମିର ମୃତ ଦେହ ପାଣିର ଟବ୍‍ ରେ ସେଇ କେବଳ ଦେଖିଛନ୍ତି !

 

ୟାପରେ ସେ ଜାହାଜରେ ଆହୁରି ପାଞ୍ଚ ଦିନ ରହିଥିଲି—ଗୋଟାଏ କଥା ବାରମ୍ୱାର ପଚାରିବାକୁ ଇଚ୍ଛା କରିଥିଲି କିନ୍ତୁ ସୁଯୋଗ ପାଇଲିନି । କାଲି ସକାଳେ ଜାହାଜ ମାର୍ଶାଇ ଯିବ । ଆସ୍ତେ ଆସ୍ତେ ଶୀତର ପ୍ରକୋପ ବଢ଼ି ଚାଲିଛି । ସେ ଦିନ ସନ୍ଧ୍ୟାରେ ଜାହାଜର ସବୁଠାରୁ ଉପର ଡେକ୍‍କୁ ଗଲି—ସେପ୍ଟେମ୍ବର ମାସର ଶେଷ ସପ୍ତାହ—ଆକାଶ ଅତି ପରିଷ୍କାର—ଦେଖିଲି ଭଦ୍ରମହିଳା ଏକା ଠିଆହୋଇ ରହିଛନ୍ତି । ମୁଣ୍ଡରେ ଗୋଟାଏ ସ୍ମାରଫ । ସନ୍ଧ୍ୟାର ଅଭିବାଦନ ଜଣାଇଲି । ସେ କହିଲେ, ‘‘ଆପଣଙ୍କ ଯାତ୍ରା ତ ଶେଷ ହେଲା ।’’ ପୁଣି ନିଜେ ନିଜେ କହିଲେ, ‘‘ଶେଷ ନା ଆରମ୍ଭ ?’’ ଭଦ୍ର ମହିଳା ସିଗାରେଟ ଧଇଲେ । ମ୍ଳାନ ଆଲୋକରେ ତାଙ୍କ ମୁହଁଟି ଦେଖିଲି—ଅତି ସ୍ୱାଭାବିକ ଚେହେରା, କୌଣସି କିଛି ଚିହ୍ନ ନାହିଁ ସେଥିରେ ।

 

‘‘ଯଦି କିଛି ମନେ ନ କରନ୍ତି ଗୋଟାଏ ପ୍ରଶ୍ନ ପଚାରିବି ? ଆପଣଙ୍କର ବାନ୍ଧବୀ ଏଲି, ସେ କ’ଣ ଶେଷପର୍ଯ୍ୟନ୍ତ ଡାକ୍ତର ୟାନ୍‍ଙ୍କୁ ପାଇଥିଲେ ?’’

 

ଭଦ୍ରମହିଳା ଉଚ୍ଚ ସ୍ୱରରେ ହସିଲେ—କି ନିଷ୍ଠରୁ କି ଭୟାନକ ସେ ହସ—

 

‘‘ହଁ ! ନା ଡାକ୍ତର ୟାନ୍‍ଙ୍କୁ ବର୍ତ୍ତମାନ ଠିକ୍‍ ସୁସ୍ଥ ମଣିଷ ପର୍ଯ୍ୟାୟରେ ଗଣାଯାଇ ନ ପାରେ । ଶୋକ ଯେ କିପରି ଗଭୀର, ଡାକ୍ତର ୟାନ୍‍ଙ୍କୁ ଦେଖିଲେ ଅନୁଭବ କରିହୁଏ । ସେ ବର୍ତ୍ତମାନ ପୂରାପୂରି ପାଗଳ ।’’

 

କିଛି ସମୟ ଚୁପ୍‍ରହି ସେ କହିଲେ—‘‘ବିଦାୟ । ତୁମ ସହିତ ହୁଏତ ଆଉ କେବେ ଦେଖାହୋଇ ନ ପାରେ ।’’ ସେ ତଳକୁ ନଇଁ ଆସିଲେ । ସନ୍ଧ୍ୟାର ଅନ୍ଧକାରରେ ମୁଁ ଏକା ଏକା ଠିଆହୋଇ ରହିଛି ।

 

ଚତୁର୍ଦ୍ଦିଗରେ ଭୂମଧ୍ୟସାଗରର ଜଳରାଶି—କୃଷ୍ଣକଳା । କି ସୁନ୍ଦର ତାରା ଭରା ଆକାଶ । ଜାହାଜର ଚିମ୍ନିଆଡ଼େ ହଠାତ୍‍ ଦୃଷ୍ଟି ପଡ଼ିଲା—ତା’ ଭିତରୁ ବାହାର ହେଉଛ ଗଭୀର ଧୂଆଁ—ରାତିର ଘନ ଅନ୍ଧକାରରେ ଦେଖା ଯାଉଛି ତା’ର ସ୍ପଷ୍ଟ ରୂପ । ମନେ ପଡ଼ିଲା ଏତେ ସୁନ୍ଦର ଏତେ ପରିଷ୍କାର ଜାହାଜ ତଳେ ବିରାଟ ଅଗ୍ନି କୁଣ୍ଡର ଅସ୍ଥିତ୍ୱ । ଜାହାଜର ଗତି ଏଇଥିଲାଗି । କେତେ ସୁନ୍ଦର ମଣିଷ ଭିତରେ କ’ଣ ଅଛି ଏପରି ଗୋଟାଏ ବିରାଟ ଅଗ୍ନିକୁଣ୍ଡ—ତାହାର ଭିତରୁ କି ବାହାରେ ଏମିତି ଧୂଆଁ-? ଇସ୍‍, କି କଳା ଏ ଧୂଆଁ ।

☆☆☆

 

ହତଭାଗ୍ୟ ନାବିକ

 

କଲିକତା ଗଲେ ମୁଁ ଅଥିତି ହୁଏ ଅଜିତ ବାବୁଙ୍କ ଘରେ । କଲିକତାର ନାମଜାଦା ବାରିଷ୍ଟର ଅଜିତ ରାୟ । ଦାତବ୍ୟ ଚିକିତ୍ସାଳୟରେ ରୋଗୀ ଧାଡ଼ି ବାନ୍ଧି ବସିବା ଭଳି ସକାଳ ହେବାମାତ୍ରେ ଅଜିତ ବାବୁଙ୍କ ଅଫିସ ଆଗରେ ବହୁ ଲୋକଙ୍କ ସମାଗମ । ଠକ, ଚୋର, ହତ୍ୟାକାରୀ, ଦୋଷୀ, ନିର୍ଦ୍ଦୋଷ ଅନେକ । ଆଇନ କବଳରୁ ମୁକ୍ତି ପାଇବାପାଇଁ ଏମାନେ ନ୍ୟାୟ ଅନ୍ୟାୟର ଭିକାରୀ । ମାମଲା ମକଦ୍ଦମାର କଥା ଶୁଣିଲେ, ଘୃଣାରେ ମୋ ମନ ବିକୃତ ହୋଇ ଉଠେ । ତେଣୁ କୋର୍ଟ କଚିରୀଗୁଡ଼ାକୁ ମୁଁ ମନେ କରେ ଗୋଟାଏ ଗୋଟାଏ ନର୍କ କୁଣ୍ଡ ।

 

କିନ୍ତୁ ଅଜିତ ବାବୁଙ୍କ ପାଖରେ ଯେତେସବୁ ମକଦ୍ଦମା ପଡ଼େ ସବୁଗୁଡ଼ିକ ବଡ଼ ରହସ୍ୟମୟ । ଅଜିତ ବାବୁ କହିଯାଆନ୍ତି, ମୁଁ ଶୁଣେ । ଆଇ ମା କାହାଣୀ ପରି ଭାରି ଭଲ ଲାଗେ ।

 

ଇଏ ସିମିତି ଗୋଟିଏ ମକଦ୍ଦମାର କଥା, ମରିସନ ଭିଡ଼ାସର କଥା । ଅଜିତ ବାବୁ କହନ୍ତି, ‘‘ଭିଡ଼ାସର ଭାବ ଭଙ୍ଗୀକୁ ଦେଖି ତାଙ୍କର ମନେ ହେଉଥିଲା ଲୋକଟା ହୁଏତ ମାତାଲ, ନଚେତ୍‍ ପାଗଳ । କିନ୍ତୁ ତାକୁ ନିବିଡ଼ ଭାବରେ ଜାଣିବା ପରେ ସେ ବୁଝିଥିଲେ, ସେ ସେଭଳି କିଛି ନୁହେଁ । ବଡ଼ ବିଚିତ୍ର ତା’ର ଜୀବନ କାହାଣୀ ।’’

 

ଭିଡ଼ାସର ଘର ଗ୍ରୀସ । ଏରିଷ୍ଟୋଟଲ, ପେରିକ୍ଳିସ, ସକ୍ରେଟିସ, ଆଲେକଜେଣ୍ଡର ଯେଉଁ ଗ୍ରୀସରେ ଜନ୍ମିଥିଲେ, ସେ ଗ୍ରୀସ୍‍ ବର୍ତ୍ତମାନ ନାହିଁ । ସେ ଅନ୍ୟ ଯୁଗର । ବର୍ତ୍ତମାନ ସେ ଯୁଗର ପାଣ୍ଡିତ୍ୟ ଓ ବୀରତ୍ୱର ବିନ୍ଦୁ ବିସର୍ଗ ସୁଦ୍ଧା ନାହିଁ । ସମଗ୍ର ଦେଶରେ ଦାରିଦ୍ର୍ୟ, ଅଭାବ, ଅନାଟନ । ଏହି ଦାରିଦ୍ର୍ୟ ଭିତରେ ବଢ଼ି ସୁଦ୍ଧା ଭିଡ଼ାସର ସ୍ୱପ୍ନ ଥିଲା, ସେ ଖୁବ୍‍ ବଡ଼ ଲୋକ ହେବ । କିନ୍ତୁ ନିଜ ଦେଶରେ ତ ଏ ସ୍ୱପ୍ନକୁ ସଫଳ କରିବା ସମ୍ଭବ ନୁହେଁ, ସେଥିପାଇଁ ଚାଲି ଯାଇଥିଲା ନିଉୟର୍କ । ଏଠି ଗୋଟିଏ ହୋଟେଲ ମାଲିକ ଥିଲେ ତା’ର ଜଣେ ଆତ୍ମୀୟ, ଭାଇ ଲେଖା । ଭିଡ଼ାସ କୁକ୍‍ ବା ପୂଜାରୀ ହୋଇ ରହିଥିଲା ଏଇଠି କେତେ ଦିନ । ରୋଜଗାର ବୋଇଲେ ଖିଆପିଆ ଛଡ଼ା ସପ୍ତାହରେ ଦୁଇ ଡଲାର । ଏଇଥିରେ ପ୍ରାୟ କଟିଯାଏ ତିନି ବର୍ଷ । ଧୈର୍ଯ୍ୟଚ୍ୟୁତି ଘଟେ ଦିନେ ଦିନେ । ରାଜପଥରେ ରାତି କଟାଏ । ସକାଳୁ ସଞ୍ଜଯାଏ ବୁଲେ ଚାକିରି ସନ୍ଧାନରେ । ଶେଷରେ ଚାକିରି ମିଳିଥିଲା ଗୋଟିଏ ଜାହାଜ କମ୍ପାନୀରେ । ଚାକିରିର ସର୍ତ୍ତ ସାଢ଼େ ତିନି ବର୍ଷ ମାତ୍ର । କାମ ଆସିଷ୍ଟାଣ୍ଟ ସୁଏଟର-। ଦରମା ପ୍ରଥମ ବର୍ଷ ମାସକୁ ଦୁଇ ଶହ, ତା’ପରେ ଅଢ଼େଇ ଶହ କରି । ବେଶ୍‍ ଭଲ କାମ-। ସମୁଦ୍ର ଦେଶର ଲୋକ ତ ସେ । ଭୟ କ’ଣ ? ନାନା ଦେଶ ବୁଲା ହେବ, ପୃଥିବୀର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ଯାଏ ।

 

‘ଓ୍ୱାଟରମ୍ୟାନ’ ଜାହାଜ ଚାଲିଚି—ଭାରତ ଅଭିମୁଖେ । ଭିଡ଼ାସର ଦାୟିତ୍ୱ ଖାଦ୍ୟ ପ୍ରସ୍ତୁତ କରି ରଖିବା । କୋଲ୍‍ଡ଼ ରୁମ୍‍ରୁ ମାଂସ, ଲହୁଣୀ ଇତ୍ୟାଦି ବାହାର କରିବା, ରୋଷେଇ ଓ ଅନ୍ନର ବ୍ୟବସ୍ଥା କରିବା । କୋଲ୍‍ଡ଼ ରୁମରେ ବହୁ ସମୟ ଧରି କାମ କରି କରି ଭିଡ଼ାସକୁ ଭୀଷଣ ଥଣ୍ଡା ଲାଗିଲା । ବିଶ୍ରାମ ଲାଗି ସେ କେତୋଟି ଦିନ ଛୁଟି ମାଗିଥିଲା । ମିଳିଲାନି । ଡିଉଟି ବଜେଇବା ଦୂରର କଥା, ଡିଉଟି ବଢ଼ିଲା ଛଅ ଘଣ୍ଟାରୁ ୯ ଘଣ୍ଟା । ଫଳରେ ଭିଡ଼ାସର ରୋଗ ବଢ଼ିଲା । ଜାହାଜ ଡାକ୍ତର ପରୀକ୍ଷା କରି କହିଲେ, ଡବଲ ନିମୋନିଆଁ । ଜାହାଜ ପହଞ୍ଚିଲା କଲିକତା ବନ୍ଦରରେ । ଭିଡ଼ାସକୁ ପଠେଇ ଦିଆଗଲା ଡାକ୍ତରଖାନାକୁ । କିଛି ଦିନ ପରେ ଜାହାଜ ଚାଲିଲା ରେଙ୍ଗୁନ ଅଭିମୁଖେ । ଭିଡ଼ାସ ପଡ଼ି ରହିଲା ଏହି ଡାକ୍ତରଖାନାରେ । ଜାହାଜର କର୍ମକର୍ତ୍ତାମାନେ ଜଣେଇ ଦେଲେ, ଭିଡ଼ାସ କିଛି ଚିନ୍ତା କରିବୁନି, ରେଙ୍ଗୁନରୁ ଫେରିଲା ବେଳେ ତତେ ନେଇଯିବୁ ।

 

ପ୍ରାୟ ମାସକ ପରେ ଭିଡ଼ାସ ମୁକ୍ତ ହେଲା ଡାକ୍ତରଖାନରୁ । ପ୍ରାଣ ଭରି ଗ୍ରହଣ କଲା ଉନ୍ମୁକ୍ତ ପୃଥିବୀର ଆଲୋକ ଓ ପବନ । କିନ୍ତୁ ଡାକ୍ତରମାନେ କହିଥିଲେ, ଜୀବନସାରା ତାକୁ ଭୋଗିବାକୁ ପଡ଼ିବ, ବ୍ରୋଙ୍କାଇନ୍‍ସ ।

 

କଲିକତା କମ୍ପାନୀ ଅଫିସରୁ ଭିଡ଼ାସ ପରେ ବୁଝି ପାରିଲା, ଓ୍ୱାଟରମ୍ୟାନ ଆଉ କଲିକତା ଫେରୁନି । ହୁଏତ ଅନ୍ୟ କୌଣସି ଜାହାଜରେ ତାକୁ ଉଠାଇ ନିଆଯିବ । ଏହି ଅପେକ୍ଷାରେ ତାକୁ କଟାଇବାକୁ ପଡ଼ିଲା ଆଉ କେତୋଟି ମାସ । କିନ୍ତୁ ଅଧୈର୍ଯ୍ୟ ଉତ୍ତେଜିତ ହୋଇ ଦିନେ ସେ ପଶି ଆସିଲା କମ୍ପାନୀ ଅଫିସ ଭିତରକୁ । ରାଗରେ ଜର୍ଜର ହୋଇ ପଚାରିଲା—ଆଉ କେତେ ଦିନ ଖେଳିବ ? କେଉଁ ଦିନ କେଉଁ ଜାହାଜରେ ମତେ ପଠାଇବାର ବ୍ୟବସ୍ଥା କରୁଚ, ଜଣାଅ ନଚେତ୍‍..., ଉତ୍ତର ଆସିଲା ସାହେବଙ୍କଠୁଁ—ଦରଓ୍ୟାନ ନିକାଲି ଦିଅ ଏଇ ଇଡ଼ିୟଟ୍‍ଟାକୁ । ଘରୁ ବାହାରି ଗଲାବେଳେ ଭିଡ଼ାସ ଉତ୍ତର ଦେଇଥିଲା—ଦିନେ ନା ଦିନେ ଜବାବ ଦେବାକୁ ପଡ଼ିବ-

 

ସତକୁ ସତ କେତେ ଦିନ ପରେ ଚିଠି ଆସିଲା—ଓକିଲ ନୋଟିସ । କମ୍ପାନୀ ଅଫିସରୁ ଉତ୍ତର ଆସିଲା—ମରିସନ ଭିଡ଼ାସ ନାମରେ ଆମର କୌଣସି କର୍ମଚାରୀ ନାହାନ୍ତି । ତେବେ ଜଣେ ଥିଲା—ରୋଗଗ୍ରସ୍ତ ହୋଇ ପଡ଼ିବାରୁ, କାମରୁ ବରଖାସ୍ତ କରି ଦିଆ ଯାଇଛି ।

 

ମୁଣ୍ଡରେ ଗୋଟାଏ ବଜ୍ର ପଡ଼ିଲେ ବି ଭିଡ଼ାସ ଏଭଳି ଆଶ୍ଚର୍ଯ୍ୟ ହୁଅନ୍ତାନି । ଚାକିରି ଯାଇଚି କି ଅପରାଧରେ ? ଏତେ ଦିନପର୍ଯ୍ୟନ୍ତ କାହିଁକି ତାକୁ କିଛି ଜଣାଇ ଦିଆଗଲା ନାହିଁ, ଏହି ପ୍ରଶ୍ନ ହିଁ ତା’ ମୁଣ୍ଡକୁ ଗୋଳମାଳ କରିଦେଲା । ରାଗ ଓ ଅପମାନରେ ଭିଡ଼ାସର ସର୍ବାଙ୍ଗ ଯେପରି ଜଳି ଉଠିଲା । କମ୍ପାନୀକୁ ଉପଯୁକ୍ତ ଶିକ୍ଷା ନ ଦେଇ ସେ ନୀରବ ହୋଇ ବସି ରହି ନପାରେ । ଗ୍ରୀସର ସନ୍ତାନ ସେ । ଅନ୍ୟାୟ ବିରୁଦ୍ଧରେ ମୁଣ୍ଡ ନୁଆଁଇ ଦେବାର ଶିକ୍ଷା ତା’ର ସାତ ପୁରୁଷରେ ନାହିଁ ।

 

ସାମାନ୍ୟ ଯାହା କିଛି ସଞ୍ଚୟ ଥିଲା, ସେଇଥିରେ ମକଦ୍ଦମା ଦାୟର ହେଲା ହାଇକୋର୍ଟରେ । ଅନ୍ୟାୟ ଭାବରେ ଚାକିରିରୁ ବରଖାସ୍ତର କ୍ଷତି ପୂରଣ ଦାବି । କୋର୍ଟକୁ ଆସି ଭିଡ଼ାସ ସବୁବେଳେ ଗୁଣୁ ଗୁଣୁ ହୁଏ, ଅଭିଯୋଗ କରେ ‘‘ଭେରି ବ୍ୟାଦ୍‍ ପ୍ଲେସ, ଏଭରି ବଡ଼ି ଥିପ୍‍ ହିଆର୍‍, ବିଗ୍‍ ମେନ୍‍. ବିଗ୍‍ ଥିପ୍‍’’ । ପୃଥିବୀର କାହାକୁ ହେଲେ ବିଶ୍ୱାସ କରେନା ସେ । ସମସ୍ତେ ପୁଣି ଏଠି ଚୋର ! ସମସ୍ତେ କୁଆଡ଼େ କମ୍ପାନୀର ପଇସା ଖାଇ ଷଡ଼ଯନ୍ତ୍ର କରିଛନ୍ତି ତା’ ବିରୁଦ୍ଧରେ ।

 

ମକଦ୍ଦମା ଦାୟର ହୋଇଚି ୧୯୪୨ରେ । ତା’ପରେ ବେଶ୍‍ କେତେକ ବର୍ଷ କଟି ଯାଇଚି । ଅଜିତ ବାବୁ ପଚାରିଲେ । ଭିଡ଼ାସକୁ ଏତେବର୍ଷ ଯାଏଁ କେଉଁଠି ଥିଲ ?

 

ଭିଡ଼ାସର ମୁହଁଟା ଲାଲ ହୋଇ ଉଠେ ।

 

ମକଦ୍ଦମା ଦାୟର ପରେ ହିଁ ପୁଲିସର ଶୁଭ ଦୃଷ୍ଟି ପଡ଼ିଲା ତା’ଉପରେ । ଯୁଦ୍ଧ ବଜାରରେ ବେକାର ବିଦେଶୀ ସ୍ୱଭାବତଃ ସନ୍ଦେହଜନକ ।

 

ଭଲ କରି ସକାଳ ହୋଇନି । ପାହାନ୍ତିଆ । ଘରୁ ବାହାର କରି ନେଇ ସେକ୍ୟୁରିଟ ପୁଲିସ ଭିଡ଼ାସକୁ ହାଜର କଲେ ବନ୍ଦରରେ । କାହିଁକି ଯେ ତାକୁ ନିଆ ଯାଉଚି, ସେ ଜାଣେନା । କେବଳ ତାକୁ କୁହାଗଲା—ଦେଶକୁ ପଠାଇ ଦିଆଯାଉଚି । କିନ୍ତୁ ଦେଶ କାହିଁ ? ଦେଶ ଯେ ନାଜିମାନଙ୍କ ହାତରେ । ବିତାଡ଼ିତ ଗ୍ରୀକ୍‍ ସମ୍ରାଟ ସେତେବେଳେ ଆଲକଜେଣ୍ଡ୍ରିୟାରେ ରାଜଧାନୀ ବସେଇ ଦିନ ଗଣୁ ଥାଆନ୍ତି । ତେଣୁ ପୁଲିସଙ୍କ ମତରେ ଆଲେକଜେଣ୍ଡ୍ରିୟାହିଁ ଭିଡ଼ାସର ଦେଶ । ଚିତ୍କାର କରି ଉଠିଥିଲା ଭିଡ଼ାସ । ହତଭାଗ୍ୟ ନାବିକର ଆଖିରେ ଜଳ ଭରି ଆସିଥିଲା । ସେ ତ ଚୋର ନୁହେଁ, ଗୁଣ୍ଡା ନୁହେଁ, ସେ ଖାଲି ଜାଣିବାକୁ ଚାହିଁଥିଲା ତା’ର ଦୋଷ କ’ଣ ? ତା’ ଛଡ଼ା କମ୍ପାନୀ ପାଖରେ ତା’ର ଅନେକ ଟଙ୍କା ପାଉଣା ରହିଚି, ଅନେକ ଟଙ୍କା ! କମ୍ପାନୀ ତାକୁ ଫାଙ୍କି ଦେବା ଲାଗି ଚେଷ୍ଟା କରିଚି । କିନ୍ତୁ ପୁଲିସ ନଛୋଡ଼ ବନ୍ଦା !

 

ଗ୍ରୀସର ଅସ୍ଥାୟୀ ରାଜଧାନୀରେ ଭିଡ଼ାସକୁ ଅନେକ ଦୁଃଖ ଭୋଗ କରବାକୁ ପଡ଼ିଥିଲା-। ଜାହାଜରୁ ଓହ୍ଲେଇବା ସଙ୍ଗେ ସଙ୍ଗେ ସାମରିକ ପୁଲିସ ଶତ୍ରୁ ପକ୍ଷର ଗୁପ୍ତଚର ଭାବି ଗିରଫ କରି ନେଲେ । ଅନିର୍ଦ୍ଦିଷ୍ଟ କାଳ ପାଇଁ କାରାଗାରର ଅନ୍ଧକାର ଗ୍ରାସ କରିଥିଲା ଭିଡ଼ାସକୁ-

 

ଚାରିବର୍ଷ ପରେ ଲୌହ କପାଟ ଉନ୍ମୁକ୍ତ ହେଲା । କିନ୍ତୁ ଏହି ଚାରିବର୍ଷ କାଳ ଦିନେ ସୁଦ୍ଧା ଭିଡ଼ାସ ଜାହାଜ କମ୍ପାନୀକୁ ଭୁଲିନି ।

 

ମୁକ୍ତିପାଇ ଭିଡ଼ାସ ଦେଶକୁ ଫେରିନି । ପୁଣି କଲିକତା । କେଉଁଠି ଆଲେକେଜେଣ୍ଡ୍ରିୟା, କେଉଁଠି କଲିକତା, କପର୍ଦ୍ଦକହୀନ ଭିଡ଼ାସ କିଭଳି ଏ ଦୂରତ୍ୱ ଅତିକ୍ରମ କଲା, ଆଶ୍ଚର୍ଯ୍ୟ ଲାଗେ ।

 

ପୁଣି ସେଇ ପ୍ରଶ୍ନ—ମୋ ମକଦ୍ଦମାର ଖବର କ’ଣ ?

 

କୌଣସି ମହକିଲ ଯେ ପାଞ୍ଚ ବର୍ଷ ପରେ ହଠାତ୍‍ ଆବିର୍ଭୂତ ହୋଇପାରେ ଏବଂ ମକଦ୍ଦମାର ଖବର ଜାଣିବାକୁ ଇଚ୍ଛା କରିପାରେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ ଅଜିତ ବାବୁ ।

 

କିନ୍ତୁ ଭିଡ଼ାସ ପ୍ରତି ଅଜିତବାବୁଙ୍କ ଗଭୀର ମମତା । ସମୟ ପାଇଲେ ଭିଡ଼ାସକୁ ପାଖରେ ବସେଇ ଗପ କରନ୍ତି । ଭିଡ଼ାସ କହେ ଗ୍ରୀସର ଗଳ୍ପ । ନିଜ ଗାଁ କଥା । ତା’ର ପଡ଼ିଶା ଅଡ଼ିଶା ଲୋକେ କେଡ଼େ ଭଲ ! ଭିଡ଼ାସ ପାଖରୁ ଆସିଚି କହିଲେ ଗାଁ ଲୋକେ ଭାରି ଆଦର କରିବେ । ତେବେ ଭିଡ଼ାସ ଯେ ବଡ଼ କଷ୍ଟରେ ଚଳୁଚି କାହାରିକି କହେନା ।

 

ଅଜିତ ବାବୁ ପଚାରନ୍ତି—ମିଃ ଭିଡ଼ାସ ବର୍ତ୍ତମାନ ଚଳୁଚ କିମିତି ?

 

‘‘ଓଆନ୍‍ ଲୋଫ୍ ଫର ଲଞ୍ଚ ଆଣ୍ଡ୍ ଓଆନ ଲୋଫ୍‍ ଫର ଡିନର୍‍ । ମଝି ମଝିରେ ଡକ୍‍ ଜାହାଜ ଅଫିସରମାନଙ୍କର ଛୋଟ ଛୋଟ କାମ କରେ—୧୦ / ୧୨ କରି ମିଳେ । ସେଇଥିରେ ଚଳେ ।’’

 

‘‘ଆଚ୍ଛା ଭିଡ଼ାସ ଏତେ କଷ୍ଟ କାହିଁକି ସହୁଚ ? ଚେଷ୍ଟା କରିଲେ, ଅନ୍ୟ କୌଣସି ଜାହାଜ କମ୍ପାନୀରେ ତ ଚାକିରି ପାଇ ପାରନ୍ତ ।’’

 

ଦାନ୍ତକୁ କାମୁଡ଼ି ରଟମଟ କରି ଚାହେଁ ଭିଡ଼ାସ । ସନ୍ଦେହ ହୁଏ ତା’ର । କମ୍ପାନୀ ହୁଏତ ଅଜିତ ବାବୁଙ୍କୁ ମଧ୍ୟ ଲାଞ୍ଚଲୁଞ୍ଚା ଦେଉଚି । କିନ୍ତୁ ଖୁବ୍‍ ଶାନ୍ତ ଭାବରେ କହେ—‘‘ତୁମେ କ’ଣ କହିବାକୁ ଚାହଁ—ବଦମାସକୁ ଶାସ୍ତି ନ ଦେଇ କ’ଣ ଚାଲିଯିବି ? ବର୍ଷ ବର୍ଷ ଧରି ମତେ ଘୂରାଉଛନ୍ତି-। ଜେଲକୁ ପଠେଇଛନ୍ତି । ମୁଁ ଏମାନଙ୍କୁ ଛାଡ଼ିଦେବି । ତା’ ଛଡ଼ା ମକଦ୍ଦମାର ବିଚାର ଶୀଘ୍ର ହେବ ତ-?

 

ମକଦ୍ଦମାର ଦିନ ନିର୍ଦ୍ଧାରଣ ଏକ ଭୟଙ୍କର ବ୍ୟାପାର । ସ୍ୱୟଂ ଦେବତାମାନେ ମଧ୍ୟ ଏଥିରେ ଅକ୍ଷମ । ମକଦ୍ଦମା ଦାୟର କରି ଆପଣ ପାଦରେ ଚାଲି ଚାଲି ପୃଥିବୀ ଭ୍ରମଣରେ ବାହାରି ପାରନ୍ତି । ହିମାଳୟ ପର୍ବତ ଅତିକ୍ରମ କରି ତିବ୍ଦତ ଓ ଚୀନ ପରି ଭ୍ରମଣ ଶେଷ କରି ଦକ୍ଷିଣକୁ ଯାଇପାରନ୍ତି । ଶ୍ୱାପଦସଂକୁଳ ଆଫ୍ରିକାର ଅରଣ୍ୟରେ ବାଘ ଭାଲୁ ଶିକାର କରି, ତା’ପରେ ଉତ୍ତରମେରୁ ଦକ୍ଷିଣ ମେରୁ ଭ୍ରମଣ ! ସବୁ ଆଶା ପୂର୍ଣ୍ଣ କରି ଫେରି ଆସି ଦେଖିବାକୁ ପାଇବେ ଅପର ପକ୍ଷ ଆଜି ପେଟ ବ୍ୟଥା, କାଲି ଝିଅର ବିବାହ ଆଜୁ ହାତରେ ଦିନ ଗଡ଼େଇ ଚାଲିଛନ୍ତି । ମକଦ୍ଦମାର ଫୟସଲା ହେବାକୁ ଆହୁରି ଡେରି ।

 

ଭିଡ଼ାସର ମକଦ୍ଦମାରେ ଏହି ସତ୍ୟର ନିଦାରୁଣ ଉପଲବ୍‍ଧି ହେବାର ଦେଖାଗଲା । ଶୀଘ୍ରାତିଶୀଘ୍ର ଶୁଣାଣି ଲାଗି ଚେଷ୍ଟା କରିଲେ ମଧ୍ୟ କୌଣସି ଫଳ ହୋଇନି । ରୁକ୍ଷ କେଶ, ମଳିନ ମୁଖ ଧରି ଭିଡ଼ାସ କୋର୍ଟ ବାରଣ୍ଡାରେ ବୁଲ, ଶୁଣେ ପୁଣି ଦିନ ଗଡ଼େଇ ଦିଆଯାଇଚି ।

 

ଦନେ କିନ୍ତୁ ଭିଡ଼ାସ ବୋମା ଭଳି ରାଗରେ ଫାଟି ପଡ଼ିଲା—ଏଗେଇନ ଡେଟ୍‍ ? ଆଲଥିପ୍‍ ହିଆର । ସମସ୍ତେ ଚୋର । ଏ ସମସ୍ତେ କମ୍ପାନୀରୁ ଟଙ୍କା ଖାଉଚନ୍ତି ।

 

ଅଜିତ ବାବୁ ରାଗି ଉଠିଥିଲେ ।

 

ତା’ପର ଦିନ ଭୋର ସକାଳୁ ଭିଡ଼ାସ ଆସି ହାଜର୍‍ । ଖାଲି ଗୋଟାଏ ପ୍ରଶ୍ନ—ବାବୁ ମୋ ସାଥିରେ ଟିକିଏ ଯାଇ ପାରିବେ ?

 

—କାହିଁକି ?

 

—ସେ କଥା ପରେ ଜାଣିପାରିବେ ।

 

ଅଜିତ ବାବୁଙ୍କୁ ଟାଣି ନେଇଥିଲା ଗୋଟାଏ ରେଷ୍ଟୁରାଣ୍ଟକୁ । ଟିଫ୍‍ନର ଅର୍ଡ଼ର ଦେଇ ଭିଡ଼ାସ ହସି ଉଠିଥିଲା—

 

‘‘ବଡ଼ ଆଶ୍ଚର୍ଯ୍ୟ ବୋଧ ହେଉଚି ନା ? ଆଜି ନଭେମ୍ୱର କୋଡ଼ିଏ । ମୋ ପୁଅର ଜନ୍ମଦିନ । ଘରେ ଥିଲେ କେତେ ଆନନ୍ଦ ଉତ୍ସବ କରିଥାଆନ୍ତି । ନଅ, ଦଶ, ଏଗାର, ହଁ ବାରବର୍ଷ ହେଲା ତାକୁ ।’’ ଚା’ କପରେ ମୁହଁ ଦେଉ ଦେଉ ଚମକି ଉଠିଲା ସେ ।

 

—କିନ୍ତୁ ସେମାନେ କ’ଣ ଆଉ ବଞ୍ଚିଥିବେ । ଏତେ ବଡ଼ ଯୁଦ୍ଧ ହେଲା, ସବୁ ଲଣ୍ଡଭଣ୍ଡ ହୋଇ ଯାଇଥିବ । ଆଚ୍ଛା ବାବୁ, ତୁମର କ’ଣ ମନେ ହେଉଚି, ମୋର ପୁଅ, ତା’ର ମାଆ ସମସ୍ତେ ବଞ୍ଚିଥିବେ ?

 

କ’ଣ ବା ଉତ୍ତର ଦେବି ? ହତଭାଗ୍ୟ ନାବିକ । ପୂରା ସାତବର୍ଷ କାଳ ପ୍ରିୟଜନ ସାଙ୍ଗସୁଖରୁ ବଞ୍ଚିତ । ଜୀବନର ମରୁଭୂମିରେ ନିଜକୁ ରକ୍ଷା କରିବାରେ ବ୍ୟସ୍ତ । ସ୍ତ୍ରୀ ପୁତ୍ର ଚିନ୍ତାର ଅବସର ବା କାହିଁ ? ତଥାପି ମଝି ମଝିରେ କ୍ୟାଲେଣ୍ଡରର କୌଣସି ଗୋଟାଏ ଦିନ ଉଜ୍ଜ୍ୱଳ ହୋଇ ଉଠେ, ମନେ ପଡ଼ିଥାଏ ଘରକଥା, ସନ୍ତାନ ସନ୍ତତିର କଥା ।

 

ଅଜିତବାବୁ କହନ୍ତି—ନିଶ୍ଚୟ ବଞ୍ଚିଥିବେ । ହୁଏତ ବଡ଼ ହୋଇ ଉଠି ବଣି ମାଷ୍ଟର ଭିଡ଼ାସ ।

 

ବିରହୀ ଭିଡ଼ାସର ମନ କେଉଁ ସୁଦୂରକୁ ଚାଲିଯାଏ । କଳ୍ପନାର ପଟରେ ହୁଏତ ଜାଗି ଉଠେ ଆଗାମୀ ଦିନର କଥା । ମକଦ୍ଦମାରେ ସେ ଜିଣିଚି । ଅନେକ ଟଙ୍କା ନେଇ ଗୋଟାଏ ଦୋକାନ ଦେଇଚି ଗାଁରେ । ଗାଁର ଲୋକେ ଗଳ୍ପ ଶୁଣିବାକୁ ଆସୁଚନ୍ତି—ନିଉୟର୍କ ସହରଟା କିମିତି–ଇଣ୍ଡିୟା ସେଇ ଇଣ୍ଡିଆ । ଯେଉଁଠିକି ଆଲେକ୍‍ଜାଣ୍ଡାର ସୈନ୍ୟ ଆସିଥିଲେ, ଫେରିଗଲେ ପୁରୁରାଜାର ବଜ୍ରଗମ୍ଭୀର ଉତ୍ତର ପାଇ । କଲିକତା ସହର । ବିରାଟ ଜାଗା !

 

ବିଲ୍‍ ଆସିଲା ଦୁଇଟଙ୍କାର—ଭିଡ଼ାସର କେତୋଟି ଦିନର ଖାଇବା ଖର୍ଚ୍ଚ । ଭାବିଲି ନିଜେ ପଇସା ଦେଇଦେବି । ମନ କହିଲା, ନା । ପିଲାର ଜନ୍ମ ଦିନରେ ପିତାର ଗର୍ବ କ୍ଷୁଣ୍ଣ କରିବାର ଅଧିକାର ନାହିଁ କାହାର ।

 

ଅବଶେଷରେ ଜାନୁଆରୀ ମାସ ଆରମ୍ଭରେ । ମକଦ୍ଦମା ତାରିଖ ପକ୍‍କାଭାବରେ ନିର୍ଦ୍ଧାରିତ ହେଲା । ଜଷ୍ଟିସ ରାୟ, କଥା ଦେଲେ—ଭିଡ଼ାସର ମକଦ୍ଦମାରେ ନବବର୍ଷ ଆରମ୍ଭ ହେବ-

 

ବଡ଼ଦିନ । ମିସେସ୍‍ ଅଜିତ୍‍ ରାୟ ପଚାରିଲେ କାହାକୁ ନିମନ୍ତ୍ରଣ କରୁଚ ?

 

—ଜଣେ ବିରାଟ ଯୋଦ୍ଧାକୁ ।

 

ଅଜିତ ବାବୁ କହନ୍ତି—ଇଲିୟଡ଼ ଭିଡ଼ାସର ଗଳ୍ପ ପଢ଼ିଚ ? ହୋମରଙ୍କ ମହାକାବ୍ୟର ନାୟକ ମହାବୀର ଉଇଲ୍‍ ସିସ ଅନ୍ୟାୟ ବିରୁଦ୍ଧରେ ଖଡ଼୍‍ଗ ହସ୍ତ । ଶତ୍ରୁ ସଂହାର ଲାଗି ଦେଶ ତ୍ୟାଗ କଲେ ସେ । ପଛରେ ପଡ଼ି ରହିଲା ପ୍ରିୟା । ପଡ଼ି ରହିଲା ଏକ ବିରାଟ ସଂସାର । ବହୁବର୍ଷ ବିତିଗଲା । ତାଙ୍କର ବିଜୟ କେତନ ଦେଶ ସାରା ଉଡ଼ିଲା । ଇଉଲିସିଅସ୍‍ କ୍ଳାନ୍ତ ଶ୍ରାନ୍ତ । ଜାୟା ଚିନ୍ତାରେ ମଗ୍ନ । ଆଜି ଜୀବନ୍ତ ଉଇଲିସିଅସ୍‍ଙ୍କ ଦେଖା ମିଳିଚି । ସେ ଆଜି ପ୍ରବାସୀ, ଗୃହହରା । ବଡ଼ ଦିନରେ ସେ କେବଳ ମାତ୍ର ଆମର ଅତିଥି । ଏ ଯୁଗର ଉଇଲିସିଅସ୍‍ ମରିସନ ଭିଡ଼ାସ ।

 

ବଡ଼ ଦିନର ଲଞ୍ଚ ଟେବୁଲରେ ଅଜିତ ବାବୁ, ତାଙ୍କ ସହଧର୍ମିଣୀ ଓ ଭିଡ଼ାସ । ଖାଇବା ଆଗରୁ ଭିଡ଼ାସ ଲାଗି ଗ୍ରୀକ୍‍ ମଦ ଆସିଲା । ଯଥାରୀତି ଗ୍ଲାସ ଉପରକୁ ଉଠେଇ ଅଜିତବାବୁ ପ୍ରାର୍ଥନା କଲେ—‘‘ନବବର୍ଷରେ ମୋର ଏକାନ୍ତ ପ୍ରାର୍ଥନା ଭିଡ଼ାସର ଜୟ ହେଉ ।’’ ଅଭିଭୂତ ଭିଡ଼ାସ କାନ୍ଦି ଉଠିଲାଭଳି ମନେହେଲା । ଅନେକ ଦିନଧରି ଗ୍ରୀଷ୍ମ ତପ୍ତ ମାଟି ଉପରେ ଯେମିତି ବର୍ଷାର କେତୋଟି ବିନ୍ଦୁ ।

 

ବର୍ଷ ଆରମ୍ଭରେ ଶୁଣାଣି ଆରମ୍ଭ ହେଲା । ଜାହାଜ କମ୍ପାନୀ ତରଫରୁ ଠିଆ ହୋଇଛନ୍ତି ଜଣେ ନାମଯାଦା ବାରିଷ୍ଟର । ବାକ୍ୟ ଯୁଦ୍ଧ ଆରମ୍ଭ ହୁଏ । ଆନ୍ତର୍ଜାତିକ ଆଇନର ବ୍ୟାଖ୍ୟା । ଜାହାଜର ମାଲିକ ସ୍ପାନିଶ କିନ୍ତୁ ଜାହାଜ ଆର୍ଜାଣ୍ଟାଇନରେ ରେଜିଷ୍ଟ୍ରି କୃତି । ଚୁକ୍ତ ସ୍ୱାକ୍ଷରିତ ହୋଇଚି ଯୁକ୍ତରାଷ୍ଟ୍ରରେ, ଚୁକ୍ତି ଭାଙ୍ଗିଚି ଭାରତବର୍ଷରେ ।

 

ରାୟ ପ୍ରକାଶ ପାଇବାଦିନ ଅଜିତ ବାବୁ ଗଲେ ନାହିଁ କୋର୍ଟକୁ । ପଠାଇଥିଲେ ଜୁନିଆର ମିଷ୍ଟର ବିଳାସ ବାବୁଙ୍କୁ । କୋର୍ଟ ରୁମରେ ଭୀଷଣ ଭିଡ଼ । ଭିଡ଼ାସ୍‍ ଗମ୍ଭୀର । ରାୟ ଶୁଣି ଯେ ତା’ର ଅବସ୍ଥା କ’ଣ ହେବ କହି ହେଉନି । କେତେକ ମିନିଟ ପରେ ଘରର ପର୍ଦ୍ଦା ଆଡ଼େଇ ହୋଇଗଲା—ଜଷ୍ଟିସ ରାୟ ଆସନ ଗ୍ରହଣ କଲେ । ସେତେବେଳକୁ ଭିଡ଼ାସର ବୁକୁ ପଡ଼ୁଥାଏ, ଉଠୁଥାଏ ।

 

ମରିସନ ଭିଡ଼ାସର ଜୟ ହୋଇଚି । ବିଳାସ ବାବୁ ଖୋଜୁଚନ୍ତି ଭିଡ଼ାସକୁ । ଦୂରରୁ ଦେଖାଗଲା ଭିଡ଼ାସ ଚାଲିଚି—ମାରାଥନ ଦୌଡ଼ ଭଳି । ମାରାଥାନର ଯୁଦ୍ଧରେ ଜୟ ହୋଇଚି । ପ୍ରଧାନ ସେନାପତିର ଜୟ ବାର୍ତ୍ତା ନେଇ ସତେକି ଚାଲିଚନ୍ତି ଗ୍ରୀକ୍‍ ରାଷ୍ଟ୍ରଦୂତ ।

 

ଭିଡ଼ାସ ଆସି ପ୍ରଥମେ ଖବର ଦେଲା ଅଜିତ ବାବୁଙ୍କୁ ସେ ଜିଣିଚି । କହିଥିଲା—ଆଇ ଆମ୍‍ ସୋ ସରି ସାର୍‍—ଏଭରିବଦି ନଟ୍‍ ଥିପ୍‍ ସାର୍‍ ।

 

ଆନନ୍ଦର ଆତିଶଯ୍ୟରେ ପ୍ରାୟ ନାଚୁ ନାଚୁ ଭିଡ଼ାସ କହି ଉଠୁଥାଏ—ଟଙ୍କା ପାଇବାମାତ୍ରେ ଦେଶକୁ ଫେରିଯିବି । ଆଗରୁ ସ୍ତ୍ରୀ ପାଖକୁ ତା’ର ପଠେଇବି—ମୁଁ ବଞ୍ଚିଚି । ଶୀଘ୍ର ଦେଖା ହେବ ।

 

ମିଃ ବିଳାସ ବାବୁ କିନ୍ତୁ ଗମ୍ଭୀର ମନରେ ଫେରିବାର ଦେଖାଗଲା । ନେପଥ୍ୟରେ ଅଜିତ ବାବୁଙ୍କ ସହିତ କ’ଣ କଥାବାର୍ତ୍ତା ହେଲା କେଜାଣି ମୁହଁଟା ଶୁଖି ଆସିଲା ତାଙ୍କର । କେଜାଣି ଆନନ୍ଦ କୁଆଡ଼େ ମିଳେଇ ଗଲା ଗୋଟାଏ ମୁହୂର୍ତ୍ତରେ ।

 

ଜାହାଜ କମ୍ପାନୀ ରାୟ ମାନିବ ନାହିଁ । ସେମାନେ ଅପିଲ କରିବେ । ସେ ପୁଣି କେତେବର୍ଷ ।

 

ଆଖି ପିଛୁଳାକେ ଭିଡ଼ାସର ହାତରୁ ଗ୍ଲାସଟା ଖସି ଆସିଲା । ଅଜିତବାବୁ ମୁଣ୍ଡରୁ ହାତଟାକୁ ଖସେଇ ନେଇ ଦେଖିଲେ ଆଗରେ ଭିଡ଼ାସ ନାହିଁ ।

 

ଦୁଇଦିନ ଧରି ଅପେକ୍ଷା ପରେ ଅଧୈର୍ଯ୍ୟ ହୋଇ ଉଠିଲେ ଅଜିତ ବାବୁ । ଫୋନ କରି ପଚାରିଲେ ସେକୁରିଟି ପୁଲିସକୁ । ଉତ୍ତର ଆସିଲା ମରିସନ ଭିଡ଼ାସ୍‍ ନାମକ ଜଣେ ଗ୍ରୀକ୍‍କୁ ବିଶେଷ କ୍ଷମତା ବଳରେ ଭାରତବର୍ଷରୁ ବାହାର କରିଦିଆଯାଇଚି ।

 

ଅଜିତବାବୁ କହନ୍ତି ମୁଁ ଶୁଣେ—

 

ମରିସନ ଭିଡ଼ାସରେ ଆଉ କୌଣସି ଖବର ଅନ୍ତର ନାହିଁ । କିନ୍ତୁ ଭିଡ଼ାସକୁ ମୁଁ ଜାଣେ ସେ ପୁଣି ଆସି ହାଜର ହେବ । ତାରିଖ ଗଡ଼ୁଚି ।

 

ମରିସନ ଭିଡ଼ାସର ଅପେକ୍ଷାରେ ରହିଛନ୍ତି ଅଜିତବାବୁ—ଦୀର୍ଘ ୧୨ ବର୍ଷ ପରେ ମଧ୍ୟ ।

Image